ଆଉ କେତେ ମୂର୍ତ୍ତି ଚୋରି ହେଲେ ନିଦ ଭାଙ୍ଗିବ? ସ୍ଥାନୀୟ ଅଞ୍ଚଳରେ ତେଜୁଛି ଅସନ୍ତୋଷ

ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଓଡ଼ିଶା ମନ୍ଦିର ସେବାୟତ ସଂଘ

ଭୁବନେଶ୍ୱର : ଶହ ଶହ ବର୍ଷ ଧରି ମନ୍ଦିରରେ ପୂଜା ପାଇ ଆସୁଥିବା ମୂର୍ତ୍ତିକୁ ଲୁଟି ନେଉଛନ୍ତି ଦୁର୍ବୃତ୍ତ। ଗତ ତିନି ମାସ ମଧ୍ୟରେ ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ, କଣାସ, ଚନ୍ଦନପୁର ଭଳି ଅଞ୍ଚଳରେ ମନ୍ଦିରରୁ ଠାକୁରଙ୍କ ମୂର୍ତ୍ତି ଚୋରି ପରେ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଲାଗିଛି। କିନ୍ତୁ ପୁଲିସ ଅଧିକାଂଶ ଘଟଣାର ପର୍ଦ୍ଦାଫାସ୍ କରି ନ ପାରିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଲାଣି। କାରଣ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଖେଳୁଛନ୍ତି ଦୁର୍ବୃତ୍ତ। ହେଲେ ସରକାରଙ୍କ ନିଦ ଭାଙ୍ଗୁନି।

ମୂର୍ତ୍ତି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି ପୁରୀ
ରାଜଧାନୀରେ ଫେଲ୍ ମାରିଛି କମିସନରେଟ ପୁଲିସ
କର୍ଣ୍ଣାଟକ ସରକାରଙ୍କ ତତ୍ପରତା ପାଇଁ ମାଙ୍ଗାଲୋର ଜୈନ ମୂର୍ତ୍ତି ଚୋର ଭୁବନେଶ୍ବରରୁ ଧରାପଡ଼ିଥିଲା

ମିଳିଥିବା ସୂଚନା ଅନୁସାରେ, ଗତ ଡିସେମ୍ବର ଠାରୁ ଏବେଯାଏ ମୂର୍ତ୍ତି ଚୋରି ରାକେଟ୍ ପୁରୀ ଜିଲ୍ଲାରେ ପୁଲିସକୁ ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଘଟଣା ଘଟାଇ ଚାଲିଛନ୍ତି। ପିପିଲି ମାମଲାକୁ ଛାଡ଼ି ଦେଲେ ବାକି ସବୁ ଘଟଣାରେ ପୁଲିସ ହାତରେ ସାମାନ୍ୟତମ ସୁରାକ୍ ଲାଗି ପାରିନାହିଁ। କିମ୍ବା ଚୋରିକୁ ମଧ୍ୟ ରୋକିବାରେ ସେଭଳି କିଛି ଠୋସ୍ ରଣନୀତି ପ୍ରସ୍ତୁତ କରାଯାଇ ନାହିଁ। ଏକାଧିକ ମନ୍ଦିର ଚୋରି ଘଟଣାର ତଦନ୍ତ କରିବା ବେଳେ ପୁରୀ ପୁଲିସ ଗତ ମଙ୍ଗଳବାର କିଛି ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରି ଏକ ଦମ୍ପତିଙ୍କୁ ଗିରଫ କରିଥିଲା। ହେଲେ ସେହି ମୂର୍ତ୍ତି ଗୁଡ଼ିକ ପୁରୀ ଜିଲ୍ଲାର ନୁହେଁ ବୋଲି ସ୍ପଷ୍ଟ ହୋଇଥିବା ବେଳେ କେଉଁ ଅଞ୍ଚଳର ତାହା ମଧ୍ୟ ଜଣାପଡ଼ି ନାହିଁ। ଦମ୍ପତିଙ୍କ ପାଖକୁ ମୂର୍ତ୍ତି କେଉଁଠୁ ଆସିଲା? କେଉଁଠିକୁ ଚାଲାଣ କରିଥାନ୍ତେ? ସେ ସମ୍ପର୍କରେ ମଧ୍ୟ ତଦନ୍ତକାରୀ ଟିମ୍ ତଥ୍ୟ ହାସଲ କରିପାରି ନାହିଁ। ସେହିପରି ପିପିଲି ମୂର୍ତ୍ତି ଚୋରି ମାମଲାରେ ଅଭିଯୁକ୍ତ ବାପୁନି ପାଢ଼ୀକୁ ପୁଲିସ ଭୁବନେଶ୍ବର ପାତ୍ରପଡ଼ାରୁ ଗିରଫ କରି ୫ଟି ମୂର୍ତ୍ତି ଉଦ୍ଧାର କରିଥିଲା। କିନ୍ତୁ ବାପୁନି ସହ ଆଉ କିଏ ସମ୍ପୃକ୍ତ ଅଛି? ବାପୁନି ପାଖରେ ମୂର୍ତ୍ତି କେମିତି ପହଞ୍ଚିଲା? ଚୋରି ମୂର୍ତ୍ତିକୁ କେଉଁଠିକୁ ଚାଲାଣ କରାଯାଇଥାନ୍ତା? ଏହି ରାକେଟର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି? ସେ ସମ୍ପର୍କରେ ମଧ୍ୟ ପୁଲିସ କାଣିଚାଏ ବି ସୁରାକ୍ ପାଇପାରିଲା ନାହିଁ। ଯାହାଫଳରେ ଚୋରି ବଢ଼ି ବଢ଼ି ଚାଲିଲା।

ଅନ୍ୟପକ୍ଷରେ ଗତ ନଭେମ୍ବରରେ ରାଜଧାନୀର ପାହାଳ ଥାନା ଅନ୍ତର୍ଗତ ନହରକଣ୍ଟାର ସ୍ବପ୍ନେଶ୍ବର ମନ୍ଦିର ଓ ଡିସେମ୍ବରରେ ବାଲିଅନ୍ତା ଥାନା ଭିଙ୍ଗାରପୁର ଅଞ୍ଚଳରୁ ଗୋପୀନାଥ ଦେବ ମନ୍ଦିରରୁ ଚୋରି ଘଟଣାରେ ମଧ୍ୟ କମିସନରେଟ ପୁଲିସ ଫେଲ୍ ମାରିଛି। ଏହି ଦୁଇଟି ଘଟଣାରେ ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି। ଏପରିକି ତଦନ୍ତରେ ମଧ୍ୟ ସେମିତି ତତ୍ପରତା ଦେଖିବାକୁ ମିଳୁନାହିଁ। ଯାହାକୁ ନେଇ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଭିନ୍ନ ମନ୍ଦିରରୁ ପ୍ରାଚୀନ ଦୁର୍ମୂଲ୍ୟ ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣାରେ ପୁଲିସ ଫେଲ୍ ମାରିଥିବା ବେଳେ ସରକାର ମଧ୍ୟ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହେଉଛି। କାହିଁକି ଏହି ଘଟଣାକୁ ଗୁରୁତ୍ବର ସହ ନିଆଯାଉ ନାହିଁ? ମୂର୍ତ୍ତି ଚୋରକୁ ଧରିବା ପାଇଁ କାହିଁକି କ୍ରାଇମବ୍ରାଞ୍ଚ କିମ୍ବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଉ ନାହିଁ? ଆହୁରି କେତେ ଚୋରି ହେଲେ ସରକାରଙ୍କ ନିଦ ଭାଙ୍ଗିବ ବୋଲି ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ୨୦୧୩ରେ ମାଙ୍ଗାଲୋରରେ ଜୈନ ମନ୍ଦିରରୁ ପ୍ରାଚୀନ ମୂର୍ତ୍ତି ଚୋରି ଘଟଣାରେ ହଜାର ହଜାର ଲୋକ ରାଜରସ୍ତାକୁ ଓହ୍ଲାଇଥିଲେ। ଆନ୍ଦୋଳନ ଚାଲିବା ପରେ ସରକାରଙ୍କ ଉପରେ ଚାପ ସୃଷ୍ଟି ହୋଇଥିଲା। ଚୋରକୁ ଧରିବା ପାଇଁ ପୁଲିସ କଳ, ବ​ଳ, କୌଶଳ ଲଗାଇ ଦେଇଥିଲା। ବିଭିନ୍ନ ରାଜ୍ୟକୁ ଆଲର୍ଟ କରାଯିବା ସହ ଅଭିଯୁକ୍ତର ଫଟୋ ଜାରି କରା ଯାଇଥିଲା। ଭୁବନେଶ୍ବରରୁ କୁଖ୍ୟାତ ମୂର୍ତ୍ତି ଚୋର ସନ୍ତୋଷ ଦାଶକୁ ଗିରଫ କରିଥିଲା ସ୍ପେସାଲ ସ୍କ୍ବାଡ୍। ଓଡ଼ିଶା ମନ୍ଦିର ସେବାୟତ ସଂଘ ସଭାପତି କାମେଶ୍ବର ତ୍ରିପାଠୀ କହିଛନ୍ତି ପ୍ରାଚୀନ ମନ୍ଦିର ଆମ ରାଜ୍ୟର ଐତିହ୍ୟ। କଳା, ସଂସ୍କୃତିର ପରିଚୟ। ଯାହାକୁ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ବ। ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ଚୋର ଧରାପଡ଼ିବେ ଓ ଚୋରି ଯାଇଥିବା ଦେବଦେବୀଙ୍କ ମୂର୍ତ୍ତି ଉଦ୍ଧାର ହୋଇପାରିବ। ଆଗକୁ ଏ ନେଇ ସେମାନେ ରାଜ୍ୟ ସରକାରଙ୍କୁ ଭେଟିବେ ବୋଲି ଜଣାଇଛନ୍ତି।

ସମ୍ବନ୍ଧିତ ଖବର