ଶିଳ୍ପାଞ୍ଚଳରେ ସାମାଜିକ ଭିତ୍ତିଭୂମି ନିର୍ମାଣ କରିବ ଇଡ୍‌କୋ, ମେକ୍‌ ଇନ୍ ଇଣ୍ଡିଆକୁ ସଫଳ କରିବା ପାଇଁ ପ୍ରୟାସ

କେନ୍ଦ୍ର ନିର୍ଦ୍ଦେଶରେ ରାଜ୍ୟ କାର୍ଯ୍ୟ କରୁଛି: କଂଗ୍ରେସ

ଭୁବନେଶ୍ବର: ଶିଳ୍ପାଞ୍ଚଳରେ ସାମାଜିକ ଭିତ୍ତିଭୂମି ନିର୍ମାଣ କରିବ ଇଡ୍‌କୋ। ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟ, ହୋଟେଲ୍‌, ମଳ୍ଟିପ୍ଲେକ୍ସ, ସ୍ବାସ୍ଥ୍ୟ ସେବା ସୁବିଧା, ଗଲ୍ଫ ପଡ଼ିଆ, କ୍ରୀଡ଼ା କେନ୍ଦ୍ର, ପର୍ଯ୍ୟଟନ ପ୍ରକଳ୍ପ, ମନୋରଞ୍ଜନ ପାର୍କ ଆଦି ନିର୍ମାଣ କରିବ। ଏହାକୁ ସାମାଜିକ ଭିତ୍ତିଭୂମି ଭାବେ ଗଣାଯିବ। ଏଥି ପାଇଁ ସରକାର ଓଡ଼ିଶା ଔଦ୍ୟୋଗିକ ଭିତ୍ତିଭୂମି ଉନ୍ନୟନ ନିଗମ ଆଇନ୍‌,୨୦୨୦ରେ ସଂଶୋଧନ ଆଣିଛନ୍ତି। ଏହି ସଂଶୋଧିତ ବିଲ୍‌ ଆଜି ବିଧାନସଭାରେ ପାରିତ ହୋଇଛି। ତେବେ ସାଧାରଣ ଲୋକ ଏଥିରୁ କି ଲାଭ ପାଇବେ ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା ବେଳେ ରାଜ୍ୟ ସରକାର ତାଙ୍କ ଦାୟିତ୍ବ ଠିକ୍ ଭାବେ ତୁଲାଉ ନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ବିଲ୍‌ ଉପରେ ଆଲୋଚନା କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ବିଲ୍‌ ପ୍ରସ୍ତୁତ କରାଯାଇଛି। ‘ମେକ୍ ଇନ୍ ଇଣ୍ଡିଆ’କୁ ସଫଳ କରିବା ପାଇଁ ରାଜ୍ୟ ସରକାର ଅହେତୁ ଆଗ୍ରହ ପ୍ରକାଶ କରୁଛନ୍ତି। ଯଦି ‘ମେକ୍ ଇନ୍ ଓଡ଼ିଶା’କୁ ସଫଳ କରିବା ଉଦ୍ଦେଶ୍ୟରେ ଏହା କରିଥା’ନ୍ତେ, ତେବେ ଆମର ଆପତ୍ତି ନ ଥା’ନ୍ତି। ଏହି ସଂଶୋଧନ କେବଳ ଶିଳ୍ପପତିଙ୍କୁ ସୁବିଧା ଯୋଗାଇବା ପାଇଁ ଉଦ୍ଦିଷ୍ଟ। ସରକାର ଶିଳ୍ପାଞ୍ଚଳରେ ସୁବିଧା ସୁଯୋଗ ପ୍ରଦାନ କରିବେ। କିନ୍ତୁ ସାଧାରଣ ଲୋକ ଏହି ବିଲ୍‌ ଦ୍ବାରା କି ଲାଭ ପାଇବେ ? ଯେଉଁ ଲୋକ ଶିଳ୍ପ ପାଇଁ ଜମି ଦେବେ ଓ ଯେଉଁମାନଙ୍କ ଜମି ନିଆଯିବ, ସେମାନଙ୍କର କି ସ୍ବାର୍ଥ ସାଧିତ ହେବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ। କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ ବିଲ୍‌ଟି ପ୍ରମାଣିତ କରୁଛି ବିଜେଡି-ବିଜେପି ଭାଇ-ଭାଇ। ରାଜ୍ୟରେ ବହୁ ଶିଳ୍ପ ପ୍ରତିଷ୍ଠା କରିଛନ୍ତି ବୋଲି ସରକାର ବାହାବା ନେଉଛନ୍ତି। କିନ୍ତୁ କେତେ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି, ତାହା କହି ପାରୁ ନାହାନ୍ତି। ଉତ୍କଳ ଆଲୁମିନା ପରି ସଂସ୍ଥା କଞ୍ଚାମାଲ୍‌ ପାଇଁ ଭାଇଜାଗ୍ ଉପରେ ନିର୍ଭର କରୁଛି। ଏଥିରେ ଶିଳ୍ପ ପ୍ରତି ସରକାରଙ୍କ ଆନ୍ତରିକତା ଜଣାପଡ଼ୁଛି। କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ଆଲୋଚନାରେ ଭାଗ ନେଇ ବିଲ୍‌କୁ ବିରୋଧ କରିଥିଲେ।

ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ କହିଥିଲେ ଯେ ସଂଘୀୟ ବ୍ୟବସ୍ଥାରେ ଶିଳ୍ପ ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି ଓ ସୁବିଧା ସୁଯୋଗ ପ୍ରଦାନ କରିବା ଦାୟିତ୍ବ ରାଜ୍ୟ ସରକାରଙ୍କର। କିନ୍ତୁ ଓଡ଼ିଶା ସରକାର ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ସେପରି ଭିତ୍ତିଭୂମି ପ୍ରସ୍ତୁତ କରି ନାହାନ୍ତି। ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ତାଲିକାରେ ଓଡ଼ିଶାର ସ୍ଥାନ ବହୁ ପଛରେ। ଶାସକ ଦଳ ପକ୍ଷରୁ ରୋହିତ ପୂଜାରୀ ଓ ପ୍ରୀତି ରଞ୍ଜନ ଘଡ଼ାଇ ଆଲୋଚନାରେ ଭାଗ ନେଇଥିଲେ। ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଲ୍‌ ସପକ୍ଷରେ ଯୁକ୍ତି ବାଢ଼ି କହିଥିଲେ ଯେ ଔଦ୍ୟେ‌ାଗିକ ଉନ୍ନୟନ କ୍ଷେତ୍ରରେ ଅଭିବୃଦ୍ଧି ସାଧନ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ‘ମେକ୍ ଇନ୍ ଇଣ୍ଡିଆ’ ଓ ‘ଇଜ୍ ଅଫ୍‌ ଡୁଇଂ ବିଜ୍‌ନେସ୍‌’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଅଗ୍ରଣୀ ହୋଇପାରିଛି। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ କରିବା ନିମନ୍ତେ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇଦେବା କ୍ଷେତ୍ରରେ ଇଡ୍‌କୋର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଇଡ୍‌କୋ ଦ୍ବାରା ବିଭିନ୍ନ କାର୍ଯ୍ୟ ସମ୍ପାଦନ ନିମନ୍ତେ ପ୍ରଚଳିତ ଆଇନ୍‌ରେ କିଛି ପରୋକ୍ଷ ବ୍ୟବସ୍ଥା ଥିଲା ବେଳେ ସୁଚାରୁ ରୂପେ ଦାୟିତ୍ବ ତୁଲାଇବା ପାଇଁ କିଛି ପ୍ରତ୍ୟକ୍ଷ ବ୍ୟବସ୍ଥାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର