ସୁନ୍ଦରଗଡ଼,(ଡମ୍ବରୁଧର ନାୟକ): ଉପର ମୁଣ୍ଡରେ ଉଛୁଳୁମୁଛୁଳୁ ପାଣି। କିନ୍ତୁ, ତଳେ ମାଇଲ ମାଇଲ ବ୍ୟାପି ଧୂଧୂ ବାଲି। ସୁନ୍ଦରଗଡ଼ର ଜୀବନରେଖା ଇବ୍‌ ନଦୀ ଛତିଶଗଡ଼ ଷଡ଼ଯନ୍ତ୍ରର ଶିକାର ହେବାପରେ ଏସ୍ଥିତି ଦେଖିବାକୁ ମିଳିଛି। ହେଲେ, ଆଶ୍ଚର୍ଯ୍ୟଜନକ ଭାବେ ଓଡ଼ିଶା ସରକାର ନିରବ ରହିଛନ୍ତି।
ସୂଚନା ଅନୁସାରେ, ଛତିଶଗଡ଼ ରାଜ୍ୟରୁ ବାହାରିଥିବାରୁ ନଦୀ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ଗୋଟିଏ ପରେ ଗୋଟିଏ ବନ୍ଧ ତିଆରି କରି ସମ୍ପୂର୍ଣ୍ଣ ଭାବେ ପାଣିକୁ ଅଟକାଇ ଦେଇଛି ଛତିଶଗଡ଼। ବନ୍ଧ ଉଛୁଳି ଯାହା ପାଣି ଆସୁଥିଲା, ଖରା ଯୋଗୁଁ ସେତକ ବି ଆଉ ଆସୁନାହିଁ। ଯାହାର ପ୍ରଭାବରେ ଓଡ଼ିଶାର ଦୁଇ ପ୍ରମୁଖ ଜିଲ୍ଲା ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ୭୦ କିଲୋମିଟର ବ୍ୟାପୀ ଇବ୍‌ ଏବେ ଜଳଶୂନ୍ୟ। ଫେବ୍ରୁଆରିରେ ନଦୀ ମରୁଭୂମିର ଭ୍ରମ ସୃଷ୍ଟି କରୁଥିବାବେଳେ ଆଗକୁ ଖରାରେ ସ୍ଥିତି ଅଧିକ ଗମ୍ଭୀର ହେବାର ଆଶଙ୍କା ପ୍ରକାଶ ପାଇଛି।

Advertisment

publive-image

୨୦୦୭ରୁ ନଦୀକୁ କବ୍‌ଜା କରିବାରେ ଲାଗିଛନ୍ତି ଛତିଶଗଡ଼ ସରକାର। ଉପରମୁଣ୍ଡ‌ରେ ବନ୍ଧ ପରେ ବନ୍ଧ ବାନ୍ଧି ଇବ୍‌ ପାଣିକୁ ଅଟକାଇ ରଖିବାରେ ଦମ୍ଭ ଦେଖା‌ଇଛନ୍ତି। ୨୦୦୭ରେ ଛତିଶଗଡ଼ ଜଳସମ୍ପଦ ବିଭାଗ କୁନକୁରିଠାରୁ ୩୦ କିଲୋମିଟର ଦୂର ଗୁଲ୍ଲୁଠା‌ରେ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ଶେଷକରିବା ପରେ ବେନେଠାରେ ଜଳସେଚନ ପ୍ରକଳ୍ପ ଓ ଶେଷକୁ ଓଡ଼ିଶା ସୀମାରୁ ୨୦ କିଲୋମିଟର ଦୂର ସମଡମାଠାରେ ୧୫ କୋଟି ବ୍ୟୟରେ ଏକ ଆନିକଟ ନିର୍ମାଣ କରିଛି। ୩ଟି ପ୍ରକଳ୍ପରେ ଛତିଶଗଡ଼ର ଯଶପୁର ଜିଲ୍ଲାର ବହୁ ଅଞ୍ଚଳ ଶସ୍ୟଶ୍ୟାମଳ ହୋଇଥିବାବେଳେ ଗୁଲ୍ଲୁ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ କରି ନିଜ ପାରିବାପଣିଆ ଦେଖାଇଛି ପଡ଼ୋଶୀ ରାଜ୍ୟ। ହେଲେ ବିଡ଼ମ୍ବନାର ବିଷୟ , ଇବ୍‌ ଉପରେ ସଂପୂର୍ଣ୍ଣ କବଜା କରିବାଲାଗି ଛତିଶଗଡ଼ର ଏ ଚକ୍ରାନ୍ତ ସମ୍ପର୍କରେ ଜାଣି ମଧ୍ୟ ସାମାନ୍ୟତମ ପ୍ରତିବାଦ ବା ଆପତ୍ତି ଉଠାଇ ନାହାନ୍ତି ଓଡ଼ିଶା ସରକାର।

publive-image

ଖାଲି ସେତିକି ନୁହେଁ, ଓଡ଼ିଶା ପଟ ନଦୀରେ ଏଯାଏଁ ଗୋଟିଏ ହେଲେ ବନ୍ଧ ବି ତିଆରି କରିପାରି ନାହାନ୍ତି। ବର୍ଷା ଦିନେ ନଦୀରେ ଯାହା ପାଣି ବହି ଆସେ, ସେଥିରେ ସୁନ୍ଦରଗଡ଼ ଜିଲ୍ଲା ୫ ପ୍ରମୁଖ ବ୍ଲକ୍‌ ବାଲିଶଙ୍କରା, ସବଡ଼େଗା, ସୁନ୍ଦରଗଡ଼, ଟାଙ୍ଗରପାଲି, ଲେଫ୍ରିପଡ଼ା ସମେତ ସୁନ୍ଦରଗଡ଼ ସହର ଓ ଝାରସୁଗୁଡ଼ାବାସୀ ନିର୍ଭର କରନ୍ତି। ହେଲେ ଛତିଶଗଡ଼ ବନ୍ଧ ଏସବୁ ଅଞ୍ଚଳ ପାଇଁ ଚିନ୍ତାର କାରଣ ହୋଇଛି।