ଷଷ୍ଠ ଦିନରେ ପରୀ ପାଇଁ ଧାରଣା : ସାମିଲ ହେଲେ ବିଜେପି ପ୍ରଭାରୀ ପୁରନ୍ଦେଶ୍ବରୀ

ପରୀ କ’ଣ ‘ମୋ ପରିବାର’ ସଦସ୍ୟ ନୁ‌ହେଁ?
ଯଦୁପୁରରେ ପରିବାର ‌ପରିବାରକୁ ଭେଟିଲେ
ନିଖୋଜ ଶିଶୁଙ୍କ ପାଇଁ ସରକାରଙ୍କ ନିଘା ନାହିଁ

ନୟାଗଡ଼ : ଓଡ଼ିଶାରେ ଅଙ୍ଗଚୋରି, ଶିଶୁ ଅପହରଣ ଭଳି କାରବାର ଚାଲିଥିବାବେ‌ଳେ ରାଜ୍ୟ ସରକାର କ’ଣ ପାଇଁ ନିରବ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ‘ଓଡ଼ିଶା ମୋ ପରିବାର’ ଭଳି କାର୍ଯ୍ୟକ୍ରମ କାହା ପାଇଁ? ପରୀ କ’ଣ ‘ଓଡ଼ିଶା ମୋ ପରିବାର’ ସଦସ୍ୟ ନୁହେଁ? ଆଜି ନୟାଗଡ଼ଠାରେ ନାବାଳିକା ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଚାଲିଥିବା ଷଷ୍ଠ ଦିନର ଅନଶନରେ ଯୋଗଦେଇ ଏହିସବୁ ପ୍ରଶ୍ନ କରିଛନ୍ତି ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ବରୀ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଦୁର୍ଗାପୂଜା ପଡ଼ିଆରେ ଏହି ଧାରଣା ଜାରି ରହିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଦଳୀୟ ନେତୃବୃନ୍ଦ ଏଥିରେ ଆଜି ସାମିଲ୍‌ ହୋଇଥିଲେ। ସଭାପତି ଶ୍ରୀ ମହାନ୍ତି କହିଥିଲେ, ନୟାଗଡ଼ରେ ରାସ୍ତାରୋକ କରିଥିବା ବ୍ୟକ୍ତିଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି ମାତ୍ର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି।

ବିଜେପି ଜିଲ୍ଲା ସଭାପତି ଲାଲା ମନୋଜ ରାୟ ଏହି ପ୍ରତିବାଦ ସଭାରେ ଅଧ୍ୟକ୍ଷତା କରିଥିଲେ। ବିଜେପିର ରାଜ୍ୟ ପ୍ରତିନିଧି ଦଳ ସହିତ ଆସିଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରଭା‌ତୀ ପରିଡ଼ା, ଅନୀତା ଶୁଭଦର୍ଶିନୀ, ପୃଥ୍ବୀରାଜ ହରିଚନ୍ଦନ, ସ୍ମୃତି ପଟ୍ଟନାୟକ, ଠାକୁର ରଣଜିତ ଦାସ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜଶ୍ବେରୀ, ଇରାନୀ ରାୟ, ସନ୍ତୋଷ ପ୍ରଧାନ ପ୍ରମୁଖ ସ୍ଥାନୀୟ ବିଜେପି ନେତା ଉପସ୍ଥିତ ଥିଲେ।

ଏହାପୂର୍ବରୁ ହତ୍ୟାର ଶିକାର ହୋଇଥିବା ନୟାଗଡ଼ ଯଦୁପୁରର ନାବାଳିକା ଅମ୍ରିତସ୍ନେହା ସାହୁ ଓରଫ୍‌ ପରୀ ପରିବାରକୁ ଆଜି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ଭେଟିଥିଲେ। ପୁରନ୍ଦେଶ୍ବରୀଙ୍କ ସମେତ ବିଜେପି ଟିମ୍‌ ଯଦୁପୁର ଗ୍ରାମରେ ପହଞ୍ଚି, ପରୀର ଶବ ଉଦ୍ଧାର ହୋଇଥିବା ପୋଖରୀ କୂଳ ପରିଦର୍ଶନ କରିଥିଲେ। ପରୀ ବାପା ଅଶୋକ ସାହୁ, ମା’ ସୌଦାମିନୀ ସାହୁ ସେଠାରେ ଉପସ୍ଥିତ ରହି ଘଟଣା ବାବଦରେ କହିଥିଲେ। ପୁରନ୍ଦେଶ୍ବରୀ ଘଟଣାସ୍ଥଳରେ ପାଖାପାଖି ୧୦ ମିନିଟ୍‌ ରହିଥିଲେ। ବିଜେପିର ଅନ୍ୟ ନେତୃମଣ୍ଡଳୀଙ୍କ ସହ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ସିଦ୍ଧାର୍ଥଶେଖର ସିଂହ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର