ଭୁବନେଶ୍ବର : ଲାଲ ବାହାଦୁର ଶାସ୍ତ୍ରୀ ପ୍ରଶାସନିକ ଏକାଡେମିର ୧୮୧ଜଣ ଆଇଏଏସ୍ ଶିକ୍ଷାନବୀସ ଏବଂ ଦୁଇ ଜଣ ରୟାଲ୍ ଭୁଟାନ୍ ସିଭିଲ୍ ସର୍ଭିସ୍ର ଶିକ୍ଷାନବୀସ ଭାରତ ଦର୍ଶନ କାର୍ଯ୍ୟକ୍ରମରେ ଚାରିଦିନିଆ ଷ୍ଟଡି ଟୁର୍ରେ ଓଡ଼ିଶା ଗସ୍ତରେ ଆସିଥିବାବେଳେ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।
ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ଓଡ଼ିଶାକୁ ସ୍ବାଗତ କରିବା ସହ କହିଛନ୍ତି ଯେ ଆପଣମାନେ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରୁଛନ୍ତି। ଯୁବ ଅଧିକାରୀମାନଙ୍କ ଠାରୁ ଦେଶ ବହୁତ କିଛି ଆଶା ରଖିଛି। ତୁମେମାନେ ଆମ ପୂର୍ବଜଙ୍କ ଆଦର୍ଶ ଓ ସ୍ବପ୍ନକୁ ଅନୁସରଣ କରି ଚାକିରିରେ ଉତ୍କର୍ଷ ହାସଲ କର ଏବଂ ଗର୍ବର ସହ ଦେଶ ସେବା କର।
ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ୫-ଟି ମଡେଲର ଭୂମିକା ବିଷୟରେ ମୁଖ୍ୟମନ୍ତ୍ରୀ କହିବା ସହ ଓଡ଼ିଶା କିପରି ଅନେକ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ତାହା କହିଥିଲେ। ଆମେ ସ୍ବଚ୍ଛତା, ଟିମ୍ ୱାର୍କ, ବୈଷୟିକ ଜ୍ଞାନ, ସମୟର ନୀତି ଉପରେ ନିର୍ମିତ ଏକ ପରିବର୍ତ୍ତନଶୀଳ ଶାସନ ବ୍ୟବସ୍ଥାକୁ ଆପାଣାଇଛୁ। ଏହାଦ୍ବାରା ଗ୍ରାମୀଣ ବିକାଶ, ଗୃହ ନିର୍ମାଣ, ଦକ୍ଷତା ବିକାଶ, ଖଣି, ପର୍ଯ୍ୟଟନ, ଐତିହ୍ୟ ସଂରକ୍ଷଣ, ରାସ୍ତା ଉନ୍ନତୀକରଣ ସମେତ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛୁ।
/sambad/media/post_attachments/wp-content/uploads/2022/05/m13-2-300x144.jpg)
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଓଡ଼ିଶା ଦିନେ ଗରିବ ଏବଂ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଥିବା ରାଜ୍ୟ ଭାବେ ଗଣା ହେଉଥିଲା। କିନ୍ତୁ ଏବେ ବିପର୍ଯ୍ୟୟ ପରିଚାଳନାରେ ଆମେ ସାରା ବିଶ୍ବରେ ରୋଲ୍ ମଡେଲ୍ ପାଲଟିଛୁ। ଆମେ ବଳକା ଖାଦ୍ୟ ରାଜ୍ୟ ହେବା ଗଣା ହେବା ସହ ଗତ ଦଶନ୍ଧି ମଧ୍ୟରେ ଚାଷୀଙ୍କ ଆୟ ଦୁଇ ଗୁଣା କରିପାରିଛୁ। ରାଜ୍ୟରେ ଦ୍ରୁତ ଗତିରେ ଦାରିଦ୍ର୍ୟ ହ୍ରାସ ପାଉଛି।
ସେହିପରି ମିସନ୍ ଶକ୍ତିରେ ୬୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି। ଯେଉଁମାନେ ଗ୍ରାମାଞ୍ଚଳରେ ସାମାଜିକ ଅର୍ଥନୈତିକ ପରିବର୍ତ୍ତନ ଆଣିପାରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କାଳିଆ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ପୁରୀରେ ଆରମ୍ଭ ହୋଇଥିବା ଦେଶର ପ୍ରଥମ ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସ୍ବତନ୍ତ୍ରତା ବିଷୟରେ କହିଥିଲେ।
ଏହି ଅବସରରେ ଓଡ଼ିଶା ଶାସନ ବ୍ୟବସ୍ଥା ଉପରେ ଏକ ଭିଡ଼ିଓ ପ୍ରଦର୍ଶନ ହୋଇଥିଲା। ମୁଖ୍ୟମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ପ୍ରଶାସନିକ ଏକାଡେମିର ଯୁଗ୍ମ ନିର୍ଦ୍ଦେଶକ ରାଧିକା ରସ୍ତୋଗୀଙ୍କୁ ସମ୍ମାନିତ କରିଥିଲେ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଥିଲେ ଯେ ଓଡ଼ିଶା ଦେଶର ଦ୍ରୁତ ବିକାଶଶୀଳ ରାଜ୍ୟଙ୍କ ମଧ୍ୟରେ ଅନ୍ୟତମ। ଅର୍ଥବ୍ୟବସ୍ଥା ପରିଚାଳନାରେ ଓଡ଼ିଶା ଶ୍ରେଷ୍ଠ। ସରକାରଙ୍କ କୋଭିଡ ପରିଚାଳନା, ଲୋକଙ୍କୁ ମାଗଣା ଚିକିତ୍ସା, ଅକ୍ସିଜେନ୍ ଯୋଗାଇବା ନେଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ଏକାଡେମିର ଡିଜି ରଞ୍ଜନା ଚୋପ୍ରା ସ୍ବାଗତ ଭାଷଣ ଦେଇଥିବା ବେଳେ ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ ଦେବ ଧନ୍ୟବାଦ ଦେଇଥିଲେ। ଏହି ଶିକ୍ଷାନବୀସମାନେ ଆଜି ପୁରୀ ଓ କୋଣାର୍କ ଗସ୍ତରେ ଯାଇଥିବା ବେଳେ ଆସନ୍ତା ତିନି ଦିନରେ ୬ଟି ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦୁଝର, ବାଲେଶ୍ବର ଗସ୍ତରେ ଯିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/m12.jpg)