ସମ୍ବଲପୁର : ଭିମ୍‌ସାରରେ ଦୀର୍ଘଦିନ ଧରି ଚାଲିଥିବା ଆଇସିୟୁ ରାକେଟ୍‌ ଏବେ ସାମ୍ନାକୁ ଆସିଛି। ଗୋଟିଏ ପଟେ ଭିମ୍‌ସାରକୁ‌ ଦୈନିକ ୨ ହଜାରରୁ ଅଧିକ ରୋଗୀ ଆସୁଥିବା ସମୟରେ ଅନ୍ୟୁନ ୫୦ ଜଣଙ୍କୁ ଆଇସିୟୁର ଆବଶ୍ୟକତା ପଡ଼ୁଛି। କିନ୍ତୁ ଭିମ୍‌ସାର ଭିତରର ଗୁରୁତର ରୋଗୀଙ୍କୁ ଆଇସିୟୁ ନଦେଇ ଏକ ଘରୋଇ କୋଭିଡ୍‌ ହସ୍ପିଟାଲରୁ ଡିସଚାର୍ଜ କରି ଦିଆ ଯାଉଥିବା ରୋଗୀଙ୍କ ପାଇଁ ଭିମ୍‌ସାର ସେଣ୍ଟ୍ରାଲ ଆଇସିୟୁରେ ଶଯ୍ୟା ସଂରକ୍ଷିତ ରଖାଯାଉଥିବାର ସାଂଘାତିକ ଅଭିଯୋଗ ଆସୁଛି।

Advertisment

ପ୍ରତି ଦିନ ୧୫ରୁ ନେଇ ୫୦ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ରୋଗୀଙ୍କୁ ଆଇସିୟୁ ଉପଲବ୍‌ଧ ନଥିବା କୁହାଯାଉଥିବା ବେଳେ ଉକ୍ତ ଘରୋଇ ଡାକ୍ତରଖାନାରୁ କୌଣସି ରୋଗୀ ଆସିବାକୁ ଥିଲେ ୨-୩ ଦିନ ପର୍ଯ୍ୟନ୍ତ ବି ଆଇସିୟୁ ଶଯ୍ୟା ଖାଲି ରଖାଯାଉଛି। ଉକ୍ତ ଘରୋଇ ହସ୍ପିଟାଲରୁ ଆସୁଥିବା ରୋଗୀ ସିଧାସଳଖ ଭିତରକୁ ଆସି ସଂପୃକ୍ତ ଡାକ୍ତରଙ୍କ ନାମ ନେଇ ଖାଲି ଥିବା ଶଯ୍ୟାରେ ଆମ ରୋଗୀ ରହିବେ ବୋଲି କହୁଛନ୍ତି। ଆଇସିୟୁରେ ହିଁ କାର୍ଯ୍ୟରତ ଅନ୍ୟ କିଛି ଡାକ୍ତର ଏଭଳି ସାଂଘାତିକ ଅଭିଯୋଗ କରିବା ସହ ତଥ୍ୟ ପ୍ରମାଣ ବି ଦେଇଛନ୍ତି। ସେପଟେ, ଭିମ୍‌ସାରର ଯେଉଁ ରୋଗୀଙ୍କୁ ଆଇସିୟୁର ଆବଶ୍ୟକତା ରହୁଛି ସେମାନଙ୍କୁ ବିଭିନ୍ନ ଘରୋଇ ନର୍ସିଂହୋମ୍‌ ଓ ହସ୍ପିଟାଲ ସହ ଯୋଗାଯୋଗ କରି ପଠାଇ ଦିଆ ଯାଉଥିବା ଜଣାପଡ଼ିଛି। କିଛି ଟଙ୍କା କମିସନ ପାଇଁ ଭିମ୍‌ସାରର କିଛି ଡାକ୍ତର ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଭିମ୍‌ସାର ଅଧୀକ୍ଷକ ଡା.ଜୟଶ୍ରୀ ଦୋରାଙ୍କୁ ପଚାରିବାରେ ଏ ବିଷୟରେ ଅବଗତ ନାହାନ୍ତି ଓ ଅଭିଯୋଗର ତଦନ୍ତ କରିବେ ବୋଲି କହିଛନ୍ତି।

publive-image vimsar.ac.in

ଭିମ୍‌ସାର ସେଣ୍ଟ୍ରାଲ ଆଇସିୟୁରେ ୨୦ଟି ଶଯ୍ୟା ରହିଥିବା ବେଳେ ବର୍ଷର ସବୁ ସମୟରେ ୬ରୁ ୮ଟି ଆଇସିୟୁ ଅଚଳ ରହୁଛି। ଫଳରେ ଭିମ୍‌ସାରକୁ ଆସୁଥିବା ରୋଗୀ ଆଇସିୟୁ ନପାଇ ବାଧ୍ୟ ହୋଇ ଘରୋଇ ନର୍ସିଂହୋମ୍‌କୁ ଯାଉଛନ୍ତି। ଘରୋଇ ନର୍ସିଂହୋମ୍‌ରେ ଦିନକୁ ୧୦ ହଜାର ଟଙ୍କା ନିଆ ଯାଉଥିବାରୁ ଅଧିକାଂଶ ଏହି ଫି’ ଦେବାକୁ ସମର୍ଥ ହେଉ ନାହାନ୍ତି। ଯଦ୍ବାରା କିଛି ରୋଗୀଙ୍କର ଜୀବନ ମଧ୍ୟ ଯାଉଛି। ଅପରପକ୍ଷେ, ଅଚଳ କହାଯାଉଥିବା ୬ରୁ ୮ଟି ଆଇସିୟୁ ପ୍ରକୃତରେ ଅଚଳ ନଥିବା ସମୟରେ ତାହା ଏକ ଘରୋଇ କୋଭିଡ୍‌ ହସ୍ପିଟାଲରୁ ଡିସଚାର୍ଜ ହୋଇ ଆସୁଥିବା ରୋଗୀଙ୍କ ପାଇଁ ସଂରକ୍ଷିତ ରହୁଥିବା ଦେଖିବାକୁ ମିଳିଛି। ଉକ୍ତ ଘରୋଇ ହସ୍ପିଟାଲରୁ ଆସୁଥିବା ରୋଗୀଙ୍କ ପାଇଁ ଭିମ୍‌ସାର କାଜୁଆଲଟି ଟିକେଟ ମଧ୍ୟ ଆବଶ୍ୟକ ପଡ଼ୁନଥିବା ଜଣାପଡ଼ିଛି। ୩ ଦିନ ହେବ ଭିମ୍‌ସାରର ୪ଟି ଶଯ୍ୟା ସଂରକ୍ଷିତ ରଖାଯାଇ ସେଗୁଡ଼ିକ ଅଚଳ ଥିବା କହି କୌଣସି ରୋଗୀଙ୍କୁ ଭର୍ତ୍ତି କରାଯାଉ ନଥିଲା। ତେବେ ଶନିବାର ହଠାତ୍‌ ଜଣେ ରୋଗୀଙ୍କ ସମ୍ପର୍କୀୟ ଆଇସିୟୁକୁ ଆସି ଜଣେ ଡାକ୍ତରଙ୍କ ନାମ‌ ନେଇ ଖାଲି ଥିବା ଶଯ୍ୟା ଦେବାକୁ କହିଥିଲେ। ଉକ୍ତ ରୋଗୀ ସମ୍ପର୍କୀୟଙ୍କ ଏଭଳି କଥା ଶୁଣି ସେଠାରେ କାର୍ଯ୍ୟରତ ଅନ୍ୟ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ଓ ଏହି ଘଟଣା ସାମ୍ନାକୁ ଆସିଥିଲା।

ଅପରପକ୍ଷେ, ଭିମ୍‌ସାରରେ ଆଇସିୟୁ ନଥିବା କହି ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍‌କୁ ମଧ୍ୟ ରେଫର କରିଦିଆ ଯାଉଥିବା ଘଟଣାର ପ୍ରମାଣ ହାତରେ ଲାଗିଛି। ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ବ୍ଲକରେ ଜଣେ ରୋଗୀ ସର୍ଜରି ମେଡିସିନ୍‌ ବିଭାଗରେ ଭର୍ତ୍ତି ହୋଇଥିବା ସମୟରେ ଶନିବାର ତାଙ୍କୁ ଆଇସିୟୁ ଆବଶ୍ୟକ ରହିଥିବା ନେଇ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ରୋଗୀ ସମ୍ପର୍କୀୟ ସକାଳ ୯ଟାରୁ ଦିନ ୩ଟା ଯାଏ ଏ ଅଫିସ୍‌ରୁ ସେ ଅଫିସ୍‌ ଦୌଡ଼ିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଆଇସିୟୁ ଖାଲି ଥିବା ନେଇ ଖୋଦ୍‌ ଜଣେ କର୍ମଚାରୀ ରୋଗୀ ସମ୍ପର୍କୀୟଙ୍କୁ କହିବା ପରେ ଉକ୍ତ ରୋଗୀଙ୍କୁ ନର୍ସିଂହୋମ୍‌କୁ ସ୍ଥାନାନ୍ତର କରା ଯାଇଥିଲା।