ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଥିବା ସୁଯୋଗର ବିନିଯୋଗ କରନ୍ତୁ ଉଦ୍ୟୋଗ ସମୂହ : ଧର୍ମେନ୍ଦ୍ର

ଆଇସିସିର ‘ଆତ୍ମନିର୍ଭର ଭାରତ’ ଇ-ସମ୍ମିଳନୀ

ଆତ୍ମନିର୍ଭର ଭାରତ ନିର୍ମାଣରେ ଓଡ଼ିଶାର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା
ଯାଜପୁର କଳିଙ୍ଗନଗରକୁ ଇସ୍ପାତ କ୍ଷେତ୍ରର ପେଣ୍ଠସ୍ଥଳୀ କରିବା ଲକ୍ଷ୍ୟ

ଭୁବନେଶ୍ୱର : ଦେଶର ଉଦ୍ୟୋଗ ସମୂହ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଥିବା ସୁଯୋଗର ସମ୍ପୂର୍ଣ୍ଣ ବିନିଯୋଗ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ଆଜି ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ(ଆଇସିସି) ପକ୍ଷରୁ ଆୟୋଜିତ ‘ଆତ୍ମନିର୍ଭର ଭାରତ’ ଇ-ସମ୍ମିଳନୀରେ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଥିବା ଆତ୍ମନିର୍ଭର ଭାରତ ଯୋଗଦାନରେ ଓଡ଼ିଶାର ଥିବା ଭୂମିକା ଉପରେ ସେଚ ଆଲୋକପାତ କରିଥିଲେ ।

ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତ ସରକାର ବିଗତ ୬ ବର୍ଷ ମଧ୍ୟରେ ଶିଳ୍ପ କ୍ଷେତ୍ରର ଅଗ୍ରଗତି ନିମନ୍ତେ ଅନେକ ସଂସ୍କାର ଆଣିଛନ୍ତି ଓ ବହୁ ବିକାଶମୂଳକ ପଦକ୍ଷେପକୁ କାର୍ଯ୍ୟକାରୀ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ପେଟ୍ରୋକେମିକାଲ, କୋଇଲା, ଆଲୁମିନିୟମ, ଶକ୍ତି, ବକ୍ସସାଇଟ୍‌, ଇସ୍ପାତ୍‌, ଖଣିଜ ପଦାର୍ଥ କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି। ଓଡ଼ିଶାରେ ଥିବା ଖଣିଜ ସମ୍ବଳ ଏବଂ ବୃହତ ବନ୍ଦର ଯଥା ପାରାଦୀପ, ଗୋପାଳପୁର, ଧାମରା ବନ୍ଦର ରାଜ୍ୟର ଶିଳ୍ପ ଅଭିବୃଦ୍ଧିକୁ ଗତିଶୀଳ କରିବାର କ୍ଷମତା ରଖିଛନ୍ତି। ଇସ୍ପାତ, ପେଟ୍ରୋକେମିକାଲ କ୍ଷେତ୍ର ଓ ଏହାର ଆନୁଷଙ୍ଗିକ ଶିଳ୍ପ ଅପାର ସମ୍ଭାବନାର ସୁଯୋଗ ରଖିଥିବା ବେଳେ ବନ୍ଦର ଆଧାରିତ ଅର୍ଥନୀତି ଓଡ଼ିଶା ପାଇଁ ଗେମ୍‌-ଚେଞ୍ଜର ହୋଇପାରେ ବୋଲି ସେ କହିଛନ୍ତି।

ସେହିପରି ପୂର୍ବ ଭାରତର ବିକାଶ ନ ହେଲେ ସମଗ୍ର ଭାରତବର୍ଷର ବିକାଶ ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ତେଣୁ ପୂର୍ବ ଭାରତର ଅଭିବୃଦ୍ଧି ନିମନ୍ତେ ପ୍ରଧାନମନ୍ତ୍ରୀ ପୂର୍ବୋଦୟ ମିସନ୍ ଆରମ୍ଭ କରିଛନ୍ତି। ଏହି ପୂର୍ବୋଦୟ ମିସନ୍‌ରେ ଯାଜପୁର କଳିଙ୍ଗନଗରକୁ ଇସ୍ପାତ କ୍ଷେତ୍ରର ପେଣ୍ଠସ୍ଥଳୀ କରିବାର ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳର ବିକାଶ ହେବା ସହ ରୋଜଗାରର ସୁଯୋଗ ମଧ୍ୟ ବଢ଼ିବ। ତେବେ ପୂର୍ବ ଭାରତର କେନ୍ଦ୍ରରେ ଓଡ଼ିଶା ଥିବାରୁ ଏହି ରାଜ୍ୟର ଥିବା ସମ୍ଭାବନାକୁ ସୁଯୋଗରେ ପରିଣତ କରିବା ପାଇଁ ଶିଳ୍ପ ସଂସ୍ଥା ସମୂହଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଆତ୍ମନିର୍ଭର ଭାରତ ନିର୍ମାଣ ଏବଂ ଅର୍ଥନୀତିର ପୁନରୁଦ୍ଧାରରେ ଶିଳ୍ପ ଓ ବ୍ୟବସାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଉଦ୍ୟୋଗୀମାନେ ଓଡ଼ିଶାରେ ଏହି ସବୁ କ୍ଷେତ୍ରରେ ଅଂଶୀଦାର ହୋଇ କାମ କରିବାର ଆବଶ୍ୟକତା ରହିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି ହେବା ସହ ଅର୍ଥନୀତି ତ୍ୱରାନ୍ୱିତ ହେବ। ଆତ୍ମନିର୍ଭର ଭାରତ ନିର୍ମାଣରେ ଓଡ଼ିଶାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଏହି ଇ-ସମ୍ମିଳନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଇସ୍ପାତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଆଇସିସିର ସଭାପତି ମୟଙ୍କ ଜଲମ, ଆଇସିସି ଓଡ଼ିଶା ପରିଷଦର ଅଧ୍ୟକ୍ଷ ଏମ୍‌ ସି ଥୋମାସ ଏବଂ ସହ ଅଧ୍ୟକ୍ଷ ଜେ.ବି ପାଣି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର

Comments are closed.