ରାଉରକେଲା: ଶିଳ୍ପୋଦ୍ୟୋଗୀମାନଙ୍କୁ ଶିଳ୍ପ ପ୍ରତିଷ୍ଠା ପାଇଁ କଲୁଙ୍ଗା ଶିଳ୍ପାଞ୍ଚଳରେ ଇଡ଼୍‌କୋ ପକ୍ଷରୁ ଜାଗା ଯୋଗାଇ ଦିଆଯାଇଛି। ଅନେକ ସମୟରେ ଇଡ଼୍‌କୋ ସୁବିଧା ସୁ‌ଯୋଗ ନ ଦେଇ କେବଳ ଜାଗା ଦେଇ କାମ ସାରି ଦେଉଥିବା ଅଭିଯୋଗ ହେଉଛି।   ରାସ୍ତା, ବିଜୁଳି ବ୍ୟବସ୍ଥା ଠିକ୍‌ ନଥିବାରୁ  ଅଧିକାଂଶ ବ୍ୟବସାୟୀ ଓ ଶିଳ୍ପପତିଙ୍କୁ ମିଳିଥିବା ଜାଗା ସେମିତି ପଡିଛି। ପ୍ରାୟ ଦେଢ଼ ବର୍ଷ ଧରି ପଡିଥିଲେ ହେଁ ଇଡ୍‌କୋ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ।

Advertisment

ବିଭାଗୀୟ ଅଧିକାରୀ ଆଜି କାଲି କହି ମାସ ମାସ  ସମୟ ଗଡାଇ ଚାଲିଛନ୍ତି। ଏମିତି ଅଭିଯୋଗ ଆଣିଛନ୍ତି ଚୁନୁ ଦୁବେଙ୍କ ସମେତ କିଛି ବ୍ୟବସାୟୀ। ଗତ ପ୍ରାୟ ଦେଢ଼ ବର୍ଷ ପରେ କଲୁଙ୍ଗା ଶିଳ୍ପାଞ୍ଚଳରେ ୧୮  ବ୍ୟବସାୟୀ ଓ ଶିଳ୍ପପତି ଇଡ୍‌କୋରୁ ପ୍ରାୟ ୮ ଏକର ଜମି ନେଇଥିଲେ। ଏମାନଙ୍କ ମଧ୍ୟରେ କିଏ ଇଟା କାରଖାନା, ଫୁଡ୍‌ ପ୍ରୋସେସିଂ ତ ଅନ୍ୟ କିଏ ହାର୍ଡୱେୟାର ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଜମି ବାବଦରେ ଡିସେମିଲ୍‌କୁ ପ୍ରାୟ ୬୬ ହଜାର ଟଙ୍କା କରି ପ୍ରିମିୟମ୍‌ ଫି ମଧ୍ୟ ଜମା କରିଛନ୍ତି। କେବଳ ଏତିକି ନୁହେଁ ମାସକୁ ମାସ ଭଡା ମଧ୍ୟ ଦେଉଛନ୍ତି। ମାସେ ଦୁଇ ମାସ ନୁହେଁ ପ୍ରାୟ ଦେଢ଼ ବର୍ଷ ଧରି ଭଡା ଦେଇ ଚାଲିଛନ୍ତି।

ଇଡ୍‌କୋ ମାସିକ ଭଡା ବାବଦରେ ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରାଜସ୍ବ ମଧ୍ୟ ପାଉଛି। ବିଡମ୍ବନା, ଆଜି ପର୍ଯ୍ୟନ୍ତ କାରଖାନା ପ୍ରତିଷ୍ଠା ହେବାକୁ ଥିବା ଜାଗାକୁ ସଂଯୋଗ  ରାସ୍ତାଟି ନାହିଁ। ବ୍ୟବସ୍ଥିତ ଢ଼ଙ୍ଗରେ ନଥିବା ବିଦ୍ୟୁତ୍‌ (୩୩ କେଭିଏ)କୁ ସ୍ଥାନାନ୍ତର କରିବାକୁ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ଏଥିସହ ଡ୍ରେନେଜ ବ୍ୟବସ୍ଥା ପାଇଁ  ମଧ୍ୟ ବିଭାଗୀୟ ଅଧିକାରୀ ଗୁରୁତ୍ବ ଦେଉ ନାହାନ୍ତି। ଫଳରେ ୧୮ ଜଣଙ୍କ ମଧ୍ୟରୁ ଜଣେ ହେଲେ ବ୍ୟବସାୟୀ ଅବା ଶିଳ୍ପପତି କାରଖାନାଟିଏ ପ୍ରତିଷ୍ଠା କରିପାରି ନାହାନ୍ତି। କିଛି ବ୍ୟବସାୟୀ ବ୍ୟାଙ୍କରୁ ଋଣ କରି ଜଗା ବାବଦରେ ପ୍ରିମିୟମ ଜମା କରିଛନ୍ତି। ଋଣ ବାବଦରେ ମାସକୁ ମାସ ବ୍ୟାଙ୍କର ସୁଧ ଗଣିବା ସହ ଇଡ୍‌କୋକୁ  ଭଡା ମଧ୍ୟ ଦେଇ ଚାଲିଛନ୍ତି। କାରଖାନା ପ୍ରତିଷ୍ଠା କରି ନଥିବାରୁ ଏମାନଙ୍କୁ କ୍ଷତି ସହିବାକୁ ପଡୁଛି। ଶେଷରେ ବାଧ୍ୟ ହୋଇ  ଇଡ୍‌କୋର ମଣ୍ଡଲ ମୁଖ୍ୟଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ଆମରଣ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି।

ଏଥିପ୍ରତି ‌କୌଣସି ପରିସ୍ଥିତି ଉପୁଜିଲେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଚିଠିରେ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ, କଲୁଙ୍ଗା ଶିଳ୍ପାଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜାଗା ପାଇଥିବା ଅନେକ ବ୍ୟବସାୟୀ ଏଭଳି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଦାୟିତ୍ବରେ ଥିବା କିଛି କର୍ମଚାରୀ ଏମାନଙ୍କୁ ବିଭିନ୍ନ ଆଳ ଦେଖାଇ ସମୟ ଗଡାଇ ଚାଲୁଛନ୍ତି। ଜିଲ୍ଲା ଶିଳ୍ପ ବିକାଶକୁ  ରାଜ୍ୟ ସରକାର ଗୁରୁତ୍ବ ଦେଉଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଏଭଳି ଅବହେଳାରୁ କିଛି ସ୍ଥାନରେ ଜାଗା ସେମିତି ପଡିଛି। ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା ହେଇ ପାରୁନାହିଁ। ଏଥିପ୍ରତି ଇଡ୍‌କୋ ମଣ୍ଡଳ ମୁଖ୍ୟ ପ୍ରାଥମିକତା ଦେବାକୁ  ଉଭୟ ଶିଳ୍ପପତି ଓ ବ୍ୟବସାୟୀମାନେ ଦାବି କରିଛନ୍ତି।