କୋଲକାତା ସ୍ଥାନାନ୍ତର ହେଲା ଆଇସିସିଆର୍‌ ଆଞ୍ଚଳିକ କାର୍ଯ୍ୟାଳୟ

ଚିଠି ଖଣ୍ଡିଏ ଦେଇ କାମ ସାରିଦେଲା ରାଜ୍ୟ ସଂସ୍କୃତି ବିଭାଗ

ଭୁବନେଶ୍ବର : ଭୁବନେଶ୍ବରରେ ଥିବା କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଅଧୀନ ‘ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌)’ର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ଶେଷରେ ଆଜି ବନ୍ଦ ହୋଇଯାଇଛି। ପଳାସପଲ୍ଲୀସ୍ଥିତ ଏହି କାର୍ଯ୍ୟାଳୟ କୋଲକାତାକୁ ସ୍ଥାନାନ୍ତର କରାଯାଇଛି। କୋଲକାତାସ୍ଥିତ ଆଇସିସିଆର୍‌ର ଜୋନ୍‌ କାର୍ଯ୍ୟାଳୟ ଅଧୀନରେ ଏବେ ଓଡ଼ିଶା ସମ୍ପର୍କିତ ସମସ୍ତ କାର୍ଯ୍ୟ କରାଯିବ। ଓଡ଼ିଶାର କଳା ଓ କଳାକାର ତଥା ଓଡ଼ିଶାରେ ଆଇସିସିଆର୍‌ ଅଧୀନରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଅତ୍ୟନ୍ତ ନୈରାଶ୍ୟଜନକ। ତେବେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାନାନ୍ତର ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ଏହାଠୁ ଅଧିକ ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି। ବର୍ତ୍ତମାନ ଓଡ଼ିଶା‌ର ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା, ଏନ୍‌ଆଇଟି ରାଉରକେଲା, କଟକ ରେଭେନ୍ସା ଭଳି ଶିକ୍ଷାନୁଷ୍ଠାନରେ ୧୪୦ରୁ ଅଧିକ ଶିକ୍ଷାର୍ଥୀ ଆଇସିସିଆର୍‌ ଅଧୀନରେ ଶିକ୍ଷାଗ୍ରହଣ କରୁଛନ୍ତି। ଏବେ ସେମାନଙ୍କୁ ଓ ଓଡ଼ିଶାର କଳାକାରମାନଙ୍କୁ ଛୋଟ ଛୋଟ କାର୍ଯ୍ୟ ପାଇଁ କୋଲକାତା ଦୌଡ଼ିବାକୁ ପଡ଼ିବ।

କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ଆଇସିସିଆର୍‌ର କର୍ତ୍ତୃପକ୍ଷ ଗତ ମେ’ ୧୮ ତାରିଖରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ହେଲେ ଏହି ଦେଢ଼ ମାସରେ ରାଜ୍ୟ ସରକାର ଏହାକୁ ରୋକିବାକୁ କିଛି ପଦକ୍ଷେପ ନେଲେ ନାହିଁ। ସାଂସ୍କୃତିକ ଜଗତରେ ପ୍ରବଳ ବିରୋଧ ହେବାରୁ ବିଭାଗ କେବଳ ଖଣ୍ଡିଏ ଚିଠି ଲେଖି ନିଜ ଦାୟିତ୍ବ ସାରିଦେଲା।

ରାଜ୍ୟରେ ଲୋକକଳାକୁ ଉଜ୍ଜୀବିତ ରଖିବା, ଲୁକ୍କାୟିତ କଳାକୁ ଲୋକଲୋଚନକୁ ଆଣିବା, ରାଜ୍ୟର କଳାକାରମାନଙ୍କୁ ଦେଶ ବାହାରକୁ ନେଇ ସେଠାରେ ଆମ କଳା, ସଂସ୍କୃତିର ପ୍ରଚାରପ୍ରସାର କରିବା ତଥା ଅନୁନ୍ନତ ରାଷ୍ଟ୍ରରୁ ପିଲାଙ୍କୁ ଆଣି ଓଡ଼ିଶାରେ ଶିକ୍ଷାଦାନ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଆଇସିସିଆର୍‌ର ଏକ ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶାରେ ଖୋଲିଥିଲା। ଏହି କାର୍ଯ୍ୟାଳୟ ପାଇଁ ଓଡ଼ିଶାରେ ଜମି ଖଣ୍ଡେ ଦେବାକୁ ଆଇସିସିଆର୍‌ ପକ୍ଷରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲା। ୨୦୧୬ ଜାନୁଆରିରୁ ସ୍ଥାୟୀ ଆଞ୍ଚଳିକ କାର୍ଯ୍ୟାଳୟ ପାଇଁ ଆଇସିସିଆର୍‌ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଜମି ପ୍ରଦାନ ନିମନ୍ତେ ବାରମ୍ବାର ଚିଠି ଲେଖିଆସୁଥିଲେ ମଧ୍ୟ ସରକାର ସାମାନ୍ୟ ତତ୍ପରତା ପ୍ରକାଶ କରି ନଥିଲେ। ଆଇସିସିଆର୍‌ କାର୍ଯ୍ୟାଳୟ ବନ୍ଦ ହେବା ପଛରେ ଏହା ଆଉ ଏକ କାରଣ ବୋଲି କୁହାଯାଉଛି।

୨୦୧୮ ମସିହାରେ ଏହି କାର୍ଯ୍ୟାଳୟ କୋଲକାତା ସ୍ଥାନାନ୍ତର ପାଇଁ ଆଇସିସିଆର୍‌ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ସେତେବେଳେ ଏହାର ବିରୋଧ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଯୋଗୁଁ ଏହି ନିଷ୍ପତ୍ତି ସ୍ଥଗିତ ହୋଇଥିଲା। କିନ୍ତୁ ୪ବର୍ଷ ପରେ ଏହି ନିଷ୍ପତ୍ତି ଆଜି କାର୍ଯ୍ୟକ୍ଷମ ହୋଇଛି।

ସମ୍ବନ୍ଧିତ ଖବର