ସ୍ଥାନାନ୍ତର ହେବନି ଆଇସିସିଆର୍‌ ଅଫିସ୍‌

ଭୁବନେଶ୍ୱର : ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଫର୍‌ କଲ୍‌ଚରାଲ୍‌ ରିଲେସନ୍‌(ଆଇସିସିଆର୍‌)ର ଓଡ଼ିଶାସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ କୋଲ୍‌କାତାକୁ ସ୍ଥାନାନ୍ତର ହେବ ନାହିଁ। ପୂର୍ବ ପରି ଭୁବନେଶ୍ୱରରେ ଏହା କାର୍ଯ୍ୟ ଜାରି ରଖିବ। ଆଇସିସିଆର୍‌ ଅଧ୍ୟକ୍ଷ ତଥା ସାଂସଦ ବିନୟ ସହସ୍ରବୁଦ୍ଧେ ଏପରି ସୂଚନା ଦେଇଛନ୍ତି।

ଆଇସିସିଆର୍‌ ସ୍ଥାନାନ୍ତର ନେଇ ଚର୍ଚ୍ଚା ଜୋର୍‌ ଧରିଲା ପରେ ଓଡ଼ିଶାର କଳା, ସଂସ୍କୃତି ଜଗତରେ ଏହାକୁ ବିରୋଧ କରାଯାଇଥିଲା। ଭୁବନେଶ୍ୱରରେ କାର୍ଯ୍ୟରତ ଆଇସିସିଆର୍‌ କର୍ମଚାରୀମାନେ ଏ ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଶ୍ରୀ ପ୍ରଧାନ ଏହି ଦାବିପତ୍ରକୁ ଆଇସିସିଆର୍‌ ଅଧ୍ୟକ୍ଷଙ୍କ ନିକଟକୁ ପଠାଇବା ସହ ନିଷ୍ପତ୍ତିର ପୁନର୍ବିଚାର ପାଇଁ ପତ୍ର ଲେଖିଥିଲେ। ଓଡ଼ିଶା ଏକ ଐତିହ୍ୟସମ୍ପନ୍ନ ରାଜ୍ୟ ହୋଇଥିବାରୁ ଓଡ଼ିଶାର ସଂସ୍କୃତିର ବିକାଶ ସହ ବିଦେଶରେ ମଧ୍ୟ ପ୍ରଚାର ପାଇଁ କାମ କରିଆସୁଥିବା ଆଇସିସିଆର୍‌ର କାର୍ଯ୍ୟାଳୟ ଏଠାରେ ରହିବା ଜରୁରି। ଓଡ଼ିଶାରେ ଏହି କେନ୍ଦ୍ରକୁ ଚାଲୁ ରଖିବା ସହ ଅଧିକ ପ୍ରୋତ୍ସାହନ ଦେବା ପାଇଁ ସେ ଅନୁରୋଧ କରିଥିଲେ।

କେନ୍ଦ୍ର ମନ୍ତ୍ରୀଙ୍କ ପତ୍ରର ଉତ୍ତରରେ ଶ୍ରୀ ସହସ୍ରବୁଦ୍ଧେ କହିଛନ୍ତି, ଦେଶତମାମ ଚାଲୁଥିବା ଆଇସିସିଆର୍‌ କେନ୍ଦ୍ରଗୁଡ଼ିକର ସମୀକ୍ଷା କରାଯାଇଛି। ତେବେ ଭୁବନେଶ୍ୱରସ୍ଥିତ ଏହି କେନ୍ଦ୍ରକୁ ବନ୍ଦ କରିବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ବାର୍ଷିକ ଯୋଜନା ଆଧାରରେ ଆଇସିସିଆର୍‌ କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରୁଛନ୍ତି।

ସୂଚନାଯୋଗ୍ୟ ଯେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ଆଇସିସିଆର୍‌ର ଆଞ୍ଚଳିକ କାର୍ଯ୍ୟାଳୟ ୨୦୦୯ ଅକ୍ଟୋବର ମାସରୁ ଓଡ଼ିଶାରେ କାର୍ଯ କରି ଆସୁଛି। ପ୍ରଥମେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଏହାର କାର୍ଯ୍ୟାଳୟ ଖୋଲିଥିଲା। ୨୦୧୫ ଜୁନ୍‌ରେ ଏହା ଭୁବନେଶ୍ୱରସ୍ଥିତ ପଳାସପଲ୍ଲୀକୁ ସ୍ଥାନାନ୍ତର ହୋଇଥିଲା।

ସମ୍ବନ୍ଧିତ ଖବର