କିଶୋରନଗର: ଆମ ଓଡ଼ିଶାର ଐତିହ୍ୟ, ପ୍ରଥା, ପରମ୍ପରା ମହାନ। ଏହା ଆମ ପାଇଁ ମୂଲ୍ୟବାନ ସଂପତ୍ତି। ଏହାକୁ ଆମେ ଭୁଲିଗଲେ ଆମ ପରିଚୟ ହଜିଯିବ ବୋଲି କହିଛନ୍ତି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସଂପାଦକ ତନୟା ପଟ୍ଟନାୟକ। କିଶୋରନଗର ବ୍ଲକ୍ ଖଣ୍ଡହତା-ପିପଳବାହାଳ ଗାଁରେ ଲକ୍ଷ୍ମୀପୂଜା ଅବସରରେ ଆୟୋଜିତ ଧନୁଯାତ୍ରାରେ ମୁଖ୍ୟ ରାଜ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ପଟ୍ଟନାୟକ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଉପରେ ଗୁରୁତ୍ବାରୋପ କରିଛନ୍ତି। ଆଗାମୀ ପିଢ଼ି ଏହି ପ୍ରାଚୀନ ପରମ୍ପରା ଓ ପ୍ରଥାକୁ ଆଗେଇ ନେବା ଦିଗରେ କଂସ ମହାରାଜ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି। ଶ୍ରୀମତୀ ପଟ୍ଟନାୟକ କହିଥିଲେ ଯେ କିଶୋରନଗରରେ ଧନୁଯାତ୍ରା ଆୟୋଜନ କରି ଆମ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଯେଉଁ ଉଦ୍ୟମ ହୋଇଛି ତାହା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ। ଏହି ପ୍ରଥାକୁ ଆଗେଇ ନେବା ପାଇଁ କିଶୋରନଗର ଅଞ୍ଚଳର ଯୁବପିଢ଼ିଙ୍କୁ ଆହୁରି ସକ୍ରିୟ ହେବାକୁ ପଡ଼ିବ। କିଶୋରନଗରବାସୀ ଓ କଂସ ମହରାଜଙ୍କ ଆତିଥ୍ୟ ପାଇଁ ସେ ଏହି ରାଜ ଦରବାରକୁ ବାରମ୍ବାର ଟାଣି ହୋଇ ଆସୁଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।
ଖଣ୍ଡହତା-ପିପଳବାହାଳ ଗାଁରେ ଧନୁଯାତ୍ରା
କଂସ ଦରବାରରେ ଅନ୍ୟତମ ରାଜ ଅତିଥି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ବାର୍ତ୍ତା ସଂପାଦକ ଭବନୀ ଶଙ୍କର ତ୍ରିପାଠୀ କହିଥିଲେ, କିଶୋରନଗର ହେଉଛି ରାଜ୍ୟର କେନ୍ଦ୍ରସ୍ଥଳ। ଏହା ଓଡ଼ିଶାର ହୃଦୟ। ଏହା ଭାଙ୍ଗିଗଲେ ଓଡ଼ିଶାର ଶାସନତନ୍ତ୍ର ପ୍ରଭାବିତ ହେବ। ଏଣୁ କିଶୋରନଗରକୁ ଆଗକୁ ନେବା ଲାଗି ସାମୂହିକ ଉଦ୍ୟମ ଲୋଡ଼ା। ଏହା ସହ ପୃଥିବୀର ସୁରକ୍ଷା ପାଇଁ ସମସ୍ତେ ବ୍ରତୀ ହେବା ଆବଶ୍ୟକ। ପରିବେଶ ସୁରକ୍ଷା ନେଇ ନିଜ ଦାୟିତ୍ବ ବୁଝିବାକୁ ପଡ଼ିବ। ଶାସନତନ୍ତ୍ରକୁ ଶକ୍ତିଶାଳୀ କରିବା ପାଇଁ ଗଣମାଧ୍ୟମର ସ୍ବର ଶାଣିତ କରିବାକୁ ପଡ଼ିବ। ଏଥିପାଇଁ କ୍ଷମତାସୀନ ବ୍ୟକ୍ତିମାନେ ସହନଶୀଳ ମନୋବୃତ୍ତି ଆପଣାଇବା ନିମନ୍ତେ ଶ୍ରୀ ତ୍ରିପାଠୀ କଂସ ମହାରାଜଙ୍କୁ ନିବେଦନ କରିଥିଲେ।