ଓଡ଼ିଶାରେ ବିପର୍ଯ୍ୟୟ ପ୍ରତିରୋଧ ଗୃହ ନିର୍ମାଣ ପାଇଁ ଦୀର୍ଘମିଆଦୀ ସମାଧାନ ଆବଶ୍ୟକ :  ଆଇସିସି ସେମିନାରରେ ବିଶେଷଜ୍ଞଙ୍କ ମତ

ଭୁବନେଶ୍ୱର: ବିପର୍ଯ୍ୟୟ ପ୍ରବଣ ଅଂଚଳଗୁଡ଼ିକରେ ଦୀର୍ଘମିଆଦୀ ପଦକ୍ଷେପ ସ୍ୱରୂପ, ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ହେଉଛି ସମୟର ଆହ୍ୱାନ ବୋଲି ରାଜ୍ୟ ଉନ୍ନୟନ କମିସନର ତଥା ସ୍ୱତବ ରିଲିଫ୍ କମିସନର ପି. କେ. ଜେନା କହିଛନ୍ତି । ସେ କହିଛନ୍ତି ଯେ ଆମକୁ ଦୀର୍ଘମିଆଦୀ ସମାଧାନ ଦରକାର । ଘର ତିଆରି କରିବା ବେଳେ ସବୁ ସୁରକ୍ଷା ଓ ପ୍ରତିରୋଧୀ ବ୍ୟବସ୍ଥାକୁ ନଜର ରଖିବା ଲାଗି ସେ ଲୋକମାନଙ୍କୁ ଆହ୍ୱାନ ଦେଇଥିବା ବେଳେ ସୌନ୍ଦର୍ଯ୍ୟକରଣରେ ଟଙ୍କା ବରବାଦ ନକରିବାକୁ କହିଛନ୍ତି । ସରକାରୀ ସହାୟତାର ହାଉସିଂ କାର୍ଯ୍ୟକ୍ରମ ଓ ସରକାରୀ କୋଠାଗୁଡ଼ିକ ମଧ୍ୟ ବିପର୍ଯ୍ୟୟ ପ୍ରତିରୋଧକତା ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଛନ୍ତି ।

ଇଣ୍ଡିଆନ୍ ଚାମ୍ବର ଅଫ କମର୍ସ (ଆଇସିସି) ତରଫରୁ “ବିପର୍ଯ୍ୟୟ ପରବର୍ତୀ: ଓଡ଼ିଶାର ଉପକୂଳରେ ବାତ୍ୟା ପ୍ରତିରୋଧର ଗୃହ ନିର୍ମାଣ-ସୁଲଭ ବାସଗୃହ ଉପରେ ଗୁରୁତ୍ୱ’ ବିଷୟବସ୍ତୁ ଉପରେ ଭର୍ଚୂଆଲ୍ ପ୍ଲାଟଫର୍ମରେ ଆୟୋଜିତ ହୋଇଥିବା ଏକ ୱେବିନାରରେ ସ୍ୱତବ ରିଲିଫ୍ କମିସନର ଆହ୍ୱାନ ଦେଇ ରାଜ୍ୟର ସମସ୍ତ ବିପର୍ଯ୍ୟୟ ପ୍ରଭାବିତ ବ୍ଲକ୍ରେ “ଗୃହ ସହାୟତା ସେବା ହବ୍’ର ଆବବଶ୍ୟକତା ଥିବା କହିଛନ୍ତି । ଏହି ହବ୍ ପ୍ରଯୁକ୍ତି ସହାୟତା ପ୍ରଦାନ କରିବ, ବ୍ୟାଙ୍କ ଓ ମାଇକ୍ରୋଫାଇନାନ୍ସ ସଂସ୍ଥା ସହ କ୍ରେଡିଟ୍ ଲିଙ୍କେଜ୍ ନିଶ୍ଚିତ କରିବ ଏବଂ ରାଜମିସ୍ତ୍ରୀ ଓ ଇଞ୍ଜିନିୟର ପେସାରେ ଥିବା ଲୋକମାନଙ୍କ ଦକ୍ଷତାରେ ବୃଦ୍ଧି ଭଳି ସୁବିଧା ପ୍ରଦାନ କରିବ ବୋଲି ସେ କହିଛନ୍ତି ।

ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମିନା କହିଛନ୍ତି ଯେ ଘର ତିଆରି ବେଳେ ସୁରକ୍ଷା ବିଷୟକୁ ଗୁରୁତ୍ୱ ଦେବା ଏବଂ ଯେଉଁଠାରେ ସମ୍ଭବ ସେଥିରେ ସ୍ୱଚ୍ଛତା ଓ ବର୍ଷା ଜଳ ସଂରକ୍ଷଣ ଭଳି ବ୍ୟବସ୍ଥା ଯୋଡ଼ିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଏକ ଆନ୍ଦୋଳନର ଆବଶ୍ୟକତା ରହିଛି । ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ନିର୍ମାଣ ପାଇଁ ସୁଧ ଛାଡ଼କୁ ଏକ ପ୍ରୋତ୍ସାହନ ଭାବେ ସରକାର ବିଚାର କରିପାରିବେ । ସୁଲଭ ବାସଗୃହ କ୍ଷେତ୍ର ଲାଗି ଅଭିନବ ଉତ୍ପାଦ ଜରିଆରେ ପ୍ରମୁଖ ଭୂମିକା ନିର୍ବାହ କରିବା ଲାଗି ସେ ମାଇକ୍ରୋଫାଇନାନ୍ସ ସମେତ ଆର୍ଥିକ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ।

ସମ୍ବନ୍ଧିତ ଖବର