ଶିଶୁଭବନରେ ବଢ଼ିଲା ଆଇସିୟୁ ବେଡ୍

କଟକ : ଶିଶୁଭବନରେ ଆଇସିୟୁ ବେଡ୍ ପାଇବା ପାଇଁ ଏକ ସପ୍ତାହ କାଳ ଅପେକ୍ଷା କରୁଥିବା ଶିଶୁ ରୋଗୀଙ୍କ ପରିବାରର ଦୁଃଖ ଗଲା। ଶିଶୁଭବନରେ ଅଧିକ ୧୪ଟି ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି ଘଟିଛି। ଫଳରେ ଶିଶୁଭବନରେ ଆଇସିୟୁ ବେଡ୍ ସଂଖ୍ୟା ୩୫ ଛୁଇଁଛି। ସମାନ୍ତରାଳ ଭାବେ ଶିଶୁଭବନ ଉପରେ ନିର୍ଭର କରୁଥିବା ସିଟି ହସପିଟାଲ୍‌ରେ ବି ଶିଶୁରୋଗୀଙ୍କ ପାଇଁ ପ୍ରଥମଥର ୪ଟି ଆଇସିୟୁ ବେଡ୍‌ ବିଶିଷ୍ଟ ୱାର୍ଡ ଖୋଲାଯାଇଥିବା ସୂଚନା ମିଳିଛି।

ଜାପାନ କୋଠାରେ କରୋନାର ତୃତୀୟ ଲହରରେ ଶିଶୁଙ୍କ ଅଧିକ ସଂଖ୍ୟାରେ ସଂକ୍ରମଣକୁ ଦୃଷ୍ଟିରେ ରଖି ପେ ବେଡ୍‌କୁ ବନ୍ଦ କରି ସେହି ସ୍ଥାନରେ ରାଜ୍ୟର ପ୍ରଥମ ସ୍ବତନ୍ତ୍ର ଶିଶୁ କୋଭିଡ୍ ସେଣ୍ଟର୍‌ ଖୋଲାଯାଇଥିଲା। ଏବେ ସେହି କୋଭିଡ୍ ସେଣ୍ଟର୍‌କୁ ଆଇସିୟୁ ଭାବେ ଘୋଷଣା କରାଯାଇଛି। ଏଥିରେ ୪ଟି ଏନ୍‌ଆଇସିୟୁ(ନ୍ୟୁବର୍ଣ୍ଣ ଇଣ୍ଟେନସିଭ୍ କେୟାର ୟୁନିଟ୍) ଓ ୧୦ଟି ପିଆଇସିୟୁ(ପେଡିଆଟ୍ରିକ୍‌ ଇଣ୍ଟେନସିଭ୍ କେୟାର୍‌ ୟୁନିଟ୍) ବେଡ୍ ଖୋଲାଯିବ। ପୂର୍ବରୁ ଶିଶୁଭବନର ଏନ୍‌ଆଇସିୟୁରେ ୯ଟି ଓ ପିଆଇସିୟୁରେ ୧୨ଟି ବେଡ୍ ଜାପାନ କୋଠାରେ କାର୍ଯ୍ୟକ୍ଷମ ହେଉଥିଲା। ଶିଶୁଭବନରେ ୨୦୧୬ ଫେବ୍ରୁଆରି ୩ ତାରିଖରୁ ଜାପାନ କୋଠା ପଛପଟେ ୭ ମହଲା କୋଠା ପାଇଁ ଭିତ୍ତିପ୍ରସ୍ତର ପଡ଼ିଥିବା ବେଳେ ସେଠି ୪୫ଟି ଆଇସିୟୁ ବେଡ୍ ଖୋଲିବାକୁ ଲକ୍ଷ ରଖାଯାଇଥିଲା। କିନ୍ତୁ ୬ ବର୍ଷ ହେବ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ଶିଶୁଭବନରେ ଆଇସିୟୁ ବେଡ୍ ପାଇଁ ଦହଗଞ୍ଜ ହେଉଛନ୍ତି ଅଭାବୀ ଶିଶୁ। ଆଇସିୟୁରେ ବେଡ୍ ଖଣ୍ଡେ ପାଇବା ପାଇଁ ପ୍ରଥମେ ବୁକିଂ କରିବାକୁ ପଡ଼ୁଛି। ମାତ୍ର ୨୧ଟି ଆଇସିୟୁ ବେଡ୍ ଥିବାରୁ ତୁରନ୍ତ ଆଇସିୟୁ ବେଡ୍ ମିଳୁନାହିଁ। ୨୧ଟି ବେଡ୍‌ରୁ ଯଦି କୌଣସି ଶିଶୁର ମୃତ୍ୟୁ ହୁଏ କିମ୍ବା ଡିସଚାର୍ଜ ହେଉଛି, ତେବେ ଆଇସିୟୁରେ ବେଡ୍ ଖାଲି ହେଉଛି। ସେ ପର୍ଯ୍ୟନ୍ତ ଗୁରୁତର ଶିଶୁ ରୋଗୀ ଏଭଳି ଅଭାବନୀୟ ପରିସ୍ଥିତିର ମୁକାବିଲା କରିବା ଉଦ୍ଦେଶ୍ୟରେ ଶିଶୁଭବନରେ ୧୪ଟି ଆଇସିୟୁ ବେଡ୍ ଖୋଲାଯାଇଛି।

ବେଡ୍ ପାଇଁ ଅପେକ୍ଷା କରୁଥିଲେ ସପ୍ତାହେ
୨୧ ବେଡ୍ ସହିତ ମିଶିଲା ୧୪
ସିଟି ହସପିଟାଲରେ ବି ଶିଶୁଙ୍କ ଆଇସିୟୁ 

କଟକ ସିଟି ହସପିଟାଲ୍‌ରେ ବି ସମାନ୍ତରାଳ ଭାବେ କରୋନା ୱାର୍ଡକୁ ଶିଶୁରୋଗୀଙ୍କ ପାଇଁ ଆଇସିୟୁ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ ପରିଚିତ ସିଟି ହସପିଟାଲରେ ଶିଶୁ ରୋଗୀଙ୍କ ପାଇଁ ଆଇସିୟୁ ସୁବିଧା ନଥିବାରୁ ସେମାନଙ୍କୁ ବଡ଼ ଡାକ୍ତରଖାନା କିମ୍ବା ଶିଶୁଭବନକୁ ସ୍ଥାନାନ୍ତର କରାଯାଉଥିଲା। ଏହାଦ୍ବାରା ଶିଶୁଭବନ ଉପରେ ଆଇସିୟୁ ବେଡ୍ ଯୋଗାଇବା ପାଇଁ ଅତିରିକ୍ତ ଚାପ କେବଳ କଟକ ଜିଲ୍ଲାରୁ ହିଁ ଥିଲା। ତେଣୁ ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ୪ଟି ଆଇସିୟୁ ବେଡ୍ ଖୋଲାଯାଇଛି। ଦୁଇଟି ଆଇସିୟୁ ଓ ଦୁଇଟି ଏମ୍‌ଆଇସିୟୁ(ମେଡିକାଲ୍ ଇନଟେନସିଭ୍ କେୟାର୍‌ ୟୁନିଟ) ଭାବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି।

ଅନ୍ୟପଟେ ଏବେ ଶିଶୁଭବନରେ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଥିବା ବେଳେ ସାତ ମହଲା କୋଠା ନିର୍ମାଣ ଦାୟିତ୍ବ ନେଇଥିବା ବ୍ରିଜ୍ ଆଣ୍ଡ ରୁଫ୍(କୋ) ଇଣ୍ଡିଆ ଲିମିଟେଡ୍ କାମ କେବେ ଶେଷ କରିବ, ତାକୁ ନେଇ ବହୁବର୍ଷ ହେବ ଅନିଶ୍ଚିତତା ଲାଗି ରହିଛି। ଯେହେତୁ ଆର୍‌ ଆଣ୍ଡ୍‌ ବି ଅଧୀନରେ ଏହି କାର୍ଯ୍ୟ ଜାରି ରହିଛି, ଶିଶୁଭବନ କର୍ତ୍ତୃପକ୍ଷ ଅନ୍ଧାରରେ ରହିଛନ୍ତି। ଏବେ ଶିଶୁଭବନରେ ୪୧୬ ବେଡ୍ ଥିବା ବେଳେ ନୂଆ କୋଠାରେ ଅଧିକ ୧୩୫ଟି ବେଡ୍ ଖୋଲିଥାନ୍ତା। ଯାହା ଦ୍ବାରା ରୋଗୀଙ୍କ ଅଭାବକୁ ପୂରଣ କରାଯାଇପାରିଥାନ୍ତା। ସାରା ରାଜ୍ୟର ଶିଶୁ ରୋଗୀ ନିର୍ଭର କରୁଥିବା ଏକମାତ୍ର ଶିଶୁ ଚିକିତ୍ସା ପ୍ରତିଷ୍ଠାନର ନୂଆ କୋଠା ନିର୍ମାଣ ଶେଷ ହେଉ ନଥିବାରୁ ସାଧାରଣ ରୋଗୀ ବେଡ୍ ଖଣ୍ଡେ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର