ଲେଫ୍ରିପଡ଼ା, (ସୁଧାକର ପାଣ୍ଡେ) : ଇବ୍ର ଉପନଦୀ ‘ଇଚ୍ଛା’ ଏବେ ମୃତପ୍ରାୟ। ଏକଦା ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଲେଫ୍ରିପଡ଼ା ଓ ଟାଙ୍ଗରପାଲି ବ୍ଲକ୍ର ୧୦ଟି ପଞ୍ଚାୟତର ପ୍ରାୟ ୫୦ ଗାଁ ପାଇଁ ଜୀବନରେଖା ସାଜିଥିବା ଏହି ନଦୀ ଏବେ କେବଳ ଶୁଷ୍କରେଖାର ରୂପ ନେଇସାରିଛି। ଦୀର୍ଘ ୭୦ କିମିରୁ ଅଧିକ ପଥଦେଇ ପୂର୍ବଦିଗକୁ ପ୍ରବାହିତ ନଈଟି ବିଲେଇଗଡ଼-ଯମୁନାଢିପା ନିକଟରେ ଇବ୍ ସହିତ ମିଶିଛି। ହେଲେ, ଏବେ ଏହାର ଭୌଗୋଳିକ ରୂପରେ ବିରାଟ ପରିବର୍ତ୍ତନ ହୋଇସାରିଛି। କାହିଁ କେଉଁଠି ଛୋଟିଆନାଳ ଭଳି ଦୃଶ୍ୟମାନ ହେଉଥିବାବେଳେ ପ୍ରାୟତଃ ପଥର, ଘାସବୁଦାରେ ନଦୀ ପୋତିଗଲାଣି। ଫଳରେ ନଦୀକୂଳବାସୀଙ୍କ ଜୀବନଜିବୀକା ଉପରେ ଏହାର ଘୋର ପ୍ରଭାବ ଦେଖିବାକୁ ମିଳିଛି।
ଲେଫ୍ରିପଡ଼ା ବ୍ଲକ୍ର ଡୁମାବାହାଲ ପଞ୍ଚାୟତ ଅନ୍ତର୍ଗତ ସିପୋକଚ୍ଛାର ଗ୍ରାମର ଏକ ପାହାଡ଼ି ଘାଟୀରୁ ଜନ୍ମନେଇଛି ଇଚ୍ଛାନଦୀ। ତେବେ ଜନ୍ମସ୍ଥଳୀରୁ ମାତ୍ର ୧୦୦ ମିଟର ପରେ ପରେ ବର୍ତ୍ତମାନ ନଦୀର ସ୍ରୋତ ୩ କି.ମି. ପର୍ଯ୍ୟନ୍ତ ଶୁଖିଲା ପଡ଼ିଛି। ଏହାର ମୁଖ୍ୟ କାରଣ ଏହା ନିକଟରେ ଏମ୍ସିଏଲ୍ର ବିଶାଳ କୋଇଲା ଖଣି। କୋଇଲାଖଣି ପ୍ରଭାବରେ ଅଞ୍ଚଳର ଭୂତଳଜଳ ନିମ୍ନଗାମୀ ହୋଇଛି। ତେବେ ଇଚ୍ଛାନଦୀ ପ୍ରବାହର ପ୍ରାୟ ୧୦ କିମି ପରେ ତେଲେନଡିହିଠାରେ ଏକ ନାଳ ଓ ଉତ୍ତର ପଟୁ ଛେଦଲଗନ ନାଳ ଆସି ମିଶିଛି। ସେଠାରୁ ପାଣି ଧାର ଟିକିଏ ବୃଦ୍ଧିପାଇଛି। ଏହି ଇଚ୍ଛାନଦୀ ଲେଫ୍ରିପଡ଼ା ବ୍ଲକ୍ର ସରଫଗଡ଼, ଡୁମାବାହାଲ, ଲେଫ୍ରିପଡ଼ା, ଛଟେନପାଲି ଝୁରିମାଲ, ସର୍ଗିପାଲି ଏବଂ ବଡ଼ବଙ୍ଗା ପଞ୍ଚାୟତର ଅନେକ ଗ୍ରାମବାସୀଙ୍କ ପାଇଁ ଜୀବନରେଖା ସାଜିଥିବାବେଳେ ଟାଙ୍ଗରପାଲି ବ୍ଲକର ଉଜ୍ଜ୍ବଳପୁର, ନିଆଳିପାଲି, କିରିପସିରା, ଯୋଗୀମାଲ ପଞ୍ଚାୟତର ଅନେକ ଗ୍ରାମ ଏହି ନାଳ ପାଣି ଉପରେ ନିର୍ଭର କରିଆସୁଥିଲେ। ଗାଧୋଇବାଠାରୁ ଆରମ୍ଭ କରି ଚାଷବାସ, ପାନୀୟଜଳ ଏବଂ ଗାଈଗୋରୁଙ୍କ ପାଇଁ ଏହି ନାଳ ପାଣି ଯୋଗାଇ ଆସୁଥିବା ବେଳେ ସଂପ୍ରତି ଏହାର ସ୍ରୋତ ଶୁଷ୍କପ୍ରାୟ ହୋଇପଡ଼ିଛି। ଫଳରେ ଆଖପାଖ ଇଲାକାର ଭୂତଳ ଜଳସ୍ତର ବିଶେଷଭାବେ ହ୍ରାସ ପାଉଛି।
/sambad/media/post_attachments/wp-content/uploads/2022/07/river-3-750x360.jpg)
ଜଳ ଅଭାବରୁ ପ୍ରାକୃତିକ ସ୍ଥିତି ମଧ୍ୟ ଦିନକୁ ଦିନ ବଦଳି ଯାଉଛି। ନାଳ ତଟବାସୀ ୫୦ରୁ ଅଧିକ ଗାଁର ଲୋକେ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହାଛଡ଼ା ସୁର୍ଗୁଡ଼ା ଇଚ୍ଛା କ୍ଷୁଦ୍ର ସେଚପ୍ରକଳ୍ପ ମଧ୍ୟ ଯଥେଷ୍ଟ ପାଣି ପାଉନାହିଁ। ଅନ୍ୟପକ୍ଷରେ ତେଲେନଡିହି, ଗିରିଙ୍ଗକେଲା, ସୁର୍ଗୁଡ଼ା, ସର୍ଗିପାଲି, ସୁର୍ଡା ଅଞ୍ଚଳରେ ଅନେକ ମତ୍ସ୍ୟଜୀବୀ ପରିବାର ଏହି ନଦୀ ଉପରେ ନିର୍ଭରକରି ନିଜର ଜୀବିକା ନିର୍ବାହ କରୁଥିଲେ। ଏବେ ନଦୀରେ ପାଣି ନ ଥିବାରୁ କୌଳିକ କାର୍ଯ୍ୟରୁ ସେମାନେ ଦୂରେଇ ଗଲେଣି। ଏପରିକି ତେଲେନଡିହି, ଗିରିଙ୍ଗକେଲା ଅଞ୍ଚଳରେ ‘ଝରା’ ନାମକ ଏକ ସଂପ୍ରଦାୟ ବସବାସ କରିବା ସହିତ ଇଚ୍ଛାନଦୀର ବାଲିରୁ ସୁନା ସଂଗ୍ରହ କରୁଥିଲେ। ହେଲେ ଏବେ ନଦୀସ୍ରୋତ ବନ୍ଦ ହେବା ଦ୍ବାରା ନା ପାଣି ଅଛି ନା ବାଲି। ଫଳରେ ସେମାନେ ମଧ୍ୟ ଏବେ ବିକଳ୍ପ ଜୀବିକା ସନ୍ଧାନରେ।
୧୯୮୫ ମସିହାରେ ଇଚ୍ଛାର ଉପନାଳ ଭାବେ ପରିଚିତ ଛେଦଲଗନ ନାଳ ଉପରେ ସରଫଗଡ଼ ନିକଟରେ ଏକ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଗଲା ପରେ ବି ଏହାର ଜଳସ୍ରୋତ ହ୍ରାସ ପାଇଛି । ଏହି ପ୍ରକଳ୍ପ ଦ୍ବାରା ମାତ୍ର ୫ଟି ଗାଁ ଲାଭବାନ ହୋଇଥିବା ବେଳେ ନଦୀତଳର ୫୦ ଗ୍ରାମ ପ୍ରଭାବିତ। ସୁର୍ଗୁଡ଼ାଠାରେ କ୍ଷୁଦ୍ରସେଚ ବିଭାଗ ପକ୍ଷରୁ ଡାଇଭର୍ସନ ଡ୍ୟାମ୍ ନିର୍ମାଣ ହୋଇଛି। ସେହିଭଳି ବଡ଼ଗାଁ ମାଲ ନାଳ ଉପରେ ଏକ ଡ୍ୟାମ୍ ନିର୍ମାଣ ହେବାରୁ ସେପଟୁ ମଧ୍ୟ ପାଣି ଆଉ ଇଚ୍ଛାରେ ପଡ଼ିପାରୁନି। ବିଶେଷକରି, ପାହାଡ଼ିଆ ଘାଟୀ ଇଲାକାରୁ ଆସି ଇଚ୍ଛାରେ ମିଶିଥିବା ସଂଖ୍ୟାଧିକ ନାଳ ଉପରେ ବିଭିନ୍ନ ଡ୍ୟାମ୍ ଓ ଚେକ୍ ଡ୍ୟାମ୍ ନିର୍ମାଣ ହେବାରୁ ନଦୀସ୍ରୋତ ହ୍ରାସ ପାଇବା ସ୍ବାଭାବିକ। ତେବେ, ଏହିସବୁ କାରଣ ପାଇଁ ଅନେକ କିମ୍ବଦନ୍ତୀ ବହନ କରିବା ସହିତ ହଜାର ହଜାର ପରିବାରଙ୍କୁ ଦାନା ଯୋଗାଇ ଆସୁଥିବା ଇଚ୍ଛାନଦୀ ଏବେ ମୃତ ପ୍ରାୟ ପଡ଼ିରହିଛି।
ଅନ୍ୟପକ୍ଷରେ, ଏହାର ଆବଶ୍ୟକ ଖନନ ଓ ପୁନରୁଦ୍ଧାର ଆବଶ୍ୟକ ରହିଥିଲେ ସୁଦ୍ଧା ପ୍ରାଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ନ ଦେଲେ ଖୁବ୍ଶୀଘ୍ର ସୁନ୍ଦରଗଡ଼ ଭୂଗୋଳରୁ ଇଚ୍ଛା ଅଦୃଶ୍ୟ ହୋଇଯିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/river.jpg)