ବିବାହିତ ଝିଅଙ୍କୁ ବି ବିସ୍ଥାପନ ସୁବିଧା ମିଳୁ, ୪୬ ଦିନ ଧରି ଜଙ୍ଗଲରେ ଧାରଣା

ସୁନ୍ଦରଗଡ଼ : କୋଳରେ ଛୁଆଙ୍କୁ ଧରି ଜଙ୍ଗଲ ମଧ୍ୟରେ ୪୬ ଦିନ ଧରି ଧାରଣାରେ ବସିଛନ୍ତି ମହିଳାମାନେ। ସେମାନଙ୍କ ଗୋଟିଏ ଦାବି, ବିସ୍ଥାପିତ ପରିବାର ବିବାହିତ ପୁଅଙ୍କ ପରି ବିବାହିତା ଝିଅମାନଙ୍କୁ ମଧ୍ୟ ଏକକ ବିସ୍ଥାପିତ ପରିବାରର ମାନ୍ୟତା ମିଳିବା ସହ ନିଯୁକ୍ତି ଦିଆଯାଉ। ଏନ୍‌ଟିପିସି ଡୁଲିଙ୍ଗା କୋଇଲା ଖଣି ଦ୍ବାରା ବିସ୍ଥାପିତ ଡୁଲିଙ୍ଗା ଓ ମଝାପଡ଼ାର ବିବାହିତା ଝିଅମାନଙ୍କ ଏହି ଧାରଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗିରହିଛି।

ସୁନ୍ଦରଗଡ଼ ଜିଲ୍ଲାସ୍ଥ ହେମଗିର ବ୍ଲକର ଡୁଲିଙ୍ଗାଠାରେ ରହିଛି ଏନ୍‌ଟିପିସିର କୋଇଲା ଖଣି। ପ୍ରାୟ ୧୨,୦୦୦ ଏକର ଜମିରେ ଖୋଲିଥିବା ଏହି ପ୍ରକଳ୍ପରେ ବିସ୍ଥାପିତ ହୋଇଛନ୍ତି ଡୁଲିଙ୍ଗା, ମଝାପଡା, ଖପରିକଛାର ଓ ବେଲଡିହି ଗ୍ରାମର ଲୋକେ। ଖଣି ପାଇଁ ଜମି ଅଧିଗ୍ରହଣ ସମୟରେ ବିସ୍ଥାପିତଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ମିଳିଥିଲା। ଖଣି କର୍ତ୍ତୃପକ୍ଷ ବିସ୍ଥାପିତଙ୍କ କିଛି ଦାବି ପୂରଣ କରିଥିବାବେଳେ ଆଉ କିଛି ଦାବି ଅପୂରଣୀୟ ହୋଇ ରହିଛି। ସେଥିମଧ୍ୟରେ ରହିଛି ବିସ୍ଥାପିତଙ୍କୁ ସ୍ଥାୟୀ ନିଯୁକ୍ତି ଓ ଉପଯୁକ୍ତ କ୍ଷତିପୂରଣ। ଏହିଭଳି ଏକ ପରିସ୍ଥିତିରେ ବିସ୍ଥାପିତ ଗ୍ରାମ ଡୁଲିଙ୍ଗା ଓ ମଝାପଡ଼ାର ବିବାହିତ ଝିଅମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଛନ୍ତି। ସରକାର ସବୁଠି ଉଭୟ ପୁଅ ଓ ଝିଅଙ୍କ ସମାନ ଅଧିକାର ବୋଲି କହୁଥିବାବେଳେ ଏଠାରେ କାହିଁକି ତାହା ଲାଗୁହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ୪୬ ଦିନ ଧରି ଏହି ଆନ୍ଦୋଳନ ଚାଲୁରହିଛି।

ତେବେଳ ବିସ୍ଥାପିତଙ୍କ ପାଇଁ ଯେଉଁ ନିୟମ ରହିଛି ସେଥିରେ ଏମାନେ ଅନ୍ତର୍ଭୁକ୍ତ ହେଉନାହାନ୍ତି ବୋଲି ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର