ପାରାଦୀପ : ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି ପାଟ୍ରୋଲିଂ ଜାହାଜ ‘ସୁଜୟ’। ଏହି ଜାହାଜର ଲମ୍ବ ୧୦୫ ମିଟର ହୋଇଥିବା ବେଳେ ଏହାର ଓଜନ ୨,୩୫୦ ଟନ୍। ୯,୧୦୦ କିଲୋ ୱାଟ୍ ବିଶିଷ୍ଟ ଡିଜେଲ ସେମିନ ଲାଗିଥିବା ଏହି ଜାହାଜଟି ସର୍ବାଧିକ ବେଗ ୨୩ ନଟ୍ସ ରହିଛି। ଗୋଆ ସିପ୍ୟାର୍ଡ ଲିମିଟେଡ୍ ଏହାକୁ ନିର୍ମାଣ କରିଛନ୍ତି। ଏଥିରେ ଇଣ୍ଟିଗ୍ରିଟେଡ୍ ବ୍ରିଜ୍ ସିଷ୍ଟମ, ଇଣ୍ଟିଗ୍ରିଟେଡ୍ ମେସିନାରୀ କଣ୍ଟ୍ରୋଲ ସିଷ୍ଟମ, ୩୦ ଏମ୍ଏମ୍ ସିଆରଏନ୍ ୯୧ ନାଭାଲ ଗନ୍, ପାୱାର ମ୍ୟାନେଜମେଣ୍ଟ ସିଷ୍ଟମ ଏବଂ ଅଧିକ କ୍ଷମତା ଯୁକ୍ତ ଅଗ୍ନି ନିରୋଧକ ଯନ୍ତ୍ରର ବ୍ୟବସ୍ଥା ରହିଛି। ଏହାସହ ଦୁଇଟି ହେଲିକପ୍ଟଟ ଓ ୫ଟି ହାଇସ୍ପିଡ୍ ବୋଟ୍ ମଧ୍ୟ ଏହି ଜାହାଜର ଉପଲବ୍ଧ ରହିଛି। ଏହି ଜାହାଜକୁ ସମୁଦ୍ରରେ ବିପଦରେ ପଡ଼ିଥିବା ଲୋକମାନଙ୍କୁ ଉଦ୍ଧାର କରିବା ସହ ସୁରକ୍ଷା ବ୍ୟବସ୍ଥା ଏବଂ ପାଣିରେ ତେଲ ଲିକ୍ ଯୋଗୁଁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ଏହାକୁ ବ୍ୟବହାର କରାଯିବ।
ପାଟ୍ରୋଲିଂ ଜାହାଜ ‘ବଜ୍ରା’ ଅବସର ନେବା ପରେ ‘ସୁଜୟ’ଏହାର ସ୍ଥାନ ନେଇଛି। ବର୍ତ୍ତମାନ ଏହାକୁ ମିଶାଇ ଓଡ଼ିଶାରେ ୭ଟି ଜାହାଜ ଓ ଦୁଇଟି ହେଲିକପ୍ଟର ରହିଛି। ଅବସର ନେଇଥିବା ଏହି ବଜ୍ରାକୁ ଲୋକମାନଙ୍କ ସ୍ମୃତି ପାଇଁ ସାଇତି ରଖିବାକୁ ବନ୍ଦର କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି। ସମୁଦ୍ର ମଧ୍ୟରେ ରହିଲେ, ଏହା ଅଧିକ ବ୍ୟୟବହୁଳ ହେବା ସହ ଖୁବଶୀଘ୍ର ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏଣୁ ସ୍ଥଳ ଭାଗରେ ଏକ ମ୍ୟୁଜିୟମ୍ ନିର୍ମାଣ କରି ଏହି ଜାହାଜକୁ ସାଇତି ରଖିବା ପାଇଁ ଯୋଜନା କରାଯିବ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି। ‘ସୁଜୟ’କୁ ସ୍ୱାଗତ କରି ତଟରକ୍ଷୀ ବାହିନୀ ଡିଆଇଜି ରାଜେଶ ମାକୱାନା କହିଛନ୍ତି ଯେ, ଏହି ପାଟ୍ରୋଲିଂ ଜାହାଜ କେବଳ ପାରାଦୀପ ବନ୍ଦର ପାଇଁ ନୁହେଁ, ରାଜ୍ୟ ପାଇଁ ଏକ ମାଇଲଖୁଣ୍ଟ ବୋଲି ଅଧ୍ୟକ୍ଷ ଶ୍ରୀ ରାୟ କହିଛନ୍ତି।