୧୦ ବର୍ଷ ବିତିଲା: ଶ୍ରୀମନ୍ଦିରରେ ଲାଗିଲାନି ଦଶାବତାର ମୂର୍ତ୍ତି

୨୦୧୨ରୁ ମୂର୍ତ୍ତି କାମ ସରିଲାଣି, ୩୫ହଜାର ଟଙ୍କା ପାଇଁ ଭଣ୍ଡାଉଛି ପ୍ରତ୍ନତତ୍ତ୍ବ ବିଭାଗ

ପୁରୀ : ‌ବର୍ଷେ କି ଦୁଇ ବର୍ଷ ନୁହେଁ, ୧୦ ବର୍ଷ ବିତିଲାଣି, ତଥାପି ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ଲାଗି ପାରୁନି ଦଶାବତାର ମୂର୍ତ୍ତି। ଯେଉଁଥିପାଇଁ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ଫୁଙ୍ଗୁଳା ଦିଶୁଛି। ବାରମ୍ବାର ଦଶାବତାର ମୂର୍ତ୍ତି ସ୍ଥାପନ ନେଇ ଦାବିପରେ ବି ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହାକୁ କର୍ଣ୍ଣପାତ କରୁନି କି ତିଳେମାତ୍ର ଖାତିର କରୁନି। ଫଳସ୍ବରୂପ ଦଶାବତାର ମୂର୍ତ୍ତିଙ୍କୁ ନେଇ ଯେଉଁ ମହାତ୍ମ୍ୟ ରହିଥିଲା, ତାହା ଧୀରେଧୀରେ ଜନମାନସରୁ ଲିଭିଯିବାକୁ ବସିଛି। ଏହା ଅଗଣିତ ଜଗନ୍ନାଥପ୍ରେମୀ ତଥା ଭକ୍ତଙ୍କ ଭକ୍ତିଭାବ ପ୍ରତି କୁଠାରାଘାତ କରୁଛି।

ପୂର୍ବରୁ ସିଂହଦ୍ବାର ଏହି ସ୍ଥାନରେ ଥିଲେ ଦଶାବତାର ମୂର୍ତ୍ତି

୨୦୧୨ ମସିହାରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିରରୁ ଚୁନ ଛଡ଼ାଇବା ସମୟରେ ସିଂହଦ୍ବାର ଗୁମୁଟରେ ଥିବା ଦଶାବତାର ମୂର୍ତ୍ତି ଭାଙ୍ଗି ଦେଇଥିଲା। ପରେ ଦଶାବତାର ଭାବେ ସିଂହଦ୍ବାର ଗୁମୁଟରେ ପୂଜା ପାଉଥିବା ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମଚନ୍ଦ୍ର, ହଳଧର, ବୁଦ୍ଧ ଓ କଳ୍କୀଙ୍କ ପ୍ରତିମୂର୍ତ୍ତିକୁ ଖୋଲି ଦେଇଥିଲା ପ୍ରତ୍ନତତ୍ତ୍ବ ବିଭାଗ। ୧୩ଶହ ଶତାଦ୍ଦୀର ଏହି ଦଶାବତାର ମୂର୍ତ୍ତିକୁ ପ୍ରତ୍ନତତ୍ତ୍ବ ବିଭାଗ ଲୁଚାଛପାରେ କାଢ଼ିନେବା ପରେ ବିବାଦ ମୁଣ୍ଡ ଟେକିଥିଲା। ସେବାୟତ, ବୁଦ୍ଧୀଜୀବୀ, ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେ ସମୟରେ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ତତ୍କାଳ ନୂଆ ମୂର୍ତ୍ତି ସ୍ଥାପନ କରିବ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ପ୍ରତିଶ୍ରୁତି ଦେଇଥିଲା। ପରେ ବୀରହରେକୃଷ୍ଣପୁରର ମହେନ୍ଦ୍ର ସାମଲଙ୍କୁ ୨୦୧୨ ମସିହାରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପୁରୀ ସର୍କଲର ସଂରକ୍ଷଣ ସହକାରୀ ଅଧିକାରୀ ନୂଆ ମୂର୍ତ୍ତି ପାଇଁ ଏକ ଚିଠି(ନଂ-୧/୪/ଆରସିପି/୧୨-୧୩-୪୪୯/୩.୫.୨୦୨୧) କରିଥିଲେ। ଯେଉଁଥିରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ଡଳର ଅନୁମୋଦନକ୍ରମେ ଶ୍ରୀମନ୍ଦିରର ଦଶାବତାର ମୂର୍ତ୍ତି ଅବିକଳ ନିର୍ମାଣ କରି ଦେବାକୁ କୁହାଯାଇଥିଲା।

ଭଲ ଖାଣ୍ଡେଲାଇଟ୍‌ ପଥରରେ ଏହି ନିର୍ମାଣ କାର୍ଯ୍ୟ କରିବାକୁ କୁହାଯାଇଥିଲା। ୧୦ ଦିନ ଭିତରେ କାମ ସାରିବାକୁ କୁହାଯାଇଥିଲା। ପ୍ରତି ମୂର୍ତ୍ତି ପିଛା ୩୫ଶହ ଟଙ୍କା ହିସାବରେ ସମୁଦାୟ ୩୫ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ଆଦେଶ ମୁତାବକ ଶିଳ୍ପୀ ମହେନ୍ଦ୍ର ସାମଲ ୨୮ ଇଞ୍ଚ ଉଚ୍ଚତା ଓ ୪ ଇଞ୍ଚ ମୋଟେଇର ନୂଆ ଦଶାବତାର ମୂର୍ତ୍ତି ନିର୍ମାଣ କରି ରଖିଛନ୍ତି। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗର ଦେଖାନାହିଁ। ଏ ଭିତରେ ଶିଳ୍ପୀ ବହୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ଆରମ୍ଭ କରି ଭୁବନେଶ୍ବର ପ୍ରତ୍ନତତ୍ତ୍ବ ବିଭାଗ କାର୍ଯ୍ୟାଳୟକୁ ଦୌଡ଼ିଥିଲେ ବି କେହି ଅଭିଯୋଗ ଶୁଣିବାକୁ ନାରାଜ। ପ୍ରତ୍ନତତ୍ତ୍ବ ବିଭାଗ ଆନ୍ତରିକତା ଦେଖାଉନଥିବାରୁ ନବନିର୍ମିତ ପ୍ରତିମୂର୍ତ୍ତି ସେହିଭଳି ଶିଳ୍ପୀଙ୍କ ଘରେ ପଡ଼ିରହିଛି।

ସମ୍ବନ୍ଧିତ ଖବର