ରାୟଗଡ଼ାରେ ଆଇସିଏମ୍ଆର୍ ଟିମ୍ : ୧୦ କ୍ଲଷ୍ଟରରୁ ସଂଗ୍ରହ ହେବ ୪୦୦ ରକ୍ତ ନମୁନା

ରାୟଗଡ଼ା ସମେତ ଗଞ୍ଜାମ, କୋରାପୁଟରେ ହେବ ସର୍ଭେ
ସଂଗୃହୀତ ନମୁନା ପରୀକ୍ଷା ପାଇଁ ଯିବ ପୁନେସ୍ଥିତ ଏନଆଇଭିକୁ
କୋଭିଡ଼୍ ମୁକାବିଲା ଲାଗି ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ

ରାୟଗଡ଼ା : ରାୟଗଡ଼ାରେ ପହଞ୍ଚିଛନ୍ତି ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର୍) ଟିମ୍। କୋଭିଡ଼୍ ମୁକାବିଲା ଦିଗରେ ପଦକ୍ଷେପ ନେବା ଲାଗି ଜିଲ୍ଲାର ୧୦ଟି କ୍ଲଷ୍ଟରରୁ ଏହି ଟିମ୍ ସଂଗ୍ରହ କରିବ ୪୦୦ ରକ୍ତ ନମୁନା। ସଂଗୃହୀତ ରକ୍ତ ନମୁନାରେ ରୋଗ ପ୍ରତିଷୋଧକ ଶକ୍ତିର ପରିମାଣ ସହ ଇମନୋଗ୍ଲୋବିନ୍-ଜି ଓ ଇମନୋଗ୍ଲୋବିନ୍ ଏମ୍ ରହିଛି କି ନାହିଁ ସେ ଦିଗରେ ଅନୁସନ୍ଧାନ କରିବ ଟିମ୍। ଭାରତର ୨୧ଟି ରାଜ୍ୟର ୬୯ଟି ଜିଲ୍ଲାରୁ ନମୁନା ସଂଗ୍ରହ ପାଇଁ ଆଇସିଏମ୍ଆର୍ ନିଷ୍ପତ୍ତି ନେଇଥିବା ବେଳେ ତାଲିକାରେ ଓଡ଼ିଶାର ୩ଟି ଜିଲ୍ଲା ରାୟଗଡ଼ା, କୋରାପୁଟ, ଗଞ୍ଜାମ ରହିଛି।

ଭାରତର ବିଭିନ୍ନ ରାଜ୍ୟରେ କରୋନାର ସ୍ଥିତି, ଲକ୍ଷଣ ଓ ସଂକ୍ରମଣ ସଂପର୍କରେ ଅନୁସନ୍ଧାନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ସହଯୋଗରେ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ ଗୋଷ୍ଠୀ ଭିତ୍ତିକ ରକ୍ତ କଣିକା ସର୍ବେକ୍ଷଣ ଆରମ୍ଭ କରିଛି। ରାଷ୍ଟ୍ରୀୟ ମହାମାରୀ ବିଜ୍ଞାନ କେନ୍ଦ୍ର, ରାଷ୍ଟ୍ରୀୟ ଯକ୍ଷ୍ମା ଗବେଷଣା କେନ୍ଦ୍ର (ଚେନ୍ନାଇ) ଏହାର ସଂଯୋଜନା କରୁଥିବା ବେଳେ ୨୧ଟି ରାଜ୍ୟର ୬୯ ଜିଲ୍ଲାର ୨୪ ହଜାର ବ୍ୟକ୍ତିଙ୍କ ନିକଟରୁ ନମୁନା ସଂଗ୍ରହ ହେବ। ପ୍ରତି ଜିଲ୍ଲାକୁ ୧୦ଟି କ୍ଲଷ୍ଟରରେ ବିଭକ୍ତ କରାଯାଇ ଜନସଂଖ୍ୟା ହାରରେ ଘର ପିଛା ଜଣଙ୍କ ନିକଟରୁ ନମୁନା ସଂଗ୍ରହ କରିବାକୁ ନିଷ୍ପତ୍ତି ହୋଇଛି। ସଂଗ୍ରହ ହୋଇଥିବା ରକ୍ତ ନମୁନା ପୁନେସ୍ଥିତ ଜାତୀୟ ଭୂତାଣୁ ବୈଜ୍ଞାନିକ ଅଧ୍ୟୟନ ସଂସ୍ଥା (ଏନ୍ଆଇଭି) ଦ୍ବାରା ନିର୍ମିତ ଅତ୍ୟାଧୁନିକ ଏଲିସା ମେସିନ୍ ଦ୍ବାରା ପରୀକ୍ଷା କରାଯିବ। ପରୀକ୍ଷା ସମୟରେ କରୋନା ସଂସ୍ପର୍ଶରେ ଆସିଥବା ଏବଂ ନ ଆସିଥିବା ବ୍ୟକ୍ତିଙ୍କ ଦେହରେ କରୋନା ମୁକାବିଲା ଲାଗି ରୋଗ ପ୍ରତିରୋଧକ ଶକ୍ତି କେତେ ରହିଛି ସେ ଦିଗରେ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ କରିବ। ସାରା ଭାରତରେ ଆକ୍ରାନ୍ତଙ୍କ ତୁଳନାରେ ମୃତକଙ୍କ ସଂଖ୍ୟା କମ୍ ଏବଂ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ଯୋଗୁ କୋଭିଡ଼୍ ମୁକାବିଲା ଲାଗି ଏପରି ପରୀକ୍ଷା ନୀରିକ୍ଷା ଆରମ୍ଭ କରିଛି ଆଇସିଏମ୍ଆର୍। ଓଡ଼ିଶାରେ ଆକ୍ରାନ୍ତ ୭୦ ପ୍ରତିଶତ ରୋଗୀଙ୍କ ନିକଟରେ କରୋନା ଲକ୍ଷଣ ନଥିବାରୁ ଏହି ପରୀକ୍ଷଣ ଲାଭଦାୟକ ହେବ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସାଙ୍ଗକୁ ରକ୍ତ କଣିକାରେ ଇମନୋଗ୍ଲୋବିନ୍-ଜି, ଇମନୋଗ୍ଲୋବିନ୍ ଏମ୍ ସୃଷ୍ଟି ହେଉଥିବା ଯୋଗୁ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହେଉଥିବା ଏହାର ମୁଖ୍ୟ କାରଣ ବୋଲି ଟିମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଆଇସିଏମ୍ଆର୍ ନିର୍ଦେଶକ୍ରମେ ବୈଜ୍ଞାନିକ ଡ. ଦାଶରଥୀ ଦାଶ, ପ୍ରୋଜେକ୍ଟ ଟେକ୍ନିକାଲ୍ ଅଫିସର ସ୍ପନ୍ଦନ ଭଞ୍ଜଦେଓଙ୍କ ନେତୃତ୍ବରେ ୨୫ ଜଣିଆ ଟିମ୍ ଓଡ଼ିଶାରେ ନମୁନା ସଂଗ୍ରହ ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଗଞ୍ଜାମର ବେଲପୁର, କେନ୍ଦୁପଦର, ପୁତୁ, ବୁରୁଝୁରି, ରାଜପୁର, ଗୋପିନାଥପୁର, କୋଡରାପଲ୍ଲୀ, ଚାନ୍ଦପୁର, ପାଲୁରଗଡ଼, ବ୍ରହ୍ମପୁର ମହାନଗର ନିଗମର ୧୫ ନଂ ୱାର୍ଡରୁ ଟିମ୍ ୪୦୦ ନମୁନା ସଂଗ୍ରହ କରିଛି। ଆଜି ଟିମ୍ ରାୟଗଡ଼ାରେ ପହଞ୍ଚିବା ପରେ ଆସନ୍ତାକାଲିଠୁ ୧୦ଟି କ୍ଲଷ୍ଟରରୁ ରକ୍ତ ନମୁନା ସଂଗ୍ରହ କରିବ। ମୁନିଗୁଡା ବ୍ଲକର ଅମଲାଭଟା, ଚନ୍ଦ୍ରପୁର ବ୍ଲକର ପାଟତୋଳି, କଲ୍ୟାଣସିଂହପୁର ବ୍ଲକର ହାତୀମୁଣ୍ଡା, କାଶୀପୁର ବ୍ଲକର ରାସଝିରି, କୋରଳ, ରାୟଗଡ଼ା ବ୍ଲକର କୋତପେଟା, ରାମନାଗୁଡା ବ୍ଲକର ରାମନାଗୁଡା, ଗୁଡାରି ବ୍ଲକର ଦେନ୍ଦୁଗୁଡ଼ା, ଗୁଣପୁର ବ୍ଲକର ପୁଟାସିଂର କେରବା, ରାୟଗଡ଼ା ପୌର ପରିଷଦର ୧୭ ନଂ ୱାର୍ଡରୁ ରକ୍ତ ନମୁନା ସଂଗ୍ରହ କରାଯିବ। ରାୟଗଡ଼ା ପରେ ଟିମ୍ କୋରାପୁଟ ଅଭିମୁଖେ ଯିବ।

ଆନ୍ଧ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଛତିଶଗଡ, ବିହାର, ଝାରଖଣ୍ଡ, ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ଶ୍ରମିକ ରାୟଗଡ଼ା ଦେଇ ନିଜ ରାଜ୍ୟକୁ ଯାତାୟାତ କରୁଛନ୍ତି। ଲକଡାଉନ୍ ପରେ ଭିଟାମାଟିକୁ ବାହୁଡ଼ିବା ପାଇଁ ଏହି ସବୁ ରାଜ୍ୟର ହଜାର ହଜାର ଶ୍ରମିକ ରାୟଗଡ଼ା ଉପରେ ନିର୍ଭର କରିଛନ୍ତି। ଏହି ସବୁ ରାଜ୍ୟ କରୋନା ଆକ୍ରାନ୍ତ ତାଲିକାରେ ରହିବା ସହିତ ବହୁ ଅଞ୍ଚଳ ରେଡ୍ ଜୋନ୍ ଭାବେ ଚିହ୍ନଟ ହୋଇଛି। କିନ୍ତୁ ଉକ୍ତ ରାଜ୍ୟରେ କାମ କରି ଘର ବାହୁଡ଼ା ହୋଇଥିବା ରାୟଗଡ଼ାର ଶ୍ରମିକଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଯାଇନି। ଏବେ ସୁଦ୍ଧା ୧୨ଟି ପର୍ଯ୍ୟାୟରେ ୫୮୧ ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ସମସ୍ତ ନମୁନା ନେଗେଟିଭ୍ ରହିଛି।

ସମ୍ବନ୍ଧିତ ଖବର