ଆଜିଠୁ ଆଇସିଏସ୍‌ଇ ପରୀକ୍ଷା

୯୭ ସ୍କୁଲରେ ୭ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ବର : କାଉନସିଲ୍‌ ଫର୍‌ ଇଣ୍ଡିଆନ୍‌ ସ୍କୁଲ ସିର୍ଟିଫିକେଟ୍‌ ଏକ୍ଜାମିନେସନ(ସିଆଇଏସ୍‌ସିଇ) ଅଧୀନ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ(ଆଇସିଏସ୍‌ଇ) ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ଇଂରାଜୀ ପେପର୍‌-୧ ବିଷୟର ପରୀକ୍ଷା ରହିଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଏହି ବିଷୟର ପରୀକ୍ଷା ଚାଲିବ। ମାର୍ଚ୍ଚ ୨୫ ଯାଏ ଚାଲିବାକୁ ଥିବା ଏହି ପରୀକ୍ଷାର ଶେଷ ଦିନରେ ବାୟୋଲୋଜି ପେପର୍‌-୩ ପରୀକ୍ଷା ରହିଛି।

ଏଥର ଦୁଇଟି ସମୟରେ ପରୀକ୍ଷା ଆରମ୍ଭ ହେବ। କେତେକ ବିଷୟ ପରୀକ୍ଷା ପୂର୍ବାହ୍ନ ୯ଟା ଓ ଆଉ କିଛି ବିଷୟର ପରୀକ୍ଷା ୧୧ଟାରୁ ଆରମ୍ଭ ହେବ। ବିଭିନ୍ନ ବିଷୟର ପରୀକ୍ଷାଗୁଡ଼ିକର ସମୟ ସୀମା ଦୁଇ ଘଣ୍ଟା, ଅଢ଼େଇ ଘଣ୍ଟା ଓ ୩ ଘଣ୍ଟା ରଖାଯାଇଛି। ପ୍ରଶ୍ନପତ୍ର ପଢ଼ିବା ପାଇଁ ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ୍‌ ସମୟ ଦିଆଯିବ। ପୂର୍ବାହ୍ନ ୧୧ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ୧୦ଟା ୪୫ରୁ ପ୍ରଶ୍ନପତ୍ର ବଣ୍ଟାଯିବ। ପରୀକ୍ଷାର୍ଥୀ ୧୧ଟାରେ ଉତ୍ତର ଲେଖିବେ। ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ଛଡ଼ାଯିବ ବୋଲି ଆଇସିଏସ୍‌ଇ ପକ୍ଷରୁ କୁହାଯାଇଛି।

ଏଥର ଓଡ଼ିଶାର ୯୭ଟି ବିଦ୍ୟାଳୟର ପ୍ରାୟ ୭ ହଜାର ପରୀକ୍ଷାର୍ଥୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷାର ସୁପରିଚାଳନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। କପି ରୋକିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ଯାଞ୍ଚ ବ୍ୟବସ୍ଥା ବି ହୋଇଛି। ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବାରୁ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟାପ୍ତ ପାଣି ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର