ଗୋପାଳପୁର : ଗୋପାଳପୁର ସ୍ଥିତ ଜେଡ୍‌ଏସ୍‌ଆଇ ପକ୍ଷରୁ ବଙ୍ଗୋପସାଗରରୁ ନୂତନ ପ୍ରଜାତିର ମାଛ (ମୁରେନିଥିସ୍‌ ହିବିନୋଇ) ଚିହ୍ନଟ କରାଯାଇଛି। ଏହି ମାଛଟି ଅନ୍ୟ କୁଚିଆ ପ୍ରଜାତିର ମାଛମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ବୋଲି ଭାରତୀୟ ପ୍ରାଣୀ ସର୍ବେକ୍ଷଣର ବୈଜ୍ଞାନିକ ଡ. ଅନିଲ ମହାପାତ୍ର କହିଛନ୍ତି। ଏହି ମାଛର ନାମକରଣ ଏଭଳି ପ୍ରଜାତି ମାଛ ପାଇଁ କାମ କରିଥିବା ଜାପାନର ବୈଜ୍ଞାନିକ ଡ. ୟୁସୁକେ ହିବିନୋଙ୍କ ନାମରେ କରାଯାଇଛି। ଏହି ମାଛକୁ ପ୍ରଥମେ ବଜାକୁଳ ମିଲନ୍‌ କଲେଜର ସହଅଧ୍ୟାପକ ଡ. ଦୀପାଞ୍ଜନ ରୟ ପଶ୍ଚିମ ବଙ୍ଗଳାରୁ ସଂଗ୍ରହ କରିଥିଲେ। ଏହି ମାଛ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣକୁ ପଠାଇଥିଲେ। ଏହାର ଗବେଷଣା ବୈଜ୍ଞାନିକ ଡ. ଅନିଲ ମହାପାତ୍ର, ଶୁଭେନ୍ଦୁ ଶେଖର ମିଶ୍ର, ଡ. ଦୀପାଞ୍ଜନ ରୟ ଏବଂ ଗବେଷକ ସ୍ୱରୂପ ରଞ୍ଜନ ମହାନ୍ତି, ରାଜେଶ କୁମାର ବେହେରା ଏବଂ ସ୍ମୁତିରେଖା ଆଚାର୍ଯ୍ୟ ମିଳିତ ଭାବେ କରିଥିଲେ। ଶେଷରେ ଏହା ଏକ ନୂତନ ପ୍ରଜାତିର ମାଛ ବୋଲି ଚିହ୍ନଟ ହୋଇଥିଲା।

Advertisment

ମାଛଟିର ମେରୁଦଣ୍ଡରେ ୧୪୦-୧୪୧ଟି ହାଡ଼ ରହିଥିବା ବେଳେ ଶରୀରର ଉପରପାର୍ଶ୍ୱ ହଳଦିଆ ବାଦାମୀ ରଙ୍ଗ ଏବଂ ତଳ ପଟ ଧଳା । ଶରୀରର ଉପର ପାର୍ଶ୍ୱରେ  କଳା ରଙ୍ଗର ବିନ୍ଦୁ ଭଳି ବହୁ ଦାଗ ରହିଥିବା ବେଳେ ଏହାର ଦାନ୍ତ ସମ୍ପୂର୍ଣ ଅଲଗା। ଏହି ପ୍ରଜାତିର ମାଛର ଲମ୍ବ ପ୍ରାୟ ଦେଢ଼ ଫୁଟ  ଏବଂ  ସରୁ। ନୂତନ ପ୍ରଜାତି ମାଛର ପ୍ରକାର ଭେଦକୁ ନେଇ ଥିବା ଦ୍ୱନ୍ଦ୍ବକୁ ଦୂର କରିବା ପାଇଁ ଏହାର ଡିଏନ୍‌ଏ ପରୀକ୍ଷା କରାଯାଇଥିଲା। ଏଭଳି ପ୍ରଜାତିର ମାଛ ଭାରତରେ ମିଳୁଥିବା ଅନ୍ୟ ଏକ ମାଛ (ମୁରେନଥିସ୍‌ ଜିମନୋଟେରସ୍‌)କୁ ଚିଲିକା ହ୍ରଦ ଏବଂ ବାହୁଦା ନଦୀ ମୁଁହାଣରୁ ସଂଗ୍ରହ କରି ତୁଳନା କରାଯାଇଥିଲା। ଶେଷରେ ଏହି ମାଛଟି ନୂତନ ପ୍ରଜାତିର ମାଛ ଭାବେ ବିବେଚିତ କରାଯିବା ପରେ ଅନ୍ତର୍ଜାତୀୟ ପତ୍ରିକା ବୁଲେଟିନ ଅଫ୍‌ ମେରାଇନ ସାଇନ୍ସରେ ସବିଶେଷ ବିବରଣୀ ପ୍ରକାଶ କରାଯାଇଛି।