ଭୁବନେଶ୍ବର: ଓଡ଼ିଶାରେ ପ୍ରସ୍ତୁତ କରୋନା ଭାଇରସ ସଂକ୍ରମଣ ଚିହ୍ନଟ କରିପାରୁଥିବା ଆଣ୍ଟିଜେନ୍ ଟେଷ୍ଟ୍ କିଟ୍କୁ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଅନୁମୋଦନ ଦେଇଛି। ଏହି କିଟ୍ ମେକ୍ ଇନ୍ ଓଡ଼ିଶା ଆଧାରରେ ପ୍ରସ୍ତୁତ ହୋଇଛି। ଏହି ରାପିଡ୍ ଆଣ୍ଟିଜେନ୍ କିଟ୍ର ନାଁ IMCOV-AG। ସୂଚନା ଅନୁସାରେ ଭୁବନେଶ୍ବରର ଇମ୍ଜେନେକ୍ସ ଇଣ୍ଡିଆ ଲିମିଟେଡ୍ ଦ୍ବାରା ଏହି ଆଣ୍ଟିଜେନ୍ କିଟ୍ ପ୍ରସ୍ତୁତ ହୋଇଛି। ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମ୍ଆରସି) ଇମ୍ଜେନେକ୍ସ ଇଣ୍ଡିଆ ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି। ଇମ୍ଜେନେକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କହିଛନ୍ତି ଆଗାମୀ ୨ ମାସ ମଧ୍ୟରେ ଏହି କିଟ୍ ବଜାରରେ ମିଳିପାରିବ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଚିହ୍ନଟ କରିବାରେ ଆଣ୍ଟିଜେନ୍ ଟେଷ୍ଟ କିଟ୍ର ମଧ୍ୟ ବଡ଼ ଭୂମିକା ରହୁଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି କିଟ୍ ପାଇଁ ଓଡ଼ିଶାବାସୀଙ୍କୁ ବାହାର ରାଜ୍ୟର କଂପାନି ଉପରେ ନିର୍ଭର କରିବାକୁ ପଡୁଛି। ଓଡ଼ିଶାରେ ପ୍ରସ୍ତୁତ ଆଣ୍ଟିଜେନ୍ ଟେଷ୍ଟ କିଟ୍ ବଜାରରେ ମିଳିବା ପରେ ଆମକୁ ଆଉ ସେତେ ପରିମାଣରେ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ି ନ ପାରେ ବୋଲି ଆଶା ଉପୁଜିଛି। କେବଳ ସେତିକି ନୁହେଁ କରୋନା ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଆଉ ଏକ ପଦ ଆଗକୁ ବଢ଼ିଛି। ଏହି ଟେଷ୍ଟ କିଟ୍ ବାହାରକୁ ମଧ୍ୟ ରପ୍ତାନୀ କରାଯିବାର ଲକ୍ଷ୍ୟ ରଖାଯାଇଛି।