ଭୁବନେଶ୍ବର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ୍‌କୋର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର‌ ଲେଙ୍କାଙ୍କ ଘର ଓ ଅଫିସ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ ଚଳାଇଛି ଭିଜିଲାନ୍ସ। ଚଢ଼ଉ ବେ‌ଳେ ଆଖି ତରାଟି ହୋଇଯିବା ଭଳି ସମ୍ପତ୍ତି ଠାବ ହୋଇଥିବା ଜଣାପଡ଼ିଛି। ସମସ୍ତ ସମ୍ପତ୍ତିର ମୂଲ୍ୟ ଆକଳନ ହୋଇପାରିନଥିଲେ ମଧ୍ୟ ପ୍ରାୟ ୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା କୁହାଯାଉଛି।

Advertisment

ସୂଚନା ମୁତାବକ ଦୀର୍ଘ ଦିନ ହେବ ସେ ଲାଞ୍ଚ କାରବାରରେ ଲିପ୍ତ ଥିବା ନେଇ ବାରମ୍ବାର ଭିଜିଲାନ୍ସରେ ଅଭିଯୋଗ ହୋଇଆସୁଥିଲା। ତେଣୁ ଭିଜିଲାନ୍ସ ପକ୍ଷରୁ ମନୋଜଙ୍କ ଉପରେ କଡ଼ା ନଜର ଥିଲା। ଆଜି ଭିଜିଲାନ୍‌ସର ଟିମ୍‌ ଅଚାନକ ଏକକାଳୀନ ଖୋର୍ଦ୍ଧା, ପୁରୀ, ଟିକାବାଲି ଓ କେନ୍ଦ୍ରାପଡ଼ାର ୯ଟି ସ୍ଥାନରେ ଚଢ଼ଉ କରିଥିଲା। ଭୁବନେଶ୍ୱରର ୪ ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଭୁବନେଶ୍ବର କୋରଡ଼କଣ୍ଟାସ୍ଥିତ ୩ ମହଲା କୋଠା, ରୁପାଲି ଛକସ୍ଥିତ ଇଡ୍‌କୋ ଅଫିସ ଚାମ୍ବର, ଝାରପଡ଼ା ନିଳାଦ୍ରୀନଗରରେ ଥିବା ଘର, ଉତ୍ତରାଛକସ୍ଥିତ ଗୋଟିଏ ମାର୍କେଟ କମ୍ପ୍ଲେକ୍ସରେ ଭିଜିଲାନ୍ସ ଚଢ଼ଉ କରିଛି। ସେହିପରି ପୁରୀ ଗ୍ରାଣ୍ଡ ଏସିଆନ୍ ଆପାର୍ଟମେଣ୍ଟର ପଞ୍ଚମ ଫ୍ଲୋରରେ ଥିବା ଫ୍ଲାଟ୍‌, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କେଶପୁରରେ ଥିବା ପୈତୃକ ଘର ଓ ବେଲତଳରେ ଥିବା ୩ମହଲା ଘରେ ଚଢ଼ଉ ଜାରି ରହିଛି। ଏପର୍ଯ୍ୟନ୍ତ ମନୋଜଙ୍କ ମୋଟ୍‌ ୪ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ସେଥିରେ ୭ଟି ପ୍ଲଟ, ଫ୍ଲାଟ, ମାର୍କେଟ୍‌ କମ୍ପ୍ଲେକ୍ସ, ୬୮ଲକ୍ଷର ବ୍ୟାଙ୍କ ବାଲାନ୍ସ, ବୀମା, ନଗଦ ଏକ ଲକ୍ଷ ଟଙ୍କା, ୧୨ଲକ୍ଷ ଟଙ୍କାର ସୁନାଗହଣା ଆଦି ରହିଛି। ଆକଳନ ପରେ ଆଗକୁ ସମ୍ପତ୍ତି ମୂଲ୍ୟର ପରିମାଣ ବଢ଼ିବ ବୋଲି କୁହାଯାଉଛି। ଏହି ଚଢ଼ଉରେ ୨ ଜଣ ଡିଏସ୍‌ପିଙ୍କ ସମତେ ୧୦ ଇନ୍‌ସ୍ପେକ୍ଟର, ୨ଜଣ ସବ୍‌ଇନ୍‌ସ୍ପେକ୍ଟର, ୫ ଏଏସ୍‌ଆଇ ସାମିଲ ଅଛନ୍ତି।