ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ଆରମ୍ଭ ହୋଇଗଲାଣି। ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଆରମ୍ଭ କଲାଣି। ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। ବିଗତ ୫ବର୍ଷ ଭିତରେ ଯେଉଁ ଯେଉଁ ଅଞ୍ଚଳ ଡେଙ୍ଗୁ ହଟ୍ସ୍ପଟ୍ ରହିଥିଲା ତାହାକୁ କୀଟତତ୍ତ୍ବିବତ୍ଙ୍କ ଦ୍ବାରା ଅନୁଶୀଳନ କରି ମ୍ୟାପିଂ କରିବା ଓ ସର୍ବେକ୍ଷଣ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ମର୍ମରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିନସରଙ୍କୁ ପତ୍ର ଲେଖିଛନ୍ତି। ମୌସୁମୀ ଓ ଏହାର ପରବର୍ତ୍ତୀ ସମୟରେ ଡେଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣ ଦେଖିବାକୁ ମିଳିଥାଏ। ଏଥିପାଇଁ ଆଗୁଆ ସତର୍କ ରହିବାକୁ ହେବ। ଏହାକୁ ନଜରରେ ରଖି ଆବଶ୍ୟକ ସଂଖ୍ୟକ ସ୍ବେଚ୍ଛାସେବୀ, ଡିଏଗ୍ନୋଷ୍ଟିକ୍ କିଟ୍, ଔଷଧ ମହଜୁଦ ରଖାଯାଉ।
ଜିଲ୍ଲା-ମ୍ୟୁନିସିପାଲ ସ୍ତରରେ ସବୁ ଅଂଶୀଦାରମାନଙ୍କୁ ନେଇ ବୈଠକ କରିବା ଏକ ଯୁଗ୍ମ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଉ। ଜନସାଧାରଣଙ୍କୁ ସଚେତନ କରିବା ସହ କୀଟ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଅନ୍ୟ ସହଯୋଗୀ ବିଭାଗ ସହ ସମନ୍ବୟ ରକ୍ଷା କରିବା, ଟେଷ୍ଟିଂ, ଚିକିତ୍ସା ଓ ଠିକ୍ ସମୟରେ ରେଫରାଲକୁ ଗୁରୁତ୍ବ ଦିଆଯାଉ। ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ଓ ବ୍ଲକ୍ ଆରଆରଟି ଦଳ ପ୍ରସ୍ତୁତ ରହିବେ। ଡେଙ୍ଗୁ-ମ୍ୟାଲେରିଆ ସଂକ୍ରମଣକୁ ରୋକିବା ଲାଗି ଏହାର ଉତ୍ସକୁ ନଷ୍ଟ କରିବା ସହ ରକ୍ତ ଭଣ୍ଡାରରେ ରକ୍ତ ସଂରକ୍ଷିତ ରଖାଯାଉ। ହସ୍ପିଟାଲରେ ସ୍ବତନ୍ତ୍ର ଭାବେ ଡେଙ୍ଗୁ ୱାର୍ଡ ଖୋଲିବା ଓ ମଶାଙ୍କ ଉପଦ୍ରବରୁ ଏହାକୁ ସୁରକ୍ଷିତ କରିବା, ସାପ୍ତାହିକ ଡାଏ-ଡେ ପାଳନ କରିବା ଲାଗି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖ ଯେ ରାଜ୍ୟରେ ଇତିମଧ୍ୟରେ ୨ଶହରୁ ଅଧିକ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଗଲାଣି। ତହିଁରେ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଅଙ୍କ ଛୁଇଁସାରିଛି। ଜିଲ୍ଲାର ୫୦% ରୋଗୀ କେବଳ ଭୁବନେଶ୍ବରରୁ ବାହାରିଛନ୍ତି।