ଅଧାରେ ଅଟକିଛି ଗଇଲୋ ଇବ୍‌ନଦୀ ସେତୁ : ଅବଧି ଶେଷ ହେବାର ଆଠମାସ ବିତିଲାଣି; କାମ ସରୁନି

ସବଡ଼େଗା (ସୁନ୍ଦରଗଡ଼): ସବଡ଼େଗା ନିକଟ ରାଜପୁରଠାରେ ଇବ୍‌ ନଦୀ ଉପରେ ନିର୍ମାଣାଧୀନ ଗଇଲୋ ସେତୁର ନିର୍ମାଣ ଅବଧି ୮ମାସ ପୂରିବାକୁ ବସିଲାଣି କିନ୍ତୁ ସେତୁ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଛି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେତୁ କାର୍ଯ୍ୟ ଶେଷ ହେଲେ ଗମନାଗମନ ସୁବିଧା ପାଇବା ନେଇ ଅଞ୍ଚଳବାସୀ ଯେଉଁ ଆଶାବାନ୍ଧି ଥିଲେ ହେଁ ଏବେ ତାହା ଦୂରେଇ ଯାଉଛି। ଲୋକେ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ ସେତୁ ନିର୍ମାଣ ବିଳମ୍ବର କାରଣ ଗ୍ରାମ୍ୟଉନ୍ନୟନ ବିଭାଗ ବିଭିନ୍ନ ଆଳ ଦେଖାଇ ନିରବତା ଅବଲମ୍ବନ କରୁଥିବାରୁ ଅ‌ଳବାସୀଙ୍କୁ ମର୍ମାହତ କରିଛି।

ରାଜ୍ୟ ସରକାର ଗମନାଗମନର ସୁବିଧା ଯୋଗାଇ ଦେବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗଇଲୋ ନଦୀ ଘାଟରେ ୨୦୧୮ରେ ଏକ ଠିକା ସଂସ୍ଥାକୁ ଦାୟିତ୍ବ ଅର୍ପଣ କରିଥିଲେ। ଗଇଲୋ ଘାଟରୁ କୁକୁରିଡିହି ନଦୀ ଘାଟ ପ୍ରର୍ଯ୍ୟନ୍ତ ନିର୍ମିତ ହେଉଥିବା ଗଇଲୋ ସେତୁ ଅବଧିର ୮ମାସ ପୂରିଯାଇ ଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଭୂମିରୁ ଉଠିପାରୁନି। ଯାହା ଫଳରେ ସେତୁଟି ସଂପୂର୍ଣ୍ଣ ଭାବରେ ଦିଗହରା ହୋଇଛି। ଅସାଧୁ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଓ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ନିର୍ମାଣ କାର୍ଯ୍ୟ ଶେଷ ହେବା ପରିବର୍ତ୍ତେ ଘୁଞ୍ଚିଘୁଞ୍ଚି ଯାଉଛି।

ସେତୁ ନିର୍ମାଣ ପାଇଁ ରାଜଲକ୍ଷ୍ମୀ କନଷ୍ଟ୍ରକସନ ଠିକା ସଂସ୍ଥା ୨୧. ୦୮.୨୦୧୭ରେ ଚୁକ୍ତି କରିଥିଲା। ସେତୁ ନିର୍ମାଣ ଶେଷ ଅବଧି ୨୦. ୦୨.୨୦୨୦ ରଖାଯାଇଥିଲା। ୨୩କୋଟି ୨୫ଲକ୍ଷ ୪୧ ହଜାର ୬ଶହ ୯୯ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ସେତୁ ଇତି ମଧ୍ୟରେ ଶେଷ ଅବଧି ୮ମାସ ପୂରିଯାଇ ଥିଲେ ମଧ୍ୟ ସେତୁର ନିର୍ମାଣ ଶେଷ ହୋଇ ପାରିନି। ସେତୁ ନିର୍ମାଣ ଶେଷ ହେଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଦି ପାଉଛି। କିଛିଦିନ ପୂର୍ବେ ଉକ୍ତ ସେତୁର ଗୋଟିଏ ଉପର ପିଲରରେ ଫାଟଦେଖା ଯିବା ଫଳରେ ଯାହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ନିର୍ମାଣ ଦାୟିତ୍ବ ନେଇଥିବା ଠିକାସଂସ୍ଥା ରାଜଲକ୍ଷ୍ମୀ କନଷ୍ଟ୍ରକସନ ସଠିକ ଭାବେ କାର୍ଯ୍ୟ କରୁନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେତୁ କାର୍ଯ୍ୟ ନିର୍ମାଣରେ ବିଳମ୍ବ ହେଉଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଏହାକୁ ଅସ୍ବୀକାର କରିବା ସହ ଅନ୍ୟାନ୍ୟ ବିଭିନ୍ନ ସମସ୍ୟାରୁ ସେତୁ ନିର୍ମାଣରେ ବିଲମ୍ବ ଘଟୁଛି ବୋଲି ସଫେଇ ଦେଇଥିଲେ। ।

ସମ୍ବନ୍ଧିତ ଖବର