ଆଇସିଏସ୍‌ଇ ଓ ଆଇଏସ୍‌ସି ପରୀକ୍ଷା ଫଳ ପ୍ରକାଶ: ଶହେରୁ ଶହେ ରଖିଲେ ଦୁଇ ପରୀକ୍ଷାର୍ଥୀ

ଭୁବନେଶ୍ବର: କାଉନସିଲ୍‌ ଫର‌୍‌ ଦି ଇଣ୍ତିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ସାମିନେସନ(ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ଦଶମ(ଆଇସିଏସ୍‌ଇ) ଓ ଦ୍ବାଦଶ (ଆଇଏସ୍‌ସି) ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଅପରାହ୍‌ଣ ୩ଟାରେ ଫଳ ପ୍ରକାଶ କରାଯିବା ପରେ ଛାତ୍ରଛାତ୍ରୀ ‘www.cisce.org’ ୱେବସାଇଟ୍‌ ମାଧ୍ୟମରେ ପରୀକ୍ଷା ଫଳ ଜାଣି ପାରିଥିଲେ। ଇ-ମେଲ୍‌, ମୋବାଇଲ୍‌ ମାଧ୍ୟମରେ ବି ଫଳ ଉପଲବ୍ଧ ହୋଇଥିଲା। ଗତବର୍ଷ ତୁଳନାରେ ଏଥର ସାରା ଦେଶରେ ଉଭୟ ଶ୍ରେଣୀର ପାସ୍‌ହାର ଅଧିକ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ କରିଥିବା ଦେଖିବାକୁ ମିଳିଛି।

ଆଞ୍ଚଳିକ ଭିତ୍ତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲେ ମଧ୍ୟ ଓଡ଼ିଶା ସମ୍ପର୍କିତ ତଥ୍ୟ ମିଳିପାରିନି। ଭୁବନେଶ୍ବର ସମେତ ରାଜ୍ୟରେ କେତେକ ସ୍ଥାନରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ହେଉନଥିବାରୁ ସନ୍ଧ୍ୟା ସୁଦ୍ଧା ଓଡ଼ିଶାର ପାସ୍‌ହାର ଜଣାପଡ଼ି ନାହିଁ। ଟପର୍‌ ବି ଜଣାପଡ଼ିନି। ତେବେ ଗତବର୍ଷ ତୁଳନାରେ ଏଥର ଓଡ଼ିଶାର ରେଜଲ୍ଟ ଭଲ ହୋଇଥିବା ସି୍ଆଇଏସ୍‌ସିଇର ଜଣେ ଅଧିକାରୀ କହିଛନ୍ତି।

ଆଇସିଏସ୍‌ଇର ପାସ୍‌ହାର ୯୮.୫୪% ରହିଛି। ଦୁଇ ଜଣ ପରୀକ୍ଷାର୍ଥୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମୁମ୍ବାଇର ଜୁହି ରୂପେଶ କାଜରିଆ ଓ ମୁକ୍ତାସରସ୍ଥିତ ଲିଟିଲ ଫ୍ଲାୱାର କନଭେଟ୍‌ ସ୍କୁଲର ମନହର ବଂଶଲ ଯୁଗ୍ମ ଭାବେ ୯୯.୬୦% ମାର୍କ ରଖି ପ୍ରଥମ ସ୍ଥାନରେ ରହିଛନ୍ତି। ୧୦ ଜଣ ପରୀକ୍ଷାର୍ଥୀ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ୩ୟ ସ୍ଥାନରେ ୨୪ଜଣ ରହିଛନ୍ତି।  ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୯.୦୫% ଥିବା ବେଳେ ଛାତ୍ରଙ୍କ ପାସ୍‌ହାର ୯୮.୧୨% ରହିଛି। ଦକ୍ଷିଣାଞ୍ଚଳର ପାସ୍‌ହାର ୯୮.୯୧%, ପଶ୍ଚିମାଞ୍ଚଳରେ ୯୮.୧୩%, ପୂର୍ବାଞ୍ଚଳରେ ୯୬.୬୬% ଓ ଉତ୍ତରାଞ୍ଚଳରେ ପାସ୍‌ହାର ୯୫.୭୬% ରହିଛି।

ସାରା ଦେଶରେ ଆଇଏସ୍‌ସି ପରୀକ୍ଷାଫଳ ୯୬.୫୨ ପ୍ରତିଶତ ରହିଛି। ୩୯ ହଜାର ୯୬୪ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୯ ହଜାର ୧୦୦ ଜଣ ଛାତ୍ରୀ ପାସ୍‌ କରିଛନ୍ତି। ୪୬ ହଜାର ୯୪୯ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୪୪ ହଜାର ୫୯୭ ଜଣ ପାସ୍‌ କରିଛନ୍ତି। ଦୁଇଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖି ଟପର୍‌ ହୋଇଛନ୍ତି। ସେମାନେ ହେଲେ, କୋଲକାତାର ଦିୱାଙ୍ଗ କୁମାର ଅଗ୍ରୱାଲ ଓ ବେଙ୍ଗାଲୁରୁର ବିଭା ସ୍ବାମୀନାଥନ୍‌। ଦ୍ବିତୀୟ ସ୍ଥାନରେ ୧୬ଜଣ ପରୀକ୍ଷାର୍ଥୀ ଥିବା ବେଳେ ତୃତୀୟ ସ୍ଥାନରେ ୩୬ଜଣ ରହିଛନ୍ତି। ଏଥିରେ ଛାତ୍ରୀଙ୍କ ପାସ୍‌ହାର ୯୭.୮୪% ଥିବା ବେଳେ ଛାତ୍ରଙ୍କ ପାସ୍‌ହାର ୯୫.୪୦% ରହିଛି। ପଶ୍ଚିମାଞ୍ଚଳର ପାସ୍‌ହାର ୯୯.୭୬% ଥିବା ବେଳେ ଦକ୍ଷିଣାଞ୍ଚଳରେ ୯୯.୭୩%, ପୂର୍ବାଞ୍ଚଳରେ ୯୮.୦୬%, ଉତ୍ତରାଞ୍ଚଳରେ ୯୭.୮୭% ରହିଛି।

ସମ୍ବନ୍ଧିତ ଖବର