ବେଆଇନ ଗଛକଟା ଓ ବାଲି ପରିବହନକୁ ବିରୋଧ କରି ତହସିଲରେ ଧାରଣା

ବ୍ୟାସନଗର : ବ୍ୟାସନଗର ତହସିଲ୍ ଅନ୍ତର୍ଗତ ମୂଳାପାଳ ଶ୍ମଶାନରୁ ବେଆଇନ ଗଛକଟା ଓ ବାଲି ଉଠାଣକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ମୂଳପାଳଠାରେ ଥିବା ଜଙ୍ଗଲ କିସମ, ଶ୍ମଶାନ ଜମିରେ ହଜାରହଜାର ଗଛ ଲଗାଯାଇଥିଲା। ମନ୍ଦିର କମିଟି ଦ୍ୱାରା ମୂଳାପାଳର ନିଜସ୍ୱ ଜାଗା ଉପରେ ରାସ୍ତା ନିର୍ମାଣ କରାଯାଇଥିଲା। ଲିଙ୍ଗେଶ୍ୱର ଉନୟନ କମିଟି ପକ୍ଷରୁ ଜାଗା ମାପ କରିବାକୁ ବ୍ୟାସନଗର ତହସିଲଦାରଙ୍କ ନିକଟରେ ଆବେଦନ କରାଯାଇଥିଲା। ତହସିଲଦାରଙ୍କ ମନମାନି ତଥା କୋର୍ଟ ନିର୍ଦେଶକୁ ଅମାନ୍ୟ କରିବା ଓ ବାଲି ଲିଜଧାରୀମାନେ ଗୋଟିଏ ଜାଗାରେ ଲିଜ୍‌ ନେଇ ଅନ୍ୟ ଜାଗାରୁ ବାଲି ଉଠାଣ କରୁଥିବା ନେଇ ଅଭିଯୋଗ ହୋଇଛି। ମାତ୍ର ତହସିଲ ପ୍ରଶାସନ ନିରବଦ୍ରଷ୍ଟା ସାଜିବାରୁ ବ୍ୟାସନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଜି ମୂଳାପାଳ ଗ୍ରାମବାସୀ ଓ ଲିଙ୍ଗେଶ୍ବର ଉନ୍ନୟନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଛି।

କମିଟି ସଭାପତି ଦୈତାରୀ ଧଳ, ସମ୍ପାଦକ ପ୍ରଦୀପ କୁମାର ଧଳ, ଗୋଲକ ବିହାରୀ ମାଝୀ, ନିତ୍ୟାନନ୍ଦ ପରିଡ଼ାଙ୍କ ନେତୃତ୍ଵରେ ଧାରଣା ଦିଆଯାଇଥିଲା। କୋରାଇ ସଂଗ୍ରାମ ସମିତି ସଭାପତି ବିଦ୍ୟାଧର ମହାନ୍ତି ଓ ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର ଯୋଗଦେଇ ଗଛକଟା ଓ ବେଆଇନ ବାଲି ଉଠାଣ ଓ ପରିବହନ ବନ୍ଦ କରିବାକୁ ଦାବି କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନଥିଲା। କୋରାଇ ସଂଗ୍ରାମ ସମିତି ଉପସଭାପତି ଆଲୋକ ମହାନ୍ତି, ରମେଶ ଚନ୍ଦ୍ର ସାହୁ ଓ ଗଦାଧର ଧଳ, ଦିଲୀପ କୁମାର ଧଳ, ମଦନମୋହନ ମାଝୀ, ବାସୁଦେବ ପରିଡ଼ା ମଧ୍ୟ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର