କଳାକାରଙ୍କ ସହ ହଇରାଣ ହେବେ ବିଦେଶୀ ଛାତ୍ରଛାତ୍ରୀ
ଅନୁଧ୍ୟାନ କରାଯିବ: ସଂସ୍କୃତି ମନ୍ତ୍ରୀ
ମୁହଁ ଖୋଲୁ ନାହାନ୍ତି ଆଇସିସିଆର୍‌ କର୍ତ୍ତୃପକ୍ଷ

Advertisment

ଭୁବନେଶ୍ବର : ‘ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ(ଆଇସିସିଆର୍‌)’ର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟକୁ ଜୁଲାଇ ପହିଲାରେ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି। ଏହି ଖବର ସାମ୍ନାକୁ ଆସିବା ପରେ ସାଂସ୍କୃତିକ ଜଗତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ଆଞ୍ଚଳିକ କାର୍ଯ୍ୟାଳୟ କୋଲକାତା ସ୍ଥାନାନ୍ତର ହୋଇଯିବା‌ ଫଳରେ ଓଡ଼ିଶାର କଳାକାରମାନଙ୍କଠାରୁ ଆରମ୍ଭ କରି ଆଇସିସିଆର୍‌ ଅଧୀନରେ ଓଡ଼ିଶାରେ ଶିକ୍ଷା ପାଉଥିବା ବିଦେଶୀ ଛାତ୍ରଛାତ୍ରୀ ଅସୁବିଧା ଭୋଗିବେ। ଛୋଟ ଛୋଟ କାମରେ କୋଲକାତା ଦୌଡ଼ିବାକୁ ପଡ଼ିବ। ଅନ୍ୟପଟେ, ପୂର୍ବ ଭାରତର ସାଂସ୍କୃତିକ ମାନଚିତ୍ରରେ ଓଡ଼ିଶାର ସ୍ଥାନ ସ୍ବତନ୍ତ୍ର। ଓଡ଼ିଶାର ନିଜର ନୃତ୍ୟ ‘ଓଡ଼ିଶୀ’, ଏହାର ନିଜର ସଙ୍ଗୀତ ଓଡ଼ିଶୀ ସଙ୍ଗୀତ, ପାଲା, ଦାସକାଠିଆ ଆଦି ବହୁ ‌ନିଜସ୍ବ ଲୋକକଳା ରହିଥିବା ବେଳେ ଏଠାରେ ଜୋନାଲ କାର୍ଯ୍ୟଳୟ ନ ହେଲା ନାହିଁ, ଆଞ୍ଚଳିକ କାର୍ଯ୍ୟାଳୟଟିଏ କାହିଁକି ରହିବ ନାହିଁ ବୋଲି ସାଂସ୍କୃତିକ ମହଲରେ ପ୍ରଶ୍ନ ଉଠୁଛି।

୨୦୧୮ ମସିହାରେ ଆଇସିସିଆର୍‌ର ଏପରି ନିଷ୍ପତ୍ତିକୁ ଭୀଷଣ ବିରୋଧ କରାଗଲା ପରେ ତାହା ସ୍ଥଗିତ ରହିଥିଲା। ଏବେ ପୁଣି ଥରେ କର୍ତ୍ତୃପକ୍ଷ ସେହି ନିଷ୍ପତ୍ତି ନେଇ ଓଡ଼ିଶାର ଭାବାବେଗ ପ୍ରତି କୁଠାରଘାତ କରିଛନ୍ତି ବୋଲି ମତପ୍ରକାଶ ପାଇଛି। କାର୍ଯ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇ କେନ୍ଦ୍ର ସରକରା ତ ଅବିଚାର କରିଛନ୍ତି। ତାହା ସହ ଆହୁରି ଚିନ୍ତାଜନକ ବିଷୟ ହେଉଛି ରାଜ୍ୟ ସରକାରଙ୍କ ବେପରୱା ଆଭିମୁଖ୍ୟ। ମେ’ ୧୮ ତାରିଖରୁ ସଂସ୍କୃତି ବିଭାଗକୁ ଆଇସିସିଆର୍‌ କର୍ତ୍ତୃପକ୍ଷ ଲିଖିତ ଭାବେ ଅବଗତ କରାଇଥିଲେ ମଧ୍ୟ ସରକାର ଏ ଦିଗରେ କୌଣସି ତତ୍ପରତା ପ୍ରକାଶ କରିନାହାନ୍ତି। ନୂଆ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର ଏ ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ଆଜି କହିଛନ୍ତି। ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ତେବେ ଏହି ପ୍ରସଙ୍ଗ ଉପରେ ଆଇସିସିଆର୍‌ କର୍ତ୍ତୃପକ୍ଷ ରହସ୍ୟଜନକ ଭାବେ ନିରବତା ଅବଲମ୍ବନ କରୁଛନ୍ତି।

publive-image

କଳା ସଂସ୍କୃତିର ପ୍ରଚାରପ୍ରସାର ଆଇସିସିଆର୍‌ର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ରାଜ୍ୟରେ ଲୋକକଳାକୁ ଉଜ୍ଜୀବିତ ରଖିବା, ଲୁପ୍ତପ୍ରାୟ ଲୋକକଳାର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ଖୋଲିଥିଲା ଆଇସିସିଆର୍‌ର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ। ଏଥିସହ ଅନୁନ୍ନତ ରାଷ୍ଟ୍ରରୁ ପିଲାମାନଙ୍କୁ ଆଣି ଓଡ଼ିଶାରେ ଶିକ୍ଷାଦାନ ବ୍ୟବସ୍ଥା କରିବା ମଧ୍ୟ ଏହି କାର୍ଯ୍ୟାଳୟର ଅନ୍ୟତମ ପ୍ରମୁଖ କାର୍ଯ୍ୟ। ଏହାଦ୍ବାରା ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନର ପ୍ରଚାରପ୍ରସାର ହୋଇପାରୁଛି। ଏବେ କଟକ ରେଭେନ୍ସା ବିଶ୍ବିଦ୍ୟାଳୟ, ରାଉର‌କେଲା ଏନ୍‌ଆଇଟି ଆଦି ବହୁ ପ୍ରତିଷ୍ଠିତ ଅନୁଷ୍ଠାନରେ ଆଇସିସିଆର୍‌ ଅଧୀନସ୍ଥ ବିଦେଶୀ ଛାତ୍ରଛାତ୍ରୀମାନେ ଶିକ୍ଷାଗ୍ରହଣ କରୁଛନ୍ତି। ବର୍ତ୍ତମାନ ଓଡ଼ିଶାରେ ୧୪୭ରୁ ଅଧିକ ଆଇସିସିଆର୍‌ର ଛାତ୍ରଛାତ୍ରୀ ପଢ଼ୁଥିବ‌ା ବେଳେ ପାଠ୍ୟକ୍ରମ ଫି’ ସହ ସ୍ନାତକ ଛାତ୍ରଛାତ୍ରୀଙ୍କୁ ମାସକୁ ୧୮ ହଜାର ଟଙ୍କା ଲେଖ‌ାଏଁ ଛାତ୍ରବୃତ୍ତି ପ୍ରଦାନ କରାଯାଉଥିବା ବେଳେ ସ୍ନାତକୋତ୍ତର ଛ‌ାତ୍ରଛାତ୍ରୀଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ସେମାନେ ଏଠାରେ ସାଂସ୍କୃତିକ ପାଠ୍ୟକ୍ରମ ବା ଅନ୍ୟ ଯେକୌଣସି ପାଠ୍ୟକ୍ରମକୁ ବାଛି ପାରନ୍ତି। ତେବେ ସେମାନଙ୍କର ସମସ୍ତ ସୁବିଧା ଅସୁବିଧା ଆଇସିସିଆର୍‌ ବୁଝୁଥିବା ବେଳେ ଆଞ୍ଚଳିକ କାର୍ଯ୍ୟାଳୟଟି କୋଲକାତା ସ୍ଥାନାନ୍ତର ‌ହୋଇଗଲେ ସେମାନେ ବାରମ୍ବାର ‌ସେଠାକୁ ଯିବାକୁ ପଡ଼ିବ। ଏଥିସହ ଓଡ଼ିଶା ତାଙ୍କୁ ମୁରବୀଶୂନ୍ୟ ଭଳି ପ୍ରତୀତ ହେବ।

କଳିଙ୍ଗ ସଂସ୍କୃତି, ଐତିହ୍ୟ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ କହିଛନ୍ତି, ୨୦୦୯ ମସିହାରେ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ଆଇସିସିଆର୍‌ର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିଥିଲା। ୨୦୧୫ ମସିହାରେ ଏହା ବନ୍ଦ ହେବାକୁ ବସିଥିବା ବେଳେ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ତତ୍‌କାଳୀନ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରାଯିବାରୁ ଏହି ବନ୍ଦ ହେଲାନାହିଁ। ସେହିବର୍ଷ ହିଁ ଏହି କାର୍ଯ୍ୟାଳୟକୁ ଭୁବନେଶ୍ବର ପଳାଶପଲ୍ଲୀକୁ ସ୍ଥାନାନ୍ତର କରାଗଲା। ପୁଣି ୨୦୧୮ ମସିହାରେ ଏହାକୁ ବନ୍ଦ କରିବାର ନିଷ୍ପତ୍ତି ହେଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ତାହା ସଫଳ ହୋଇନଥିଲା। ପୁଣି ଥରେ ଏହି କାର୍ଯ୍ୟାଳୟକୁ କୋଲକାତା ସ୍ଥାନାନ୍ତରର ମସୁଧା ହେଉଥିବା ବେଳେ ଏହା ଓଡ଼ିଶାର କଳା ଓ ସଂସ୍କୃତି ପ୍ରତି କେନ୍ଦ୍ର ସରକାରଙ୍କ କୁଠାରଘାତ ବୋଲି ଶ୍ରୀ ପାଇକରାୟ କହିଛନ୍ତି। ଏ ନିଷ୍ପତ୍ତିରୁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ଓ ଆଇସିସିଆର୍‌ ନିବୃତ୍ତ ନ ହେଲେ ଆଗାମୀ ଦିନରେ ଓଡ଼ିଶାରେ ବିଶାଳ ଜନ ଆନ୍ଦେଳନ କରାଯିବ ବୋଲି ସେ ଚେତାଇ ଦେଇଛନ୍ତି।

publive-image WordPress.com

ଏନେଇ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ କୁମ୍‌କୁମ୍‌ ମହାନ୍ତି କହିଛନ୍ତି, ଏହା କେନ୍ଦ୍ର ସରକାରଙ୍କର ଏକ ପଲିସି। ସେମାନେ ସାରା ଭାରତର ବିଭିନ୍ନ ଅଞ୍ଚଳକୁ ନେଇ ୫ ଜୋନ୍‌ କରାଯିବ। ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ, ଦକ୍ଷିଣାଞ୍ଚଳ, ଉତ୍ତରାଞ୍ଚଳ ଓ ଦିଲ୍ଲୀ ଜୋନ୍‌ ଆଦି ୫ଟି ଜୋନ୍‌ରେ ସମ୍ପୂର୍ଣ୍ଣ ଆଇସିସିଆର୍‌କୁ ପୁନଃଗଠିତ କରାଯିବ। କିନ୍ତୁ ଏହା ଦ୍ବାରା ଆଇସିସିଆର୍‌ ଅଧୀନରେ ଓଡ଼ିଶାରେ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀମାନେ ଅଧିକ କ୍ଷତିଗ୍ରସ୍ତ ହେବେ। ଏହି ଛାତ୍ରଛାତ୍ରୀମାନଙ୍କର କିଛି ଅସୁବିଧା ହେଲେ ଆଞ୍ଚଳିକ କାର୍ଯ୍ୟାଳୟରୁ ଜଣେ କର୍ତ୍ତୃପକ୍ଷ ଯାଇ ଏହି ସମସ୍ୟା ସମାଧାନ କରି ଦେଉଥିଲେ। କିନ୍ତୁ କାର୍ଯ୍ୟାଳୟ କୋଲକାତା ଚାଲିଗଲେ, ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ‌କୋଲକାତା ଜୋନାଲ୍‌ କାର୍ଯ୍ୟାଳୟକୁ ଜଣାଇବାକୁ ପଡ଼ିବ, ସେଠାରୁ ଜଣେ ଆସି ସମସ୍ୟା ସମାଧାନ କଲାବେଳକୁ ବହୁ ସମୟ ଚାଲିଯାଇଥିବ। ବିଦେଶୀ ପିଲାମାନେ ଓଡ଼ିଆ ମାଟିକୁ ଆସି ହଇରାଣ ହୋଇଯିବେ।
ଓଡ଼ିଶୀ ସଙ୍ଗୀତ ଗୁରୁ ପ୍ରଫେସର ରାମହରି ଦାସ ମଧ୍ୟ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଏହା ଦ୍ବାରା ଛାତ୍ରଛାତ୍ରୀମାନେ ଅଯଥାରେ ହଇରାଣ ହେବେ ବୋଲି ସେ କହିଛନ୍ତି।