ଭୁବନେଶ୍ୱର : ଜମି ନଥାଇ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ୨୬ ହଜାର ୫୭୮ ନକଲି ଚାଷୀଙ୍କୁ ଚିହ୍ନଟ କରିଛି ରାଜ୍ୟ ସମବାୟ ବିଭାଗ। ଏହି ସମସ୍ତ ଚାଷୀଙ୍କ ଧାନ ସଂଗ୍ରହ ଆବେଦନକୁ ବାତିଲ କରିଦିଆଯାଇଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ଖରିଫରେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିବା ସଂକ୍ରାନ୍ତରେ ୧୫ ଲକ୍ଷ ୭୪ ହଜାର ୩୧୭ ଚାଷୀ ଆବେଦନପତ୍ର ଦାଖଲ କରିଥିଲେ। ବିଭିନ୍ନ ସ୍ତରରେ ଯାଞ୍ଚ ପରେ ୧୫ ଲକ୍ଷ ୪୫ ହଜାର ୩୫୧ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଯୋଗ୍ୟ ବିବେଚିତ କରାଯାଇଛି।

Advertisment

ରାଜ୍ୟରେ ଯାଜପୁର ଜିଲ୍ଲାରେ ଧାନ ବିକ୍ରି ପଞ୍ଜୀକରଣ ପାଇଁ ଆବେଦନ କରିଥିବା ୫୦ ହଜାର ୨୨୯ ଚାଷୀଙ୍କ ମଧ୍ୟରୁ ସର୍ବାଧିକ ୪୨୦୨ ଚାଷୀ ନକଲି ଥିବା ଜଣାପଡ଼ିଛି। ପଞ୍ଜୀକରଣ ପାଇଁ ଆବେଦନ କରିଥିବା ଅନୁଗୁଳ ଜିଲ୍ଲାର ୩୯ ହଜାର୧୯୫ ଚାଷୀଙ୍କ ମଧ୍ୟରୁ ୬୨, ବାଲେଶ୍ବରର ୯୪ ହଜାର ୧୯୧ ଜଣଙ୍କ ମଧ୍ୟରୁ ୧୫୬୦, ବରଗଡ଼ ଜିଲ୍ଲାର ୧ ଲକ୍ଷ ୩୬ ହଜାର ୬୧୪ ଚାଷୀଙ୍କ ମଧ୍ୟରୁ ୧୩୧୦, ଭଦ୍ରକର ୭୯ ହଜାର ୭୫୫ ଜଣଙ୍କ ମଧ୍ୟରୁ ୩୩୮, ବଲାଙ୍ଗୀରର ୬୩ ହଜାର ୯୭୧ ଜଣଙ୍କ ମଧ୍ୟରୁ ୧୪୩୪, ବୌଦ୍ଧର ୩୮ ହଜାର ୬୬୫ ଜଣଙ୍କ ମଧ୍ୟରୁ ୧୪୧୩, କଟକର ୬୬ ହଜାର ୫୩୭ ଜଣଙ୍କ ମଧ୍ୟରୁ ୧୮୩, ଦେବଗଡ଼ର ୧୯ ହଜାର ୪୪୦ ଜଣଙ୍କ ମଧ୍ୟରୁ ୩୯୯, ଢେଙ୍କାନାଳର ୪୯ ହଜାର ୩୫୮ ଜଣଙ୍କ ମଧ୍ୟରୁ ୧୬୧୪, ଗଜପତିର ୧୩ ହଜାର ୭୭ଜଣ ପଞ୍ଜୀକରଣ ପାଇଁ ଆବେଦନ କରିଥିବା ଚାଷୀଙ୍କ ମଧ୍ୟରୁ ୩୨୯, ଗଞ୍ଜାମର ୧ ଲକ୍ଷ ୨୪ ହଜାର ୮୧ ଜଣଙ୍କ ମଧ୍ୟରୁ ୬୭୫, ଜଗତସିଂହପୁରର ୪୫ ହଜାର ୬୬୨ ଜଣଙ୍କ ମଧ୍ୟରୁ ୨୭୨, ଝାରସୁଗୁଡ଼ାର ୧୯ ହଜାର ୦୭୮ ଜଣଙ୍କ ମଧ୍ୟରୁ ୧୧୨, କଳାହାଣ୍ଡିର ୮୮ ହଜାର ୧୦୮ ଜଣଙ୍କ ମଧ୍ୟରୁ ୫୭୭ଜଣଙ୍କ ଆବେଦନ ନାକଚ ହୋଇଛି।

ସେହିପରି କନ୍ଧମାଳର ୩୯୧୧ ଚାଷୀଙ୍କ ମଧ୍ୟରୁ ୧୪୫, କେନ୍ଦ୍ରାପଡ଼ାର ୪୦ ହଜାର ୫୯୭ ଜଣଙ୍କ ମଧ୍ୟରୁ ୩୩୧, କେନ୍ଦୁଝରର ୫୯ ହଜାର ୩୨୧ ଜଣଙ୍କ ମଧ୍ୟରୁ ୩୫୭୩, ଖୋର୍ଧାର ୪୬ ହଜାର ୫୯୫ ଜଣଙ୍କ ମଧ୍ୟରୁ ୧୨୮, କୋରାପୁଟର ୩୮ ହଜାର ୭୦୬ ଚାଷୀଙ୍କ ମଧ୍ୟରୁ ୧୭୭୩, ମାଲକାନଗିରିର ୩୮ ହଜାର ୫୨୪ ଜଣଙ୍କ ମଧ୍ୟରୁ ୪୨୬, ମୟୂରଭଞ୍ଜର ୭୧ ହଜାର ୯୭୦ ଜଣଙ୍କ ମଧ୍ୟରୁ ୯୩, ନବରଙ୍ଗପୁରର ୩୦ ହଜାର ୨୩୨ ଜଣଙ୍କ ମଧ୍ୟରୁ ୬୦୭, ନୟାଗଡ଼ର ୪୬ହଜାର ୦୬୨ ଜଣଙ୍କ ମଧ୍ୟରୁ ୧୬୬, ନୂଆପଡ଼ାର ୩୬ ହଜାର ୪୭୮ ଜଣଙ୍କ ମଧ୍ୟରୁ ୨୦୧, ପୁରୀର ୪୭ ହଜାର ୧୧୯ ଜଣଙ୍କ ମଧ୍ୟରୁ ୮୩୭, ରାୟଗଡ଼ାର ୧୭ ହଜାର ୪୭୫ ଜଣଙ୍କ ମଧ୍ୟରୁ ୧୮୧୮, ସମ୍ବଲପୁରର ୫୬ ହଜାର ୭୭୩ ଜଣଙ୍କ ମଧ୍ୟରୁ ୯୯୪, ସୁବର୍ଣ୍ଣପୁରର ୬୪ ହଜାର ୫୬୭ ଜଣଙ୍କ ମଧ୍ୟରୁ ୭୧୪, ସୁନ୍ଦରଗଡ଼ର ୪୮ ହଜାର ୦୨୬ ଜଣଙ୍କ ମଧ୍ୟରୁ ୨୯୨ ଜଣଙ୍କ ଜମିନଥିବା ଜଣାପଡ଼ିଛି।