କୋରାପୁଟ/ଲକ୍ଷ୍ମୀପୁର: ନୂଆ କର୍ମଚାରୀଙ୍କୁ ଧମକ ଦେଇ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଭିଜିଲାନ୍ସରେ ଅଭିଯୋଗ ପରେ ଗିରଫ ହୋଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଆଇସିଡିଏସ୍‌ ସୁପରଭାଇଜର ରେଣୁକା ପଟ୍ଟନାୟକ। ତାଙ୍କୁ ଜୟପୁର ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚୁରା କରାଯାଉଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ତାଙ୍କର ତିନୋଟି ଠିକଣାରେ ଚଢ଼ଉ କରିଛି।

Advertisment

ଲକ୍ଷ୍ମୀପୁର ବ୍ଲକ୍‌ ପିପଳପଦର ପଞ୍ଚାୟତର ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରରେ କିଛି ଦିନ ତଳେ ଜଣେ କର୍ମଚାରୀ ନିଯୁକ୍ତି ପାଇଥିଲେ। ସୁପରଭାଇଜର ରେଣୁକା ପଟ୍ଟନାୟକ ତାଙ୍କୁ ସିଧାସଳଖ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ନଚେତ କାମରେ ହଇରାଣ କରିବେ ବୋଲି ଧମକ ଦେଇଥିଲେ। କର୍ମଚାରୀ ଜଣକ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ସତ୍ତ୍ବେ ସୁପରଭାଇଜର ଚାପ ପକାଇଥିଲେ। ଶେଷରେ ବାଧ୍ୟ ହୋଇ କର୍ମଚାରୀ ଜଣକ ଜୟପୁର ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ଅନୁଯାୟୀ ଆଜି ସଂପୃକ୍ତ କର୍ମଚାରୀଙ୍କୁ ରସାୟନ ବୋଳା ୫୦ ହଜାର ଟଙ୍କା ଦେଇ ପଠାଇଥିଲା ଭିଜିଲାନ୍ସ। ବୁର୍ଜା ଅଙ୍ଗନବାଡ଼ି କେନ୍ଦ୍ରରେ ସୁପରଭାଇଜର ରେଣୁକା ପଟ୍ଟନାୟକ ଲାଞ୍ଚ ଟଙ୍କା ଧରିବା ପରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା। ଅନ୍ୟପଟେ ସୁପରଭାଇଜରଙ୍କ ଲକ୍ଷ୍ମୀପୁରସ୍ଥିତ ଭଡ଼ାଘର, ବନ୍ଧୁଗାଁସ୍ଥିତ ବାସଭବନ ଏବଂ ବୁର୍ଜା ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି। ଚଢ଼ଉରେ ଡିଏସ୍‌ପି ସଦାନନ୍ଦ ପାଣି, ଅଭୟ ପ୍ରଧାନ, ଇନ୍‌ସପେକ୍ଟର ସଞ୍ଜୟ ପ୍ରଧାନ, ଅନୁଭା ଦାସ, ସୂର୍ଯ୍ୟକାନ୍ତି ଟାକିରୀ ପ୍ରମୁଖ ସାମିଲ ହୋଇଥିଲେ।