ଭୁବନେଶ୍ୱର: ଗାନ୍ଧିଜୀଙ୍କ ଶାରୀରିକ ମୃତ୍ୟୁ ଘଟିଥାଏ ପାରେ। କିନ୍ତୁ ତାଙ୍କ ଆଦର୍ଶ, ଦର୍ଶନ ଓ ବାର୍ତ୍ତାର କେବେ ବି ମୃତ୍ୟୁ ଘଟିବ ନାହିଁ ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଆଲୁମ୍ନି ଆସୋସିଏସନ୍ ଓ ଆଲୁମ୍ନି କନେକ୍ଟ ପକ୍ଷରୁ ମିଳିତ ଭାବେ ଆୟୋଜିତ ହେଉଥିବା " ମିଟ୍ ଦ ଆଲୁମ୍ନି ବକ୍ତୃତାମାଳା' ଶୃଙ୍ଖଳାର ଆଜି ନବମ ବକ୍ତୃତାରେ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର, ଆଲୁମ୍ନି ଆସୋସିଏସନର ଅନ୍ୟତମ ଉପଦେଷ୍ଟା ତଥା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗଦେଇ " ମୃତ୍ୟୁ ପରର ଜୀବନ- ଗାନ୍ଧିଜୀ " ଶୀର୍ଷକ ବିଷୟବସ୍ତୁରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସେ କହିଥିଲେ - ଯେଉଁମାନେ ସାଧନା କରିଥାନ୍ତି, ମୃତ୍ୟୁ ପରେ ସେମାନଙ୍କ ସମ୍ପର୍କରେ ଅଧିକ ଆଲୋଚନା କରାଯାଏ। ଗାନ୍ଧିଜୀ କେବେ ବି ମରିବେ ନାହିଁ। ତାଙ୍କ ଶରୀରର ମୃତ୍ୟୁ ଘଟିଥାଇ ପାରେ। କିନ୍ତୁ ତାଙ୍କ ଆଦର୍ଶ, ଦର୍ଶନ, ବାର୍ତ୍ତାର ମୃତ୍ୟୁ ନାହିଁ। ଜୀବିତ ଅବସ୍ଥାରେ ତାଙ୍କ ଉପରେ ଯେତିକି ଚର୍ଚ୍ଚା ହେଉଥିଲା, ମୃତ୍ୟୁ ପରେ ତାଠୁ ଅଧିକ ଚର୍ଚ୍ଚା ହେଉଛି" ବୋଲି ଡକ୍ଟର ସାହୁ କହିଥିଲେ।
ଆଲୁମ୍ନି ଆସୋସିଏସନର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ବିଚାରଧାରା ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଆସୋସିଏସନ୍ ସମ୍ପାଦକ ତଥା ପୂର୍ବତନ କୁଳପତି ପ୍ରଫେସର ଅଶୋକ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଶେଷରେ ଆଲୁମ୍ନି କନେକ୍ଟ ପକ୍ଷରୁ ପ୍ରଫେସର କୁଞ୍ଜବିହାରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଆସୋସିଏସନ୍ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଦୀପ କୁମାର ରଥ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆସୋସିଏସନ୍ ଉପସଭାପତି ଦେବେନ୍ଦ୍ର ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ରଘୁନାଥ ପୃଷ୍ଟି, ତନ୍ମୟ ସ୍ବାଇଁ, ଡକ୍ଟର ମନୋରଞ୍ଜନ ଭୂୟାଁ, ରମେଶ ଦାଶ, ରାମ ଶଙ୍କର ପଟ୍ଟନାୟକ, ଦେବାଶିଷ ଦାଶଗୁପ୍ତା, ରାଜଲକ୍ଷ୍ମୀ ସାହୁ, ଡକ୍ଟର ସନ୍ତୋଷ କମିଳା, ଦିଲୀପ ମିଶ୍ର, ପ୍ରଫେସର ଭାସ୍ବତୀ ପଟ୍ଟନାୟକ, ପ୍ରଫେସର ମିତାଲି ଚିନାରା , ତିଳୋତ୍ତମା ବାସା, ପ୍ରଫେସର ଦାଶରଥି ସାହୁ, ପ୍ରଫେସର ପୁଷ୍ପଲତା ଯେନା. ପ୍ରଫେସର ସ୍ମିତା ନାୟକ, ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ, ଡକ୍ଟର ଗୁଣନିଧି ସାହୁ, ଡକ୍ଟର ଆଶିଷ ପାଠୀ, ଡକ୍ଟର ଅନସୂୟା ନାଥ, ପ୍ରଫେସର ଶିବ ପ୍ରସାଦ ଅଧିକାରୀ ଏବଂ ଦାଶରଥି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ଆଜି ସକାଳେ ଆଲୁମ୍ନି ଆସୋସିଏସନ୍ ତରଫରୁ ଯୁଗ୍ମ ସମ୍ପାଦକ ରଘୁନାଥ ପୃଷ୍ଟିଙ୍କ ନେତୃତ୍ବରେ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ଅହିଂସା ସ୍ଥଳରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଯୁଗ୍ମ କୋଷାଧ୍ୟକ୍ଷ ଡକ୍ଟର ବୀରକିଶୋର ଦାଶ, କାର୍ଯ୍ୟ ନିର୍ବାହୀ ସଦସ୍ୟ ଡକ୍ଟର ପ୍ରଦୀପ ରଥ, ଗଦାଧର ରଥ, ତପନ କୁମାର ଜେନା, ହରେକୃଷ୍ଣ ଶିଆଳ, ଲକ୍ଷ୍ମୀଧର ଚାନ୍ଦ ଓ ଆଲୁମ୍ନି କନେକ୍ଟର ସଂଯୋଜକ ପ୍ରଫେସର କୁଞ୍ଜ ବିହାରୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।