ଆସୁଛି ଗଣେଶ ପୂଜା; ଡେରା ପକାଇଲେଣି ବାହାର ରାଜ୍ୟ କାରିଗର, ମୁହଁ ଫେରାଇଲେଣି ସ୍ଥାନୀୟ ଶିଳ୍ପୀ

ଭଞ୍ଜନଗର: ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୁଏ ପାର୍ବଣ ଋତୁ। ଦିନ କେଇଟା ପରେ ଗଣେଶ ପୂଜା। ଏନେଇ ଭଞ୍ଜନଗରରେ ବିଭିନ୍ନ ପୂଜା କମିଟି ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ସବୁଠି ଏବେଠାରୁ ଉତ୍ସାହ ଦେଖା ଦେଲାଣି। କଟକଣା ପାଇଁ ଗତ ଦୁଇବର୍ଷ ପୂଜା ଫିକା ପଡିଯାଇଥିବା ବେଳେ ଚଳିତ ବର୍ଷ ଏହି ବର୍ଷ ପୂଜାକୁ ଟିକେ ନିଆରା ଢ଼ଙ୍ଗରେ ପାଳିବାକୁ ଯୁବପିଢ଼ିଙ୍କ ଭିତରେ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଗଲାଣି। କିଏ କେଉଁ ପ୍ରକାର ମୂର୍ତ୍ତି ତିଆରି କରିବ ଓ ଗଣେଶ ମୂର୍ତ୍ତି କିପରି ଶ୍ରଦ୍ଧାଳୁଙ୍କ ଦୃଷ୍ଟିକୁ ଆକର୍ଷଣ କରିବ ସେ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ କାରିଗର ମଧ୍ୟ ମୂର୍ତ୍ତି ତିଆରିରେ ମଧ୍ୟ ଲାଗି ପଡିଛନ୍ତି। ରାଜସ୍ଥାନରୁ ଆସିଥିବା କାରିଗରମାନେ ପ୍ଲାଷ୍ଟର ଅଫ ପ୍ୟାରିସର ମୂର୍ତ୍ତି ତିଆରିରେ ଲାଗିଥିବା ବେଳେ ପଶ୍ଚିମବଙ୍ଗରୁ ଆସିଥିବା କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ ନିମଗ୍ନ ରହିଛନ୍ତି। ବାହାର ରାଜ୍ୟରୁ କାରିଗରମାନେ ଆସି ମାସ ମାସ ଧରି ଏଠାରେ ଡେରା ପକାଇ ଗ୍ରାହକଙ୍କ ଚାହିଦା ଅନୁଯାୟୀ ମୃର୍ତ୍ତି କମ୍‌ ସମୟରେ ନିର୍ମାଣ କରୁଥିବାରୁ ସ୍ଥାନୀୟ ଶିଳ୍ପୀମାନେ ମୂର୍ତ୍ତି ନିର୍ମାଣରୁ ଚଳିତ ଥର ମୁହଁ ଫେରାଇଥିବା ଦେଖିବାକୁ ମିଳିଛି।

ବର୍ତ୍ତମାନ ବଜାରରେ ପ୍ଳାଷ୍ଟର ଅଫ୍‌ ପ୍ୟାରିସ୍‌ ମୂର୍ତ୍ତି ବେଶ ଚାହିଦା ରହିଥିବା ଦେଖିବାକୁ ମିଳୁଛି। ୩ ଶହ ଟଙ୍କାରୁ ଆରମ୍ଭ କରି ୨୦ ହଜାର ପର୍ଯ୍ୟନ୍ତ ବିଭିନ୍ନ ରକମର ମୂର୍ତ୍ତି ମିଳୁଛି। ମାଟି ମୂର୍ତ୍ତି ତୁଳନାରେ ହାଲୁକା ସହ ସୁନ୍ଦର ଅଧିକା ଦେଖାଯାଉଥିବାରୁ ସେହି ହିସାବରେ ଦର ମଧ୍ୟ ଅଧିକା ରହୁଛି। ସେହିପରି ପଶ୍ଚିମବଙ୍ଗରୁ ବଳାଇ ଦାଦାଙ୍କ ନେତୃତ୍ବରେ କିଛି କାରିଗର ଆସି ଭଞ୍ଜନଗରେ ଡେରା ପକାଇଛନ୍ତି। ସେ ପ୍ରାୟ ୧୫ ବର୍ଷ ହେଲା ଗଙ୍ଗା ମାଟି ସାଙ୍ଗରେ ଆଣି ଏଠରେ ଖୁବ୍‌ କମ୍‌ ସମୟରେ ମୂର୍ତ୍ତି ନିର୍ମାଣ କରି ଦେଉଥିବାରୁ ତାଙ୍କର ମଧ୍ୟ ଭଲ ଦିପଇସା ରୋଜଗାର ହେଉଥିବା ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଛୋଟ ବଡ଼ କରି ୫୦୦ରୁ ଉର୍ଦ୍ଧ ମୂର୍ତ୍ତି ନିର୍ମାଣ କରିଥିବା ପ୍ରକାଶ କରିଛନ୍ତି।

ଭଞ୍ଜନଗରରେ ଅନେକ ସ୍ଥାନୀୟ କଳାକାର ମୂର୍ତ୍ତି ନିର୍ମାଣ କରୁଥିବା ବ‌େଳେ ଚଳିତ ବର୍ଷ ସେମାନ‌େ ଏଥିରୁ ବିରତ ରହିଥିବା ଦେଖିବାକୁ ମିଳିଛି। ଲାଲସିଙ୍ଗ ଅଞ୍ଚଳର ଜଣେ ମାଟି ମୂର୍ତ୍ତି କାରିଗରଙ୍କ କହିବାନୁଯାୟୀ, ମାଟିମୂର୍ତ୍ତି ତିଆରି ପାଇଁ ଅଧିକା ଟଙ୍କା ଖର୍ଚ୍ଚ ହେଉଛି ଓ ଅଧିକା ସମୟ ଲାଗୁଛି। କିନ୍ତୁ ‌ସେହି ଦରରେ ମୂର୍ତ୍ତି ବିକ୍ରି ହୋଇପାରୁ ନାହିଁ। ମାଟି ମୂର୍ତ୍ତି ପାଇଁ ନଡା, ମାଟି, ବାଲି, ସୁତିଲି, ବାଉଁଶ, କାଠ ଓ ରଙ୍ଗର ଆବଶ୍ୟକତା ରହୁଛି, ଯାହାର ଦର ପୂର୍ବ ଅପେକ୍ଷା ଏବେ ଢେର ଗୁଣା ବଢ଼ି ଯାଇଛି। ପୂର୍ବରୁ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ, ବୁଗଡା, ସୋରଡା ଅଞ୍ଚଳରୁ ବେପାରୀ ଆସି ତାଙ୍କ ଠାରୁ ମାଟିମୂର୍ତ୍ତି ‌ନେଇ ବିକ୍ରି କରୁଥିଲେ। ଚଳିତ ବର୍ଷ ସଉକ ପାଇଁ କେବଳ କିଛି ହାତଗଣତି ମୂର୍ତ୍ତି କରୁଥିବା କହିଛନ୍ତି। ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ତିଆରି ପରଠାରୁ ଏହାର ଚାହିଦା ବହୁତ କମି ଯାଇଛି ଓ କାରିଗରମାନ‌େ ମୂର୍ତ୍ତି ତିଆରି ଛାଡି ସାରିଲେଣି। ଏଥିସହ ସରକାରଙ୍କ ପକ୍ଷରୁ ପେଶାରତ ମୂର୍ତ୍ତି କାରିଗରକୁ ପ୍ରୋତ୍ସାହନ ମିଳିପାରୁନଥିବା ନେଇ ଦୁଃଖରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର