ଆଇସିଏସ୍‌ଇ ଓ ଆଇଏସ୍‌ସି ପରୀକ୍ଷା ଫଳ ପ୍ରକାଶ : ବଢ଼ିଲା ପାସ୍‌ହାର, ଛାତ୍ରୀ ଆଗରେ

ଆଇସିଏସ୍‌ଇରେ ୯୯.୩୩%, ଆଇଏସ୍‌ସିରେ ୯୬.୮୩% ପାସ୍‌, ପ୍ରକାଶ ପାଇଲାନି ଟପର୍‌ ତାଲିକା

ଭୁବନେଶ୍ବର : କାଉନସିଲ୍‌ ଫର‌୍‌ ଦି ଇଣ୍ତିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ସାମିନେସନ(ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ଦଶମ(ଆଇସିଏସ୍‌ଇ) ଓ ଦ୍ବାଦଶ (ଆଇଏସ୍‌ସି) ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଅପରାହ୍‌ଣ ୩ଟାରେ ଫଳ ପ୍ରକାଶ କରାଯିବା ପରେ ଛାତ୍ରଛାତ୍ରୀ ‘www.cisce.org’ ୱେବ୍‌ସାଇଟ୍‌ରୁ ସେମାନଙ୍କ ପରୀକ୍ଷା ଫଳ ଜାଣି ପାରିଥିଲେ। ଇ-ମେଲ୍‌, ମୋବାଇଲ୍‌ ମାଧ୍ୟମରେ ବି ଫଳ ଉପଲବ୍ଧ ହୋଇଥିଲା। ଗତବର୍ଷ ତୁଳନାରେ ଏଥର ସାରା ଦେଶରେ ଉଭୟ ଶ୍ରେଣୀର ପାସ୍‌ହାର ଅଧିକ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏଥର ଆଞ୍ଚଳିକ ଭିତ୍ତିରେ ପରୀକ୍ଷା ଫଳ ପ୍ରକାଶ ପାଇନି କି ଟପର୍‌ ତାଲିକା ବାହାରି ନାହିଁ।

ତେବେ ଗତବର୍ଷ ତୁଳନାରେ ଓଡ଼ିଶାର ଛାତ୍ରଛାତ୍ରୀ ଉଭୟ ଶ୍ରେଣୀରେ ଭଲ ପ୍ରଦର୍ଶନ କରିଛନ୍ତି। ଆଇସିଏସ୍‌ଇରେ ଓଡ଼ିଶାର ୯୧ଟି ବିଦ୍ୟାଳୟର ୭ ହଜାର ୩୨୭ ଜଣ ପରୀକ୍ଷା ଦେଇଥିଲେ ଏବଂ ପାସ୍‌ହାର ୯୭.୭୩ ପ୍ରତିଶତ ହୋଇଛି। ଆଇଏସ୍‌ସିରେ ୨୫ଟି ବିଦ୍ୟାଳୟର ୧୫୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍‌ହାର ୯୨.୨୯% ରହିଛି। ଆଇସିଏସ୍‌ଇରେ ରାଉରକେଲାସ୍ଥିତ ସେଣ୍ଟ୍‌ ପଲ୍‌ ସ୍କୁଲର ଛାତ୍ର ଅଭିଜିତ୍‌ ଅଗ୍ରୱାଲ ୯୯.୨%, ଦେବଦତ୍ତ ନାୟକ ୯୮.୨%, ଅର୍ପଣ ତପଦର ୯୮% ମାର୍କ ରଖିଛନ୍ତି। ଆଇଏସ୍‌ସିରେ ରାଉରକେଲାର ସେଣ୍ଟ ଜୋସେଫ୍‌ ସ୍କୁଲ ଜଣେ ପରୀକ୍ଷାର୍ଥୀ ୯୮.୮% ନମ୍ବର ରଖିଥିବା ସୂଚନା ମିଳିଛି।

ଆଇସିଏସ୍‌ଇରେ ୨୩୪୧ ସ୍କୁଲର ୨ଲକ୍ଷ ୭ ହଜାର ୯୦୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୬ ହଜାର ୫୨୫ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୯.୩୩ ପ୍ରତିଶତ ହୋଇଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ଅଛି। ମୋଟ ୯୫ ହଜାର ୨୩୪ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୪ହଜାର ୯୩୭ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୯୯.୬୮% ରହିଛି। ସେହିପରି ୧ ଲକ୍ଷ ୧୨ ହଜାର ୬୬୮ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୧୧ ହଜାର ୫୮୮ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ ହାର ୯୯.୦୪ ପ୍ରତିଶତ ରହିଛି।

ଆଇଏସ୍‌ସିରେ ୧ ହଜାର ୧୨୫ ବିଦ୍ୟାଳୟର ୮୮ ହଜାର ୪୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୮୫ ହଜାର ୬୧୧ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୯୬.୮୩% ରହିଛି। ପରୀକ୍ଷା ଦେଇଥିବା ୪୦ ହଜାର ୯୮୦ ଛାତ୍ରୀଙ୍କ ମଧ୍ୟରୁ ୪୦ ହଜାର ୧୭୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୯୮.୦୨ ପ୍ରତିଶତ ରହିଛି। ସେହିପରି ପରୀକ୍ଷା ଦେଇଥିବା ୪୭ହଜାର ୪୨୯ ଛାତ୍ରଙ୍କ ମଧ୍ୟରୁ ୪୫ହଜାର ୪୪୧ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୯୫.୮୦ ପ୍ରତିଶତ ରହିଛି।

ଆଇସିଏସ୍‌ଇ ପକ୍ଷରୁ ୬୧ଟି ଲିଖିତ ବିଷୟରେ ପରୀକ୍ଷା ହୋଇଥିଲା। ସେଥିରେ ୨୨ଟି ଭାରତୀୟ ଭାଷା, ୯ଟି ବିଦେଶୀ ଭାଷା ଓ ୨ଟି କ୍ଲାସିକାଲ ଭାଷାରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଆଇଏସ୍‌ସିରେ ୫୧ଟି ଲିଖିତ ଭାଷାରେ ପରୀକ୍ଷା ହୋଇଥିବା ବେଳେ ଏଥିରେ ୧୫ଟି ଭାରତୀୟ ଭାଷା, ୬ଟି ବିଦେଶୀ ଭାଷା ଓ ଗୋଟିଏ କ୍ଲାସିକାଲ ଭାଷା ରହିଥିଲା। ପରୀକ୍ଷାର୍ଥୀଙ୍କ ମାର୍କ ଓ ପାସ୍‌ ସାର୍ଟିଫିକେଟ୍‌ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଡିଜି ଲକ୍‌ରରେ ଉପଲବ୍ଧ ହେବ ବୋଲି ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର