ସୁନ୍ଦରଗଡ଼ରେ ୯୦, ବରଗଡ଼ରେ ୩୦ ଆଇସିୟୁ ବଢ଼ିବ

ଡବ୍ଲୁଓଡିିସି ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀଙ୍କ କରୋନା ସ୍ଥିତି ସମୀକ୍ଷା
ଦୈନିକ ଆର୍‌ଟିପିସିଆର ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯିବ

ଭୁବନେଶ୍ବର/ବରଗଡ଼/ରାଉରକେଲା : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲୁଓଡିସି) ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍‌ ତ୍ରିପାଠୀ ଆଜି ବରଗଡ଼ ଓ ରାଉରକେଲା ଗସ୍ତକରି କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି। ସୁନ୍ଦରଗଡ଼ ପାଇଁ ୯୦ ଓ ବରଗଡ଼ ପାଇଁ ଅଧିକ ୩୦ଟି ଆଇସିୟୁ ବଢ଼ିବ ବୋଲି ସୂଚନା ଦେଇଛନ୍ତି। ଏଥିସହିତ, ଦୁଇଜିଲ୍ଲାରେ ଆର୍‌ଟିପିସିଆର୍‌ ପରୀକ୍ଷା କ୍ଷମତା ବଢ଼ିବ ବୋଲି କହିଛନ୍ତି।

ଶ୍ରୀ ତ୍ରିପାଠୀ ବରଗଡ଼ ଜିଲ୍ଲାରେ ଏଣିକି ଆର୍‌ଟିପିସିଆର୍‌ ପରୀକ୍ଷା ହେବ ବୋଲି ଘୋଷଣା କରିବା ସହିତ କହିଛନ୍ତି ଯେ, ଏଥିପାଇଁ ବାୟୋ ସେଫ୍‌ଟି ଲାବ୍‌ର ଉନ୍ନତୀକରଣ କରାଯିବ। ଏହାବାଦ୍‌ ବାହାର ଜିଲ୍ଲାରୁ ବରଗଡ଼କୁ ୧୫୦ଟି ଅକ୍ସିଜେନ୍‌ ସିଲିଣ୍ଡର ଗୋଟିଏ ଦିନ ଭିତରେ ପହଞ୍ଚିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାବାଦ୍‌ ବିକାଶ ହସ୍ପିଟାଲରେ ୩୦ଟି ଅତିରିକ୍ତ ଆଇସିୟୁ ଶଯ୍ୟା ଉପଲବ୍ଧ କରାଇବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦିଷ୍ଟ ଶଯ୍ୟାରେ ଭର୍ତି ହେଉଥିବା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ। ଏହି ୩୦ଟି ଶଯ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରେଫର୍‌ ହେଉଥିବା ରୋଗୀ ହିଁ ଭର୍ତି ହୋଇପାରିବେ।

ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଂଗିନୀ ଛୁରିଆ, ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ, ଏସ୍‌ପି ପଦ୍ମିନୀ ସାହୁଙ୍କ ସମେତ ବରିଷ୍ଠ ଚିକିତ୍ସାଧିକାରୀ ଉପସ୍ଥିତ ଥିଲେ।

ସେହିଭଳି, ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍‌ଜନିତ ପରିସ୍ଥିତିକୁ ଦୃଷ୍ଟିକୁ ଦେଖି ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାରେ ଅଧିକ ୯୦ଟି ଆଇସିୟୁ ଏବଂ ୧୨୦ଟି ଅକ୍ସିଜେନଯୁକ୍ତ ବେଡ୍‌ ପାଇଁ ବ୍ୟବସ୍ଥା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ତ୍ରିପାଠୀ ଆଜି ଏଠାକୁ ଗସ୍ତରେ ଆସିଥିବା ଅବସରରେ ଏହି ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ରାଉରକେଲା ମହାନଗର ନିଗମ ଦ୍ୱାରା ପରିଚାଳିତ ୨୪ ଘଣ୍ଟିଆ କୋଭିଡ୍ ହେଲ୍ପଲାଇନ୍ କେନ୍ଦ୍ର ପରିଦର୍ଶନ କରିଥିଲେ। ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ବର୍ତ୍ତମାନ ଆବଶ୍ୟକ ସଂଖ୍ୟକ ଡାକ୍ତରଖାନା ଅଛି ଏବଂ ଏସବୁରେ ଅକ୍ସିଜେନଯୁକ୍ତ ବେଡ୍ ଓ ଆଇସିୟୁ ବେଡର ବ୍ୟବସ୍ଥା ରହିଛି। ଖୁବ୍‌ଶୀଘ୍ର ୯୦ଟି ଆଇସିୟୁ ବେଡ୍ ଏବଂ ୧୨୦ଟି ଅକ୍ସିଜେନଯୁକ୍ତ ବେଡ୍ ସ୍ଥାପନ କରାଯିବ। ବର୍ତ୍ତମାନ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଅକ୍ସିଜେନ ସିଲିଣ୍ଡର ଓ ଯଥେଷ୍ଟ ପରିମାଣରେ ଅକ୍ସିଜେନ ମହଜୁଦ ରହିଛି।

ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଆଗାମୀ ୧୦ ଦିନ ମଧ୍ୟରେ ଜିଲ୍ଲାକୁ ଆଉ ଗୋଟିଏ ଆରଟିପିସିଆର ମେସିନ ଯୋଗାଇ ଦିଆଯିବ। ଏହାଦ୍ୱାରା ଜିଲ୍ଲାରେ ଦୈନିକ କୋଭିଡ୍ ପରୀକ୍ଷା କ୍ଷମତା ୫୦୦କୁ ବୃଦ୍ଧି ପାଇବ।

ଏହି ଗସ୍ତ ଓ ସମୀକ୍ଷା ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଏସପି ମୁକେଶ କୁମାର ଭାମୋ, ରାଉରକେଲା ଏଡିଏମ୍ ଆବୋଲି ସୁନିଲ ନରୱଣେ, ରାଉରକେଲା ମହାନଗର ନିଗମ କମିସନର ଦିବ୍ୟଜ୍ୟୋତି ପରିଡ଼ା, ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ରାଉରକେଲାରେ କୋଭିଡ୍ ଚିକିତ୍ସା ଦାୟିତ୍ୱରେ ଥିବା ଏଏମଓ ଡାକ୍ତର ଶଶାଙ୍କ କବି ଶତପଥୀଙ୍କ ସହ ଜିଲ୍ଲାର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର