ସବୁ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣାଯାଉ: ବିଜେପି

ଯୋଗାଣ ନିଗମ ସାମ୍ନାରେ କୃଷକ ମୋର୍ଚ୍ଚାର ଧାରଣା

ଭୁବନେଶ୍ୱର : ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ଧାନ ବିକ୍ରି ନ ହୋଇପାରି ମଣ୍ଡିଗୁଡ଼ିକରେ ପଡ଼ିରହିଛି। ସରକାରଙ୍କ ତରଫରୁ ଧାନ ବିକ୍ରି ପାଇଁ ଥିବା ବିଧି ବ୍ୟବସ୍ଥାରେ ବହୁ ଚାଷୀଙ୍କ ଟୋକନ ଲ୍ୟାପ୍‌ସ୍ ହେବା କାରଣରୁ ସେମାନେ ନିଜ ଧାନ ବିକି ପାରୁ ନାହାନ୍ତି। ଏହି ଅଭିଯୋଗ ଆଣି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ସ୍ଥାନୀୟ ଯୋଗାଣ ନିଗମ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଥିଲା। ପଞ୍ଜୀକୃତ ହୋଇଥିବା ସବୁ ଚାଷୀଙ୍କ ଠାରୁ ଧାନ କିଣିବାକୁ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଥିଲା।

କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଥିଲେ, ଯେତେ ସଂଖ୍ୟାରେ ଚାଷୀ ପଞ୍ଜୀକରଣ କରିଥିଲେ ଟୋକନ ନ ଦେବା କାରଣରୁ ସେମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଖୋଲା ବଜାରରେ କ୍ବିଣ୍ଟାଲ ପିଛା ହଜାର ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ଟୋକନ ପାଇଥିବା ଚାଷୀ ମଣ୍ଡିରେ ଧାନ ବିକ୍ରି କଲାବେଳେ ମିଲର୍‌ମାନେ ମନଇଚ୍ଛା କ୍ବିଣ୍ଟାଲ ପିଛା ୮/୧୦ କେଜି କଟନି ଛଟନି କରି ଚାଷୀଙ୍କୁ ଶୋଷଣ କରୁଛନ୍ତି। ଚଳିତ ରବି ଋତୁରେ ସରକାର ଟୋକନର ଅବଧି ମାତ୍ର ୧୨ ଦିନ କରିଦେଇଥିବାରୁ ଅନେକ ଚାଷୀଙ୍କ ଟୋକନ ଲ୍ୟାପ୍‌ସ୍‌ ହୋଇଛି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶାସକ ଦଳ ଓ ଅସାଧୁ ମିଲରଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜ ହକ୍ ପାଇବାରୁ ବଞ୍ଚିତ ହେଉଛି ଏବଂ ଅଭାବ ବିକ୍ରିର ସମ୍ମୁଖୀନ ହେଉଛି। ଆହୁରି ମଧ୍ୟ ମଣ୍ଡିର ଅଭାବ ଯୋଗୁଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏମ୍‌ଏସ୍‌ପିରୁ କମ୍ ଦରରେ ଚାଷୀ ନିଜ ଧାନ ବିକ୍ରି କରୁଛି। ମୋଦୀ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୯୪୦ ଟଙ୍କା ଥିବା ବେଳେ ଚାଷୀମାନେ ମଧ୍ୟସ୍ଥିଙ୍କ ଉପସ୍ଥିତି କାରଣରୁ ୧୦୦୦ରୁ ୧୨୦୦ ଟଙ୍କାରେ ନିଜ କଷ୍ଟ ଉର୍ପାଜିତ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ମିଲରଙ୍କ ଜରିଆରେ ବିଜେଡି ନିଜ ଦଳୀୟ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରୁଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଟୋକନ୍ ଲ୍ୟାପ୍‌ସ୍ ହୋଇଥିବା ସମସ୍ତ ଚାଷୀଙ୍କ ଧାନ ମଣ୍ଡିରୁ ଉଠାଇବା ସହ ଚାଷୀଙ୍କ ଠାରୁ କ୍ବିଣ୍ଟାଲ ପିଛା ୮/୧୦ କେଜି ଧାନ କଟନି ଛଟନି କରାଯାଉଥିବାରୁ ମିଲର୍‌ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କୃଷକ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ବିଧାୟକ ନାଉରୀ ନାଏକ, ସୁବା୍ୁକେଶ ମହାଲିଙ୍ଗ, କୁସୁମ ଟେଟେ ଓ ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ ପ୍ରମୁଖ ଧାରଣାରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତିକୁ ସମାଲୋଚନା କରିଥିଲେ।

ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ। ଜୁନ୍ ୩୦ ତାରିଖ ସୁଦ୍ଧା ମଣ୍ଡିରୁ ସମସ୍ତ ଧାନ ଉଠାଇବା ନେଇ ପରିଚାଳନା ନିର୍ଦ୍ଦେଶକ ପ୍ରତିଶ୍ରୁତି ଦେଲା ପ‌ରେ ସେମାନେ ଧାରଣାରୁ ଉଠିଥିଲେ। ବିକ୍ଷୋଭରେ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଦୁ‌ର୍ଯ୍ୟୋଧନ ସାହୁ, ରାଧାକାନ୍ତ ମହନ୍ତ, ରଞ୍ଜନ ମଙ୍ଗରାଜ, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, କାମାକ୍ଷା ପ୍ରସାଦ ପ୍ରଧାନ ଓ ସୁରଥ ବିଶ୍ୱାଳଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର