ଟ୍ରେନ୍‌ ଲାଇନ୍‌ କଡ଼ରୁ ମିଳିଥିବା ମୃତ ଯୁବତୀଙ୍କ ପରିଚୟ ମିଳିଲା, ମୃତ୍ୟୁର କାରଣ ଅସ୍ପଷ୍ଟ

ବ୍ରଜରାଜନଗର : ଇବ୍‌ ଷ୍ଟେସନ୍‌ର କିଛି ଦୂରରେ ବୁଧବାର ଅପରାହ୍‌ଣ ପ୍ରାୟ ୨ଟା ୪୫ରେ ଜଣେ ଯୁବତୀଙ୍କ ମୃ‌ତଦେହ ପଡ଼ିଥିବା ଦେଖି ସେହି ଲାଇନ୍ ଦେଇ ଯାଉଥିବା ଟ୍ରେନ୍‌ର ଗାର୍ଡ ଝାରସୁଗୁଡ଼ା ଷ୍ଟେସନ୍‌ରେ ଖବର ଦେଇଥିଲେ। ଖବରପାଇ ଜିଆରପି ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଥିଲେ। ଯୁବତୀଙ୍କ ନିକଟରୁ ମୋବାଇଲ କିମ୍ବା ସେଭଳି ପରିଚପତ୍ର ନ ମିଳିବାରୁ ତାଙ୍କ ସଂପର୍କରେ ବିଶେଷ ସୂଚନା ମିଳି ନଥିଲା। ଅପରପକ୍ଷରେ ବ୍ରଜରାଜନଗର  ପୌରାଞ୍ଚଳ ଅନ୍ତର୍ଗତ ଲମଟିବାହାଲ କ୍ୟାମ୍ପସ୍‌ ଛକରେ ରହୁଥିବା ସୁରେଶ ଯୋଶୀଙ୍କ ଝିଅ ମୋନିକା (୨୧) ବୁଧବାର ମଧ୍ୟାହ୍ନ ୧୨ଟାରେ ଘରୁ ଯାଇ ଫେରି ନଥିବାରୁ ପରିବାର ଲୋକ ଖୋଜାଖୋଜି କରୁଥିଲେ। ସକାଳେ ଜଣେ ଅଚିହ୍ନା ଯୁବତୀଙ୍କ ଶବ ଉଦ୍ଧାର ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ପରିବାର ଲୋକ ଝାରସୁଗୁଡ଼ା ହସ୍ପିଟାଲ୍‌ ଯାଇଥିଲେ। ସେଠାରେ ପରିବାର ଲୋକ ମୋନିକାଙ୍କୁ ଚିହ୍ନଟ କରିଥିଲେ। ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ମୋନିକାଙ୍କ ଶବ ଟ୍ରେନ୍‌ ଲାଇନ୍‌ କଡ଼କୁ କିପରି ଆସିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଟ୍ରେନ୍‌ ଲାଇନ୍‌ରେ ଫିଙ୍ଗି ଦେଇଛି ସେ ବାବଦରେ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ। ଜିଆର୍‌ପି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାରେ ଛାନ୍‌ଭିନ୍‌ ଚଳାଇଛି।

ସୂଚନା ଅନୁଯାୟୀ କିଛିଦିନ ତଳେ ମୋନିକା ବ୍ରଜରାଜନଗର କଲେଜରୁ +୩ ବାଣିଜ୍ୟ ଶେଷ ବର୍ଷ ପାସ୍‌ କରିଥିଲେ। ପରେ ଲମ୍‌ଟିବାହାଲରେ ଥିବା ଏକ କମ୍ପ୍ୟୁଟର୍‌ କେନ୍ଦ୍ରରେ ଗତ ୬ ତାରିଖରେ ନାମ ଲେଖାଇଥିଲେ। ଗତକାଲି ମଧ୍ୟାହ୍ନରେ ଘରୁ ଉକ୍ତ କମ୍ପ୍ୟୁଟର୍‌ କେନ୍ଦ୍ରକୁ ଯାଇଥିଲେ ବୋଲି ମୋନିକାଙ୍କ ଭାଇ କହିଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ସେ ଉକ୍ତ କମ୍ପ୍ୟୁଟର୍‌ କେନ୍ଦ୍ରକୁ ଯାଇ ପଚରାଉଚରା କରିଥିଲେ। ତେବେ ମୋନିକା କମ୍ପ୍ୟୁଟର୍‌ କେନ୍ଦ୍ରକୁ ଯାଇ ନଥିବା ସିସିଟିଭି କ୍ୟାମେରାରୁ ସ୍ପଷ୍ଟ ହେବା ପରେ ପରିବାର ଲୋକଙ୍କ ଚିନ୍ତା ବଢ଼ି ଯାଇଥିଲା। ସେମାନେ ମୋନିକାଙ୍କ ମୋବାଇଲ୍‌ରେ ଫୋନ୍‌ରେ ଯୋଗାଯୋଗ କରିଥିଲେ ମଧ୍ୟ ତାହା ବନ୍ଦ ଥିଲା। ଏବେ ଏହି ଘଟଣା ଧୀରେ ଧୀରେ ରହସ୍ୟ ଘେରକୁ ଚାଲିଯାଉଛି। ମୋନିକା ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ୨୪ରେ ଲମଟିବାହାଲ ଦୁର୍ଗା ମନ୍ଦିର ସମ୍ମୁଖରେ ଥିବା ଏକ ଜନସେବା କେନ୍ଦ୍ରକୁ ଯାଇଥିଲେ। ସେଠାରେ କାମ କରୁଥିବା ତାଙ୍କର ଜଣେ ସାଙ୍ଗକୁ ଏକ ପ୍ଲାଷ୍ଟିକ ବ୍ୟାଗ୍‌ରେ ଥିବା ପ୍ରସାଧନ ସାମଗ୍ରୀ ଦେଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଗତକାଲି  ଦୁର୍ଗ-ରାଜେନ୍ଦ୍ରନଗର ଏକ୍ସପ୍ରେସ ବ୍ରଜରାଜନଗର ଷ୍ଟେସନ୍‌ରୁ ଅପରାହ୍‌ଣ ୧ଟା ୧୧ରେ ଝାରସୁଗୁଡା ଅଭିମୁଖେ ବାହାରିଥିଲା। ମୋନିକା ଉକ୍ତ ଟ୍ରେନ୍‌ରେ ଯାଉଥିବା ବେଳେ ଖସିପଡ଼ିଥିବା ଅନୁମାନ କରାଯାଉଛି। ତେବେ ତାଙ୍କର ମୋବାଇଲ ଫୋନ୍‌ ନ ମିଳିବା ଏବଂ ତାଙ୍କ ପାଖରେ ଟ୍ରେନ୍‌ ଟିକେଟ୍ ନଥିବାରୁ ଏପରି ଅନୁମାନକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ସେ ଟ୍ରେନ୍‌ରେ କାହିଁକି ଏବଂ କେଉଁଠିକୁ ଯାଉଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଙ୍କ ଫୋନ୍‌ ମି‌ଳିଲେ ସବୁ କିଛି ସ୍ପଷ୍ଟ ହୋଇ ପାରିବ ବୋଲି କୁହାଯାଉଛି। ଏ ବାବଦରେ ଜିଆରପି ଆଇଆଇସି ସୌଦାମିନୀ ନାଗଙ୍କୁ ପଚାରିବାରୁ ଘଟଣାର ଅନୁସନ୍ଧନ ବିଭିନ୍ନ ଦିଗକୁ ନେଇ କରାଯାଉଛି। ମୃତଦେହ ପଡ଼ିଥିବା ସ୍ଥାନ, ପାରିପାର୍ଶ୍ବିକ ସ୍ଥିତି, ଶରୀରରେ ଥିବା କ୍ଷେତ ଚିହ୍ନ ଓ ମୁଣ୍ଡର କେଶ ଛିଡି ଅନେକ ଦୂର ପର୍ଯ୍ୟନ୍ତ ପଡ଼ିଥିବା ଦେଖାଯାଇଛି। ସେ ଜନସେବା କେନ୍ଦ୍ରକୁ ଯିବା ସମୟରେ ମୁହଁକୁ ଯେପରି ଘୋଡ଼ାଇ ରଖିଛନ୍ତି ସେପରି ଅବସ୍ଥାରେ ରହିଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର