ଭୁବନେଶ୍ବର : ଦେଶରେ ପ୍ରଥମଥର ଲାଗି ଇଣ୍ଡିଆନ ଚାମ୍ବର ଅଫ କମର୍ସ ବା ଆଇସିସି ସହାୟତାରେ ମହିଳା ଉଦ୍ୟୋଗୀଙ୍କୁ ନେଇ ଆଇସିସି ମହିଳା ଉଦ୍ୟୋଗୀ କମିଟି (ଆଇଡବ୍ଲ୍ୟୁଇସି) ଗଠନ କରାଯାଇଛି। ଏହି କମିଟି ପକ୍ଷରୁ ଏକ ମହିଳା ଲିଡରସିପ୍ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି। ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତଏହି କାର୍ଯ୍ୟକ୍ରମରେ ୧୦୦ଜଣ ମହିଳା ଉଦ୍ୟୋଗୀ ଏକାଠି ହୋଇଥିଲେ। ଏଥିରେ ଆଗାମୀ ଦିନରେ କିଭଳି ଅଧିକରୁ ଅଧିକ ମହିଳାଙ୍କୁ ଉଦ୍ୟୋଗୀ କରାଯାଇ ପାରିବ ଏବଂ ଏଥିପାଇଁ କି ପଦକ୍ଷେପ ନିଆଯାଇ ପାରିବ ସେ ସଂପର୍କରେ ଆଲୋଚନା କରାଯାଇ ଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ମହିଳା ଉଦ୍ୟୋଗୀଙ୍କ ବିକାଶ ଲାଗି ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଇସିସି ମହିଳା ଉଦ୍ୟୋଗୀ କମିଟି ବା ଆଇଏବ୍ଲ୍ୟୁଇସି ହୋଇପାରିଛି। ଏହି କମିଟିରେ ରାଜ୍ୟର ବିଭିନ୍ନ କ୍ଷେତ୍ରର ବୃହତ ଓ କ୍ଷୁଦ୍ର ମହିଳା ଉଦ୍ୟୋଗୀ ରହିଛନ୍ତି। ମହିଳା ସଶକ୍ତୀକରଣକୁ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ମିସନ ଶକ୍ତି, ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍ଡ ଇନ ଓଡ଼ିଶା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ‘ମେକ୍ ଇନ ଓଡ଼ିଶା’ ଜରିଆରେ ପୁଞ୍ଜିନିବେଶ ସହିତ ଅର୍ଥନୈତିକ ବିକାଶ ପାଇଁ ସରକାର ପ୍ରଚେଷ୍ଟା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆଇଡବ୍ଲୁଇସିର ଆବାହକ ସୁକ୍ରୀତି ପଟ୍ଟନାୟକ କହିଲେ, ରାଜ୍ୟରେ ଯେଉଁ ମହିଳା ଉଦ୍ୟୋଗୀ ରହିଛନ୍ତି ସେମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହା ଜରିଆରେ ମହିଳା ଉଦ୍ୟୋଗୀ ବିଶେଷକରି ଗ୍ରାମାଞ୍ଚଳରେ ରହୁଥିବା ମହିଳା ଉଦ୍ୟୋଗୀଙ୍କ କିଭଳି ବିକାଶ ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯିବ। ମହିଳା ଉଦ୍ୟୋଗୀଙ୍କ ଭିତରେ ବିଶ୍ବାସ ଆଣିବା ସହିତ ଅଧିକରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବା ହେଉଛି ଏହି କମିଟିର ମୁଖ୍ୟ ଲକ୍ଷ୍ୟ। ଆଗାମୀ ଦିନରେ ଏଥିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ସାମିଲ୍ କରାଯିବ। ରାଜ୍ୟ ସରକାରଙ୍କ ସହ ମିଶି ସଫଳ ମହିଳା ଉଦ୍ୟୋଗୀଙ୍କ କାହାଣୀ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।
ଏହି ଅବସରରେ ରାଜ୍ୟର ୪୦ଜଣ ମହିଳା ଉଦ୍ୟୋଗୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଇସିସି ଡାଇରେକ୍ଟର ଜେନେରାଲ ରାଜୀବ ସିଂ, ଆଇସିସି ଓଡ଼ିଶା କାଉନସିଲ ଅଧ୍ୟକ୍ଷ ଏମ୍.ସି ଥୋମାସ, ସହ ଅଧ୍ୟକ୍ଷ ଜେ.ବି ପାଣି ପ୍ରମୁଖ ଉପସ୍ଥିତ ଥିଲେ। ସହ ଆବାହକ ଚିଦାତ୍ମିକା ଖଟୁଆ ଧନ୍ୟବାଦ ଦେଇଥିଲେ।
ପରେ ଅନୁଷ୍ଠିତ ଅଧିବେଶନରେ ବ୍ଲଜମ କୋଚର ଗ୍ରୁଫ ଅଫ କମ୍ପାନିଜ୍ର ପରିଚାଳନା ନିର୍ଦେଶିକାଙ୍କ ଆଇଡବ୍ଲୁଇସିର କୋର ସଦସ୍ୟା ମୋନାଲିସା ବଳ ଆଲୋଚନା କରିଥିଲେ। ସେହିପରି ଅଭିନେତ୍ରୀ ମୁଗ୍ଧା ଗଡସେ, ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଶାଲୁ ଏଲ ଚାଣ୍ଡେଲ, ବ୍ୟୁଟି ଇସ୍ପେସ୍ ମିଡିଆ ଲିମିଟେଡ୍ର ଏଡିଟର ଇନ୍ ଚିଫ୍ ଋତୁ ଝା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନରେ ପ୍ରାରମ୍ଭିକ ମନ୍ତବ୍ୟ ରଖିଥିଲେ ଆଇଡବ୍ଲ୍ୟୁଇସିର କୋର ସଦସ୍ୟା ତନୟା ପଟ୍ଟନାୟକ। ଶେଷରେ ଆଇଡବ୍ଲୁଇସିର କୋର ସଦସ୍ୟା ସୁନିତା ମହାନ୍ତି ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/icc.jpg)