ଜଗନ୍ନାଥ ମନ୍ଦିରରୁ ମୂର୍ତ୍ତି ଚୋରି, ୬ ବର୍ଷ ପରେ ବି ପୁଲିସ ହାତ ଖାଲି

ବ୍ରହ୍ମବରଦା : ଧର୍ମଶାଳା ଥାନା ତଥା ବ୍ରହ୍ମବରଦା ଫାଣ୍ତି ଅନ୍ତର୍ଗତ ବ୍ରହ୍ମବରଦା ଚଣ୍ତିପଡ଼ିଆ ନିକଟସ୍ଥ ବ୍ରାହ୍ମଣସାହି ଜଗନ୍ନାଥ ମନ୍ଦିର ଚୋରି ଘଟଣାକୁ ୬ ବର୍ଷ ବିତିଗଲାଣି। ହେଲେ ଚୋରି ଯାଇଥିବା ମୂର୍ତ୍ତି କିମ୍ବା ଲୁଟେରାମାନଙ୍କ ସମ୍ପର୍କରେ ପୁଲିସକୁ ଆଜିଯାଏ କୌଣସି ସୂଚନା ମିଳିଲା ନାହିଁ। ଅଭିଯୋଗ ଅନୁଯାୟୀ, ଗତ ୨୦୧୬ ଡିସେମ୍ବର ୫ ତାରିଖ ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ ଜଗନ୍ନାଥ ମନ୍ଦିର ତାଲା ଭାଙ୍ଗି ଅଷ୍ଟଧାତୁ-ନିର୍ମିତ ୧୨ ଇଞ୍ଚର ରଘୁନାଥଜୀଉ ମୂର୍ତ୍ତି, ୭ ଇଞ୍ଚର ବାଲାଜୀଙ୍କ ମୂର୍ତ୍ତି, ୬.୭ ଇଞ୍ଚର ରାଧାକୃଷ୍ଣ ମୂର୍ତ୍ତି, ଗୋଟିଏ ଗଣେଶ ମୂର୍ତ୍ତି, ଗୋଟିଏ ଆଣ୍ଠୁଆ ଗୋପାଳ ମୂର୍ତ୍ତି, ୩ କେଜିର ଠାକୁରଙ୍କ ପିତଳ ସିଂହାସନ, ୩ଟି ପିତଳ ନାଗ ସହିତ ଠାକୁରଙ୍କ ସମସ୍ତ ପୂଜା ସାମଗ୍ରୀ ଚୋରି କରିନେଇଥିଲେ, ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି।

ଏହି ଘଟଣାରେ ଆଜିଯାଏ ପୁଲିସ ହାତ ଖାଲି। ପରଦିନ ସକାଳୁ ମନ୍ଦିରର ପୂଜକ ରମେଶ ଚନ୍ଦ୍ର ପାଢ଼ୀଙ୍କ ସମେତ ଅନ୍ୟ ପୂଜକମାନେ ଚୋରି ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀଙ୍କ ପରାମର୍ଶରେ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରାଯାଇଥିଲା। ସେତେବେଳର ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ରଥ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ହେଲେ ୬ ବର୍ଷ ପରେ ବି ଲୁଟେରା କିମ୍ବା ଚୋରି ଜିନିଷ ସମ୍ପର୍କରେ ପୁଲିସକୁ କୌଣସି ସୂଚନା ମିଳିଲା ନାହିଁ। ଏନେଇ ଘଟଣାର ପ୍ରାୟ ୧୫ ଦିନ ପରେ ସେବାୟତମାନେ ଯାଜପୁର ଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଥିଲେ। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପୁଲିସ କିଛି ଲୋକଙ୍କୁ ପଚରାଉଚରା କରିଥିଲେ ମଧ୍ୟ ଚୋରି ମୂର୍ତ୍ତି ଉଦ୍ଧାର କରିପାରି ନ ଥିଲା।

ସମ୍ବନ୍ଧିତ ଖବର