ରାୟଗଡ଼ାରେ ମୂର୍ତ୍ତି ଚୋରଙ୍କ ପ୍ରାଦୁର୍ଭାବ: ଅଢ଼େଇ ବର୍ଷ ପରେ ବି ମାଣିକେଶ୍ବରୀଙ୍କ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର ନୋହିଲା

ଗୁଣପୁରର ଗ୍ରାମଦେବୀ, ବିଷମକଟକର ମାର୍କମା ମନ୍ଦିରରେ ବି ବୁଲିଛି କଳାକାନ

ରାୟଗଡ଼ା: ରାୟଗଡ଼ାରେ ମୂର୍ତ୍ତି ଚୋରଙ୍କ ପାର୍ଦୁଭାବ ବଢ଼ିବାରେ ଲାଗିଛି। ଜିଲ୍ଲାର ବହୁ ପ୍ରମୁଖ ମନ୍ଦିରରେ ଚୋର ଦଳ କଳାକନା ବୁଲାଇବାରେ ସକ୍ଷମ ହୋଇଛନ୍ତି। କେଉଁ ମନ୍ଦିରରୁ ସର୍ବ ପୁରାତନ ମୂର୍ତ୍ତି ତ କେଉଁ ମନ୍ଦିରରୁ ମା’ଙ୍କ ସୁନା ଆଖି, ନାକ ଫୁଲ, କେଉଁଠୁ ହୁଣ୍ଡି ଭାଙ୍ଗି ଲୁଟିଛନ୍ତି। କିନ୍ତୁ ପୁଲିସ୍ ବର୍ଷ ବର୍ଷ ଧରି ସେମାନଙ୍କ ଟେର୍ ପାଇବାରେ ସକ୍ଷମ ହୋଇପାରୁନି। ଯାହା ଭକ୍ତଙ୍କ ଭାବାବେଗକୁ ଶକ୍ତ ଆଘାତ ଦେଇଛି।

କୋଲନରା ବ୍ଲକ୍ ଖେଦାପଡା ଗ୍ରାମରେ ରହିଛି ମା’ ମାଣ‌ିକେଶ୍ବରୀଙ୍କ ମନ୍ଦିର। ଶହ ଶହ ବର୍ଷ ପୁରୁଣା ଏହି ମନ୍ଦିର ରାଜା ରାଜୁଡ଼ା ଅମଳରେ ତିଆରି ହୋଇଥିଲା। ମା’ଙ୍କ ପ୍ରତିମୂର୍ତ୍ତି ୨ ଶହ ବର୍ଷ ପୁରୁଣା ଏବଂ ଅଷ୍ଟଧାତୁରେ ନିର୍ମିତ। ଦଶହରା, ଚୈତ୍ର ମାସରେ ମା’ଙ୍କ ପୀଠରେ ଗୁପ୍ତ ପୂଜା ସହ ଚଣ୍ଡୀପାଠ ଏବଂ ନାନାଦି ଯଜ୍ଞ ହୋଇଥାଏ। ପ୍ରତ୍ୟକ୍ଷ ଦେବୀ ଯୋଗୁ ବିଭିନ୍ନ ରାଜ୍ୟର ଶ୍ରଦ୍ଧାଳୁ ଏଠାକୁ ଆସି ପୂଜାର୍ଚ୍ଚନା କରିଥାନ୍ତି। ଅଢ଼େଇ ବର୍ଷ ତଳେ ମା’ଙ୍କ ଅଷ୍ଟଧାତୁ ମୂର୍ତ୍ତିକୁ ଦୁର୍ବୃତ୍ତ ଚୋରି କରି ନେବା ସହ ହୁଣ୍ଡି ଭାଙ୍ଗି ଦେଇଥିଲେ। ମା’ଙ୍କ ପ୍ରତିମୂର୍ତ୍ତି ଅତ୍ୟନ୍ତ ବିରଳ ହୋଇଥିବାରୁ ଚୋର ଦଳ ଟାର୍ଗେଟ୍ କରି ଏହି ମୂର୍ତ୍ତିକୁ ଚୋରି କରି ନେଇଥିଲେ। ଚୋରି ନେଇ ଚାନ୍ଦିଲି ଥାନାରେ ମାମଲା ରୁଜୁ ହେବା ସହ ତୁରନ୍ତ ମୂର୍ତ୍ତି ଉଦ୍ଧାର ପାଇଁ ଗ୍ରାମବାସୀ ଦାବି କରିଥିଲେ। ହେଲେ ଆଜି ସୁଦ୍ଧା ପୁଲିସ୍ ମୂର୍ତ୍ତି ଉଦ୍ଧାରରେ ସଫଳ ନ ହେବା ପରେ ୧ ବର୍ଷ ତଳେ ଗ୍ରାମବାସୀ ମା’ଙ୍କ ନୂତନ ପ୍ରତିମୂର୍ତ୍ତି ନିର୍ମାଣ କରି ପୂଜା କରୁଛନ୍ତି।

୨୦୨୧ ସେପ୍ଟେମ୍ବରରେ ଗୁଣପୁରର ଗ୍ରାମଦେବୀ ମନ୍ଦିରରେ ଦୁର୍ବୃତ୍ତ କଳାକନା ବୁଲାଇଥିଲେ। ଗ୍ରାମଦେବୀ ପରିଧାନ କରିଥିବା ଅଢ଼େଇ ତୋଳା ସୁନା ହାର ସହିତ ୩୦ ତୋଳା ରୂପା ଅଳଙ୍କାରକୁ ଚୋର ଦଳ ଚୋରି କରି ନେଇଥିଲେ। ଗୁଣପୁର ପୁଲିସ୍ ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନି। ୨୦୨୧ ଏପ୍ରିଲରେ ଚୋର ଦଳ ବିଷମକଟକର ଆରାଧ୍ୟ ଦେବୀ ମା’ ମାର୍କମା ମନ୍ଦିରରୁ ଚୋରି କରିଥିଲେ। ମା’ ପରିଧାନ କରିଥିବା ସୁନା ନାକ ଫୁଲ ସହ ମନ୍ଦିରରେ ଲାଗିଥିବା ଏକ ଟିଭିକୁ ଲୁଟି ନେଇଥିଲେ। ହୁଣ୍ଡି ଭାଙ୍ଗିବାକୁ ଉଦ୍ୟମ କରିଥିଲେ ମଧ୍ୟ ଚୋର ଦଳ ସଫଳ ହୋଇପାରିନଥିଲେ। ୨୦୨୧ ଜୁନରେ ଚୋର ଦଳ ମୁନିଗୁଡ଼ା ବ୍ଲକ୍ ହୁକୁମତୋଳା ରାମେଶ୍ବର ମନ୍ଦିରରେ କଳାକନା ବୁଲାଇଥିଲେ। ମନ୍ଦିର ଚର୍ତୁପାର୍ଶ୍ବରେ ଲାଗିଥିବା ମୂର୍ତ୍ତି ଗୁଡ଼ିକୁ ଚୋର ଦଳ ନେଇ ଅଧ କିମି ଦୂରରେ ଭାଙ୍ଗିରୁଜି ଚାଲି ଯାଇଥିଲେ। ଅଷ୍ଟଧାତୁରେ ମୂର୍ତ୍ତି ଗୁଡ଼ିକ ତିଆରି ହୋଇଥିବା ସନ୍ଦେହରେ ‌ଚୋର ଦଳ ଏପରି କାଣ୍ଡ ଘଟାଇଥିଲେ। ଜିଲ୍ଲାର ଅନେକ ମନ୍ଦିରରୁ ପ୍ରତି ମାସରେ ଚୋର ଦଳ ଚୋରି କରିବାରେ ସକ୍ଷମ ହେଉଛନ୍ତି। ସିସିଟିଭି ଫୁଟେଜ ଥିବା ସତ୍ତ୍ବେ ପୁଲିସ୍ ଚୋର ଦଳକୁ ଠାବ କରିବାରେ ସକ୍ଷମ ହୋଇପାରୁନି।

ସମ୍ବନ୍ଧିତ ଖବର