ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନା (ଭିମସାର)ରେ ଚିକିତ୍ସା ସୁବିଧା ଥାଇ ମଧ୍ୟ ଆଇସିୟୁ ଶଯ୍ୟା ଅଭାବରୁ ପ୍ରାୟ ୨୦ରୁ ଅଧିକ ରୋଗୀ ପ୍ରତିଦିନ ଅନ୍ୟତ୍ର ରେଫର୍‌ ହେଉଛନ୍ତି। ଆଇସିୟୁ ଶଯ୍ୟା ସଙ୍କଟ ଏତେ ଜଟିଳ ଯେ ପ୍ରାଥମିକ ସ୍ତରରୁ ରୋଗୀଙ୍କୁ ଆଇସିୟୁ ଦରକାର ଶୁଣିଲେ ହିଁ ପରିଜନମାନେ ଭିମସାର ନ ଆସି ଘରୋଇ ଡାକ୍ତରଖାନା କିମ୍ବା ନର୍ସିଂହୋମ ଚାଲି ଯାଉଛନ୍ତି। ଏଣେ କିନ୍ତୁ ସୁପରସ୍ପେସାଲିଟି ଡାକ୍ତରଖାନାରେ ସମୁଦାୟ ୫୦ ଶଯ୍ୟା ବିଶିଷ୍ଟ ଆଇସିୟୁ ଉଦ୍‌ଘାଟନ ହୋଇ ନ ପାରି ଖତ ଖାଉଛି।

Advertisment

ସୂଚନା ଅନୁଯାୟୀ, ଭିମସାରରେ ୨୦ ଶଯ୍ୟା ବିଶିଷ୍ଟ କେନ୍ଦ୍ରୀୟ ଆଇସିୟୁ ରହିଛି। ଏଭଳି କୌଣସି ସମୟ ନଥାଏ ଯେତେବେଳେ କି ଏଠାରେ ଶଯ୍ୟା ଅନୁସାରେ ରୋଗୀ ଭର୍ତ୍ତି ହୋଇ ନଥାଆନ୍ତି। ବରଂ ଅନେକ ସମୟରେ ଶଯ୍ୟା ମିଳିବାରେ ବିଳମ୍ବ ଯୋଗୁଁ ରୋଗୀ ଏଠାରେ ପହଞ୍ଚିବା ବେଳକୁ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥାଏ। ଏଥିମଧ୍ୟରେ ଦୁର୍ଘଟଣାରେ ଗୁରୁତର ଏବଂ ହୃଦ୍‌ଘାତରେ ଥିବା ରୋଗୀ ସର୍ବାଧିକ ଥାଆନ୍ତି। ଜଣେ ଡାକ୍ତରଙ୍କ କହିବା ଅନୁସାରେ, ଭିମସାର ଚାରିପାଖରେ ଥିବା ସମସ୍ତ ନର୍ସିଂହୋମ୍‌ ଏବଂ ଘରୋଇ ଡାକ୍ତରଖାନାଗୁଡ଼ିକ ଭିମସାରରେ ଆଇସିୟୁର ଅଭାବ ଯୋଗୁଁ ହିଁ ତିଷ୍ଠି ରହିଛନ୍ତି। ଏହି ନର୍ସିଂହୋମ୍‌ରେ ଆଇସିୟୁ ଖର୍ଚ୍ଚ ଅନ୍ୟୂନ ୧୫ ହଜାରରୁ ଆରମ୍ଭ ହେଉଛି। ଆର୍ଥିକ ଭାବେ ଦୁର୍ବଳ ରୋଗୀଙ୍କ ପାଇଁ ଏଠାରେ ଚିକିତ୍ସା କରିବା ଅତି କଷ୍ଟକର। ଭିମସାରରେ ଏହି ରୋଗୀଙ୍କ ଆଇସିୟୁର ଅଭାବ ପୂରଣ ହେଲେ ସେମାନେ ବଡ଼ ଅର୍ଥ ବୋଝରୁ ମୁକ୍ତି ପାଇଯାଆନ୍ତେ। ସୁପରସ୍ପେସାଲିଟି ଡାକ୍ତରଖାନା ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ନ କଲେ ମଧ୍ୟ ସମାଧାନ ଦିଗରେ ବାଟ ଫିଟାଇବ। ଭିମସାର ସୁପରସ୍ପେସାଲିଟି ଡାକ୍ତରଖାନାର ଆଇସିୟୁ ଶଯ୍ୟା ସଂଖ୍ୟା ୫୦ ରହିଛି। ସୁପରସ୍ପେସାଲିଟି ଡାକ୍ତରଖାନା ଆଇସିୟୁର ତଫାତ୍ ହେଲା, ଏଠାରେ ଏକାସାଙ୍ଗରେ ୫୦ ଆଇସିୟୁ ଶଯ୍ୟା ନାହିଁ।

ଶଯ୍ୟା ଅଭାବରୁ ରେଫର୍‌ ହେଉଛନ୍ତି ରୋଗୀ
ଲାଭରେ ଘରୋଇ ଡାକ୍ତରଖାନା
ସୁପରସ୍ପେସାଲିଟି ଡାକ୍ତରଖାନା କାର୍ଯ୍ୟକ୍ଷମ ଦାବି ତେଜୁଛି

ପ୍ରସ୍ତାବିତ ୯ ବିଭାଗ ସହିତ ସ୍ବତନ୍ତ୍ର ଆଇସିୟୁ ଶଯ୍ୟା ଯୋଡ଼ି ହୋଇ ରହିଛି। ଯେପରିକି କେନ୍ଦ୍ରୀୟ ଆଇସିୟୁକୁ ସୁପରସ୍ପେସାଲିଟି ବିଭାଗର ଗୁରୁତର ରୋଗୀଙ୍କୁ ଯିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ଭିମ୍‌ସାରରେ କାର୍ଯ୍ୟକ୍ଷମ ଥିବା ୫ ବିଭାଗ ଅର୍ଥାତ୍‌ କାର୍ଡିଓଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରି, ୟୁରୋଲୋଜି, ନେଫ୍ରୋଲୋଜି ବିଭାଗର ସ୍ବତନ୍ତ୍ର ଡାକ୍ତର ଏବଂ ଆବଶ୍ୟକ ସ୍ବାସ୍ଥ୍ୟ କର୍ମଚାରୀ ରହିଛନ୍ତି। ଏହାସହିତ ଶିଶୁଶଲ୍ୟ ଏବଂ ପ୍ଲାଷ୍ଟିକ ସର୍ଜରି ବିଭାଗର ଡାକ୍ତର ଅଛନ୍ତି। ଯେଉଁମାନେ ଭିମସାର ସୁପରସ୍ପେସାଲିଟି କାର୍ଯ୍ୟକ୍ଷମ ହେଲେ ଆଇସିୟୁରେ ମଧ୍ୟ କାର୍ଯ୍ୟ କରିପାରିବେ। କିନ୍ତୁ ଏଥିରେ ମଧ୍ୟ ଏକ ବଡ଼ ସମସ୍ୟା ହେଲା, ସୁପରସ୍ପେସାଲିଟି ଆଇସିୟୁର ସହଜ କାର୍ଯ୍ୟକ୍ଷମ ପାଇଁ ଅନ୍ୟୂନ ନିଶ୍ଚେତକ ବିଭାଗର ସ୍ବତନ୍ତ୍ର ୟୁନିଟ୍‌ ସହିତ ଆହୁରି କିଛି କର୍ମଚାରୀଙ୍କ ନିଯୁକ୍ତିର ଆବଶ୍ୟକତା ରହିଛି। ତେଣୁ ଅତି କମରେ ଯେଉଁ ବ୍ୟବଧାନ ମଧ୍ୟରେ ସୁପରସ୍ପେସାଲିଟି ଡାକ୍ତରଖାନାକୁ ସରକାର ଉଦ୍‌ଘାଟନ କରୁଛନ୍ତି ସେହି ସମୟ ମଧ୍ୟରେ ଏହି ନିଯୁକ୍ତି କରି ଦିଆଗଲେ ଯେତେବେଳେ ଏହା କାର୍ଯ୍ୟକ୍ଷମ ହେବ ଉଭୟ ରୋଗୀ ଏବଂ ଡାକ୍ତରଙ୍କ ପାଇଁ କୌଣସି ସମସ୍ୟା ରହିବ ନାହିଁ। ସୂଚନା ଅନୁଯାୟୀ, ୨୦୦୮ ମସିହାରେ ଭିମସାରରେ କେନ୍ଦ୍ରୀୟ ଆଇସିୟୁ ଆରମ୍ଭ ହୋଇଥିଲା। ସୁପରସ୍ପେସାଲିଟି ଡାକ୍ତରଖାନା କାର୍ଯ୍ୟକ୍ଷମ ହେଲେ କେନ୍ଦ୍ରୀୟ ଆଇସିୟୁର ୩୦ ପ୍ରତିଶତ ରୋଗୀଙ୍କ ଭାର କମିଯିବ।