ଏମକେସିଜିରେ ହେବ କରୋନା ଟେଷ୍ଟ, ଆଇସିଏମଆର ଦେଲା ଅନୁମତି

ଭୁବନେଶ୍ୱର: ଏଣିକି ବ୍ରହ୍ମପୁରରେ ଥିବା ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ କୋଭିଡ-୧୯ ଟେଷ୍ଟ ହେବ | ଏମକେସିଜି(ମହାରାଜା କୃଷ୍ଣଚନ୍ଦ୍ର ଗଜପତି) ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ଟେଷ୍ଟ କରାଯିବାକୁ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁମତି ଦେଇଛି | ମେଡିକାଲ କଲେଜ ହସ୍ପିଟାଲ୍ ଭାବେ ଏସସିବି ପରେ ଏମକେସିଜିରେ କରୋନା ଟେଷ୍ଟ ହେବ  | ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି | ଏମକେସିଜିକୁ ଅନୁମତି ଦିଆଯିବା ପରେ ଦକ୍ଷିଣ ଓଡ଼ିଶାରେ କରୋନା ଟେଷ୍ଟ କରିବା ସହଜ ହେବ ଏବଂ ଏହାଦ୍ବାରା କରୋନା ମହାମାରୀ ବିରୋଧୀ ଲଢ଼େଇରେ ଓଡ଼ିଶାର ଉଦ୍ୟମକୁ ଶକ୍ତିଶାଳୀ କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି |


ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ (ଏସସିବି) କରୋନା ନମୁନା ପରୀକ୍ଷା ଲାଗି ଆଇସିଏମଆର ଅନୁମତି ଦେଇଛି ।

ଏଥିସହ ରାଜ୍ୟର ଅନ୍ୟ ଦୁଇଟି ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ମଧ୍ୟ ନମୁନା ପରୀକ୍ଷା ସୁବିଧା ଉପଲବ୍ଧ କରାଇବାକୁ ଆଇସିଏମଆରକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ | ବୁର୍ଲାସ୍ଥିତ ଭିମସାର ଓ ବ୍ରହ୍ମପୁରସ୍ଥିତ ଏମକେସିଜିରେ କରୋନା ପରୀକ୍ଷା ସୁବିଧା ଉପଲବ୍ଧ କରାଇବାକୁ ରାଜ୍ୟ ସରକାର ଅନୁରୋଧ କରିଥିବା ବେଳେ ଆଜି ଏମକେସିଜିକୁ ଅନୁମତି ଦିଆଯାଇଛି |

ସମ୍ବନ୍ଧିତ ଖବର