ଆଜି ପ୍ରକାଶ ପାଇବ ଆଇସିଏସ୍ଇ, ଆଇଏସ୍‌ସି ରେଜଲ୍ଟ

ଭୁବନେଶ୍ବର : କରୋନା ଜନିତ ଲକ୍‌ଡାଉନ୍‌ ପାଇଁ ମାର୍ଚ୍ଚ ଶେଷ ସପ୍ତାହରେ ହେବାକୁ ଥିବା ବିଭିନ୍ନ ବୋର୍ଡର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଜୁଲାଇ ମାସକୁ ଘୁଞ୍ଚିଥିଲା। କିନ୍ତୁ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ପରୀକ୍ଷାକୁ ନିକଟରେ ବାତିଲ୍‌ କରାଯାଇଥିଲା। ପରୀକ୍ଷା ହୋଇପାରିନଥିବା ସମସ୍ତ ବିଷୟର ପରୀକ୍ଷା ବାତିଲ୍‌ ହେବା ପରେ କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକଜାମିନେସନ୍ (ସିଆଇଏସ୍ଇ) ପକ୍ଷରୁ ଶୁକ୍ରବାର ଆଇସିଏସ୍ଇ (ଦଶମ) ଏବଂ (ଦ୍ବାଦଶ) ବୋର୍ଡ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ହୋଇଛି।

ଶୁକ୍ରବାର ଅପରାହ୍ନ ୩ଟା ପରେ ଆଇସିଏସ୍ଇ, ଆଇଏସ୍‌ସି ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ cisce.org କିମ୍ବା results.cisce.org ୱେବସାଇଟକୁ ଯାଇ ରେଜଲ୍ଟ ଦେଖିପାରିବେ। ଏହାବାଦ୍‌ ଛାତ୍ରଛାତ୍ରୀ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବି ରେଜଲ୍ଟ ଜାଣିପାରିବେ। ଏଥିପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମେସେଜ୍‌ ବକ୍ସକୁ ଯାଇ ଆଇସିଏସ୍‌ଇ ପରେ ୭ନମ୍ବର ବିଶିଷ୍ଟ ସ୍ବତନ୍ତ୍ର ପରିଚୟ ନମ୍ବର ଟାଇପ୍ କରି ୦୯୨୪୮୦୮୨୮୮୩ ନମ୍ବରରେ ପଠାଇବାକୁ ପଡ଼ିବ। ସେହିପରି ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଇଏସ୍‌ସି ପରେ ୭ନମ୍ବର ବିଶିଷ୍ଟ ସ୍ବତନ୍ତ୍ର ପରିଚୟ ନମ୍ବର ଟାଇପ୍ କରି ୦୯୨୪୮୦୮୨୮୮୩ ନମ୍ବରରେ ପଠାଇବାକୁ ପଡ଼ିବ। ଏହାପରେ ଛାତ୍ରଛାତ୍ରୀଙ୍କୁ ମୋବାଇଲରେ ରେଜଲ୍ଟ ମିଳିଯିବ।

ସୂଚନାଯୋଗ୍ୟ ଯେ ଚଳିତବର୍ଷ ଆଇସିଏସ୍‌ଇ ବୋର୍ଡର ୧୦ମ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି ୨୭ରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଆଇଏସ୍‌ସି ବୋର୍ଡର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି ୩ରୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ହେବାର ଥିଲା। କିନ୍ତୁ ମାର୍ଚ୍ଚ ଶେଷ ସପ୍ତାହରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ୍‌ ହୋଇଥିଲା।

ଅପରପକ୍ଷେ ରାଜ୍ୟରେ ଚଳିତବର୍ଷ ପ୍ରାୟ ୩୦ହଜାରରୁ ଅଧିକ ଛାତ୍ରଛାତ୍ରୀ ଆଇସିଏସ୍ଇ, ଆଇଏସ୍‌ସି ବୋର୍ଡ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଏବେ ରେଜଲ୍ଟକୁ ଅପେକ୍ଷା କରିଛନ୍ତି। ଯେଉଁ ବିଷୟରେ ପରୀକ୍ଷା ହୋଇପାରିନି ସେଗୁଡ଼ିକରେ କେତେ ନମ୍ବର ମିଳୁଛି ତାହା ଉପରେ ସମସ୍ତଙ୍କ ନଜର।

ସିଆଇଏସ୍ଇ ରେଜଲ୍ଟ ପ୍ରକାଶ ନେଇ ଘୋଷଣା କରିବା ପରେ ସିବିଏସ୍‌ଇ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମାଧ୍ୟମିକ ଶିକ୍ଷା ପରିଷଦ କେବେ ପରୀକ୍ଷା ଫଳ ପ୍ରକାଶ କରୁଛନ୍ତି ତାହାକୁ ଲକ୍ଷାଧିକ ଛାତ୍ରଛାତ୍ରୀ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର