ଯୋଗ ଦିବସ ପାଇଁ ଦେଶର ୭୫ ଐତିହ୍ୟ ସ୍ଥାନ ଚିହ୍ନଟ, ଓଡ଼ିଶାର ୩

ଶ୍ରୀମନ୍ଦିର, କୋଣାର୍କ ଓ ତାମ୍ପଡ଼ା ହ୍ରଦରେ ପାଳନ ହେବ ଯୋଗ
୩ସ୍ଥାନରେ ଉପସ୍ଥିତ ରହିବେ ୩ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ୨୧ତାରିଖ ହେଉଛି ୮ତମ ଅନ୍ତର୍ଜାତୀୟ ଯୋଗ ଦିବସ। ଦେଶ ଏବେ ‘ଆଜାଦୀ କା ଅମ୍ରିତ ମହୋତ୍ସବ’ ବର୍ଷ ପାଳନ କରୁଛି। ତେଣୁ ଚଳିତବର୍ଷ ଦେଶର ୭୫ଟି ଐତିହ୍ୟ ସ୍ଥାନରେ ଯୋଗ ଦିବସ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ତାଲିକାରେ ଓଡ଼ିଶାର ୩ଟି ସ୍ଥାନ ରହିଛି। ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଗଞ୍ଜାମସ୍ଥିତ ତାମ୍ପଡ଼ା ହ୍ରଦରେ ଯୋଗ ପାଳନ କରାଯିବ। ଏଥିପାଇଁ ରାଜ୍ୟସରକାର ଆବଶ୍ୟକ ବନ୍ଦୋବସ୍ତ କରିବା ଲାଗି ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ସଂପୃକ୍ତ ଜିଲ୍ଲାମାନଙ୍କୁ ଚିଠି ଲେଖାଯାଇଛି।

ଚଳିତବର୍ଷର ଯୋଗ ଦିବସକୁ ଐତିହ୍ୟ ସ୍ଥାନମାନଙ୍କରେ ପାଳନ କରିବା ଲାଗି କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସ୍ଥିର ହୋଇଛି। ୭୫ଟି ଐତିହ୍ୟ ସ୍ଥାନରେ ହେଉଥିବା ଯୋଗ ଦିବସ ପାଳନରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ରହିବେ। ଶ୍ରୀମନ୍ଦିର ଯୋଗ ଦିବସ ପାଇଁ ମନ୍ତ୍ରୀ ମହେନ୍ଦ୍ର ନାଥ ପ‌ାଣ୍ଡେ, କୋଣାର୍କରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ତାମ୍ପଡ଼ା ହ୍ରଦ ଯୋଗ ପାଇଁ ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ଉପସ୍ଥିତ ରହିବେ। ତେବେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିମାଚଳ ପ୍ରଦେଶସ୍ଥିତ କାଙ୍ଗ୍ରା ‌ଫୋର୍ଟରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ସକାଳ ୭ଟାରେ ଗଣ ଯୋଗ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ୩ସ୍ଥାନରେ ଶତାଧିକ ଲୋକଙ୍କୁ ନେଇ ଯୋଗ ଶିକ୍ଷା ଦିଆଯିବ। ଏଥିପାଇଁ ଜିଲ୍ଲାସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଘରୋଇ ଯୋଗ ସଂସ୍ଥାମାନଙ୍କୁ ଏଥିରେ ସାମିଲ କରାଯିବ। ୩ଟି ଐତିହ୍ୟ ସ୍ଥାନରେ ହେବାକୁ ଥିବା ଯୋଗ ଦିବସର ଦେଶବ୍ୟାପୀ ପ୍ରସାରଣରେ ସ୍ଥାନ ପାଇବ ବୋଲି ସୂଚନା ମିଳିଛି।

Hindustan Times

ଅପରପକ୍ଷରେ ରାଜ୍ୟ ଆୟୁଷ ନିର୍ଦେଶାଳୟ ମଧ୍ୟ ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ ଯୋଗ ଦିବସ ପାଳନ କରିବା ଲାଗି ସ୍ଥିର କରିଛି। ଏଥିରେ ଆୟୁଷ ମେଡିକାଲ କଲେଜ, ହସ୍ପିଟାଲ ଓ ଆୟୁଷ ହେଲ୍‌ଥ ଓ ୱେଲନେସ୍ ସେଣ୍ଟର ରହିଛି। ‌ଏସବୁ କେନ୍ଦ୍ରରେ ଯୋଗ ଇନଷ୍ଟ୍ରକ୍ଟରମାନେ ନିକଟସ୍ଥ ପାର୍କ କିମ୍ବା ଖୋଲା ସ୍ଥାନରେ ଲୋକମାନଙ୍କୁ ଯୋଗ ଶିକ୍ଷା ଦେବେ। ଏଥିପାଇଁ ‌ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିକଟରେ ପ୍ରାୟ ୧୨ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ତେବେ ଯେଉଁଠାରେ ଯୋଗ ଇନଷ୍ଟ୍ରକ୍ଟରଙ୍କ ଅଭାବ ରହିଛି ‌ସେଠାରେ ଇନଷ୍ଟ୍ରକ୍ଟରଙ୍କୁ ପାରିଶ୍ରମିକ ଦେଇ ଯୋଗ ଦିବସ ପାଳନରେ ସାମିଲ କରିବାକୁ ନିର୍ଦେଶ ଦିଆଯାଇଛି।

ରାଜ୍ୟ ଆୟୁଷ ନିର୍ଦେଶାଳୟର ଅଧିକାରୀଙ୍କ ସୂଚନା ଅନୁସାରେ, ରାଜ୍ୟର ୩୦ଟି ଜିଲ୍ଲାରେ ଯୋଗ ଦିବସ ପାଳନ କରାଯିବ। ଜିଲ୍ଲାସ୍ତରରେ ହେଉଥିବା କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ କେନ୍ଦ୍ର ସରକାରଙ୍କ ‘ଭୁବନ’ ଆପ୍‌ରେ ଅପଲୋଡ୍ କରାଯିବ। ଏଥିପାଇଁ ଜିଲ୍ଲାମାନଙ୍କୁ ଆର୍ଥିକ ସହାୟତା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନିକଟରେ ଏସବୁର ତଥ୍ୟ ରହିବ। ଗତବର୍ଷ ନିର୍ଦେଶାଳୟ ପକ୍ଷରୁ କୋଭିଡ ପରବର୍ତୀ ବିଷୟବସ୍ତୁକୁ ନେଇ ପୁରୀଠାରେ ଯୋଗ ପାଳନ ହୋଇଥିଲା। ଯାହା ବେଶ୍‌ ପ୍ରଶଂସିତ ହୋଇଥିଲା। ତେଣୁ ଚଳିତବର୍ଷ ରାଜ୍ୟର ଯେଉଁ ୩ଟି ଐତିହ୍ୟ ସ୍ଥାନରେ ଯୋଗ ପାଳନ କରାଯିବ, ତାହା ମଧ୍ୟ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର