ସପ୍ତାହରେ ବଦଳିନି ଆଇସିୟୁ ସ୍ଥିତି, ଏବେ ବି ଆଇସିୟୁରେ ଅଛନ୍ତି ୬% ରୋଗୀ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହଜାରେକୁ ଖସି ଆସିଲାଣି। କେବଳ ଭୁବନେଶ୍ବର, କଟକକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ସଂକ୍ରମଣ ଶହେ ତଳେ କିମ୍ବା ଏକ ଅଙ୍କରେ ସୀମିତ ରହିଛି। ହେଲେ ରାଜ୍ୟରେ ଆଇସିୟୁରେ ଏବେ ବି ୬ ପ୍ରତିଶତ ରୋଗୀ ରହିଛନ୍ତି। ଗୋଟିଏ ସପ୍ତାହରେ ଏଥିରେ ବଡ଼ ପରିବର୍ତନ ହୋଇନାହିଁ। ୬୬୭ କରୋନା ସଂକ୍ରମିତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ସମୁଦାୟ ୧୦,୪୨୮ ଚିକିତ୍ସାଧୀନ ରୋଗୀ ଥିବା ବେଳେ ଏଥିରେ ୮୭୫୪ଜଣ ଗୃହ ପୃଥକବାସରେ ରହିଛନ୍ତି। ସେହିପରି ୪୭୩ଜଣ ସାଧାରଣ ଶଯ୍ୟାରେ ଥିବା ବେଳେ ୬୬୭ଜଣ ଆଇସିୟୁ/ଏଚଡିୟୁରେ ଅଛନ୍ତି। ତହିଁରୁ ୧୪୩ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ୫୩୪ଜଣ ସିସିସି/ସିସିଏଚ୍‌ରେ ଥିବା ବେଳେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ବା ଟିଏମ୍‌ସିରେ ୨୧ଜଣ ଅଛନ୍ତି। ୬୫ଜଣ ଘରୋଇ ପୃଥକବାସରେ ରହିଥିବା ସ୍ବାସ୍ଥ୍ୟ ବିଭାଗରୁ ଜଣାପଡ଼ିଛି।

ଗତ ୭ତାରିଖ ବେଳକୁ ରାଜ୍ୟରେ ଆଇସିୟୁ/ଏଚ୍‌ଡିୟୁରେ ୭୬୧ଜଣ ରୋଗ ରହିଥିଲେ। ‌ଏହାସହ ସାଧାରଣ ଶଯ୍ୟାରେ ୪୧୯, ଭେଣ୍ଟିଲେଟରରେ ୧୭୮, ସିସିସି/ସିସିଏଚ୍‌ ୬୭୩, ଘରୋଇ ପୃଥକବାସରେ ୨୭ଜଣ ରହିଥିଲେ। ତେବେ ଏହି ୭ଦିନ ଭିତରେ ଆଇସିୟୁରେ ଥିବା ରୋଗୀଙ୍କ ମଧ୍ୟରୁ କେତେଜଣ ସୁସ୍ଥ କିମ୍ବା ପ୍ରାଣ ହରାଇଛନ୍ତି ସେ ସଂପର୍କରେ କୌଣସି ସୂଚନା ନାହିଁ।

ସମ୍ବନ୍ଧିତ ଖବର