ଆଚାର୍ଯ୍ୟବିହାର ଫ୍ଲାଏଓଭରରେ ଅଘଟଣ: ମିଳିଲା ଜଳିଯାଇଥିବା ଯୁବକଙ୍କର ପରିଚୟ

ଭୁବନେଶ୍ବର: ୧୬ନମ୍ବର ଜାତୀୟ ରାଜପଥର ମହାରାଜା ହଲ୍ ନିକଟ ଆଚାର୍ଯ୍ୟବିହାର ଫ୍ଲାଏଓଭରରେ ବାଇକ୍ ସହ ଜଳିଯାଇଥିବା ଯୁବକଙ୍କର ପରିଚୟ ମିଳିଛି। ମୃତ ଯୁବକଙ୍କ ନାମ ଚନ୍ଦନ ପତି। ତାଙ୍କ ଘର ଜଗତସିଂହପୁର ଜିଲ୍ଲା ପୁରୋହିତପୁର। ସେ କେସୁରାରେ ରହି ଭୁବନେଶ୍ୱରରେ ମାର୍କେଟିଂ କାମ କରୁଥିଲେ। ଇନଟାକ୍ସ କମ୍ପାନିର ଜଣେ କର୍ମଚାରୀ ଥିଲେ ଚନ୍ଦନ। ଚନ୍ଦ୍ରଶେଖରପୁରରେ ଏକ ବାହାଘର ଭୋଜିରେ ଯୋଗ ଦେଇ ରୁମକୁ ଫେରିଲା ବେଳେ ଏଭଳି ଘଟଣା ଘଟିଥିଲା। ପୁଲିସ ପକ୍ଷରୁ ଚନ୍ଦନଙ୍କ ପରିବାର ଲୋକଙ୍କସହ ଯୋଗାଯୋଗ କରାଯାଇଛି। ଖୁବ୍ ଶୀଘ୍ର ଚନ୍ଦନଙ୍କ ପରିବାର ଲୋକେ ଥାନାରେ ପହଞ୍ଚିବେ ବୋଲି ଥାନା ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ୧୬ନମ୍ବର ଜାତୀୟ ରାଜପଥର ମହାରାଜା ହଲ୍ ନିକଟ ଆଚାର୍ଯ୍ୟବିହାର ଫ୍ଲାଏଓଭରରେ ରବିବାର ବିଳମ୍ବିତ ରାତିରେ ଦୁଇ ଦୁଇଟି ଅଘଟଣ ଘଟିଥିଲା। ରାତି ପ୍ରାୟ ୧୨ଟା ବେଳେ ରାଜପଥ ଉପରେ ଅତି ରହସ୍ୟଜନକ ଭାବେ ଜଣେ ଯୁବକ ଓ ତାଙ୍କ ବାଇକ୍ ପୋଡ଼ି ଯାଇଥିବା ବେଳେ ଏହାର ଅଧଘଣ୍ଟା ପରେ ଠିକ୍ ସେହି ସ୍ଥାନରେ ରାସ୍ତା ଅପରପାର୍ଶ୍ବରେ ଆଉ ଏକ ଦୁର୍ଘଟଣା ଘଟିଥିଲା। ଏକ ଦ୍ରୁତଗାମୀ ହାଇୱା ଧକ୍କାରେ ଏକ ଟାଟା ଏସ୍ ଭାଙ୍ଗିରୁଜି ଯାଇଥିଲା। ଏହି ଦୁର୍ଘଟଣାରେ ଟାଟା ଏସ୍ରେ ଥିବା ଚାଳକ ସମେତ ୩ ଜଣ ଆହତ ହୋଇଥିଲେ। ଘଟଣାସ୍ଥଳରେ ସହିଦନଗର ଥାନା ପୁଲିସ୍ ଓ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ପୁଲିସ ଦରପୋଡ଼ା ଯୁବକଙ୍କ ଶବକୁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ବାଇକ୍ (ନଂ ଓଡି୦୫ଏ.ଏଚ୍-୬୩୮୧)କୁ ଜବତ କରିଥିଲା। ସେହିପରି ରାସ୍ତା ଅପରପାର୍ଶ୍ବରେ ଘଟିଥିବା ଦୁର୍ଘଟଣାରେ ପୁଲିସ୍ ଦୁର୍ଘଟଣାଗ୍ରସ୍ତ ହାଇୱା ଓ ଟାଟା ଏସ୍କୁ ଜବତ କରିଥିଲା। ଆହତ ୩ଜଣଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ, ରବିବାର ରାତି ପ୍ରାୟ ୧୨ଟା ୧୫ ବେଳେ ଫ୍ଲାଏଓଭର୍ ଉପରେ ଜଣେ ଯୁବକ ବାଇକ୍ ଉପରେ ପଡ଼ିଥିବା ବେଳେ ବାଇକ୍ଟି ହୁତୁହୁତୁ ହୋଇ ଜଳୁଥିଲା। ଏହା ଦେଖି ଲୋକମାନେ ତାଙ୍କୁ ବାଇକ୍ ଉପରୁ ଘୋଷାଡ଼ି ଆଣିଥିଲେ। କିନ୍ତୁ ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା।

ସମ୍ବନ୍ଧିତ ଖବର