ଭିମ୍‌ସାରରେ ପୁଣି ଅବ୍ୟବସ୍ଥା: ଆଇସିୟୁ ପାଇପ୍‌ ଲାଇନ୍‌ ଫାଟିଲା

ସମ୍ବଲପୁର: ବୁର୍ଲା ବଡ଼ ଡାକ୍ତରଖାନାରେ ରୋଗୀ ଅନୁପାତରେ ଆଇସିୟୁ ସଂଖ୍ୟା ଢ଼େର କମ୍‌ ରହିଥିବାରୁ ନିତିଦିନ ଶହ ଶହ ରୋଗୀ ଆଇସିୟୁ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ତେବେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ଓ ନିୟମିତ ଭାବେ ଯାଞ୍ଚ କରାନଯିବା କାରଣରୁ ସୋମବାରଠାରୁ ଆଇସିୟୁକୁ ଅକ୍ସିଜେନ୍‌ ଯାଉଥିବା ପାଇପ୍‌ ଲାଇନ୍‌ଟି ଫାଟି ଯାଇଛି। ଫଳରେ ଚାମ୍ବରରୁ ଆଇସିୟୁ ମଧ୍ୟକୁ ଅକ୍ସିଜେନ୍‌ ଯିବା ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ଆଇସିୟୁରେ ରହିଥିବା ୫ଟି ଶଯ୍ୟାକୁ ଆଦୌ ଅମ୍ଳଜାନ ପହଞ୍ଚି ପାରୁନଥିବାରୁ ସେହି ଶଯ୍ୟାଗୁଡ଼ିକରେ ରୋଗୀଙ୍କୁ ରଖାଯାଉନାହିଁ। ଘଟଣା ସମ୍ପର୍କରେ ଡାକ୍ତରଖାନା ଅଧୀକ୍ଷକ ଡା.ଜୟଶ୍ରୀ ଦୋରାଙ୍କୁ ଯୋଗାଯୋଗ କରାଯିବାରୁ ପାଇପ୍‌ ଲାଇନ୍‌ ମରାମତି କାର୍ଯ୍ୟ ଦାୟିତ୍ବରେ ଥିବା କମ୍ପାନି ଆସି କାମ ଆରମ୍ଭ କରିଥିବା ସେ ସୂଚନା ଦେଇଛନ୍ତି।

ଡାକ୍ତରଖାନାର ଆଇସିୟୁକୁ ସଂଯୋଗ କରୁଥିବା ପାଇପ୍‌ ଲାଇନ୍‌ଟି ବେଶ୍‌ ପୁରୁଣା ହୋଇଯାଇଥିବା ସମୟ‌ରେ ଦୀର୍ଘବର୍ଷ ହେବ ମରାମତି ହୋଇନଥିଲା। ତେବେ ବର୍ଷତମାମ୍‌ ଆଇସିୟୁରେ ରୋଗୀଙ୍କ ଭିଡ଼ ଲାଗି ରହୁଥିବାରୁ ମରାମତି ମଧ୍ୟ ସମ୍ଭବ ହେଉନଥିଲା। ସୋମବାର ହଠାତ୍‌ ଅକ୍ସିଜେନ୍‌ ଯୋଗାଣ ହେଉଥିବା ପାଇପ୍‌ ଲାଇନ୍‌ ଫାଟି ଲିକେଜ୍‌ ହେବା ପରେ ୫ଟି ବେଡ୍‌ରେ ଥିବା ରୋଗୀଙ୍କୁ ଅମ୍ଳଜାନ ପହଞ୍ଚି ପାରିନଥିଲା। ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ରୋଗୀଙ୍କୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରି ଉକ୍ତ ବେଡ୍‌ରେ ଥିବା ଗୁରୁତର ରୋଗୀଙ୍କୁ ସାଧାରଣ ୱାର୍ଡ଼ ବେଡ୍‌କୁ ନିଆଯାଇଥିଲା। ଅପରପକ୍ଷେ, ଡାକ୍ତରଖାନାର ୧୪ ଶଯ୍ୟା ବିଶିଷ୍ଠ ଆଇସିୟୁକୁ ଅନ୍ତତଃ ୨୦ ଶଯ୍ୟା କରିବା ପାଇଁ କନିଷ୍ଠ ଡାକ୍ତର ସଂଘ ପକ୍ଷରୁ ଦାବି କରାଯିବା ପରେ ଗତ ସପ୍ତାହରେ ଆଉ ୬ଟି ଭେଣ୍ଟିଲେଟର ଆସିଥିଲା। ତେବେ ଭେଣ୍ଟିଲେଟର ଯୋଗାଣକାରୀ କମ୍ପାନି ଆସି ସେଗୁଡ଼ିକ ସଂଯୋଗ କରିଥିବା ସମୟରେ ନୂଆ ପାଇପ୍‌ଲାଇନ୍‌ ପକା କାମ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର