କମୁନି ମୂର୍ତ୍ତି ଚୋର ରୢାକେଟ୍‌ର କାରନାମା, ପୁଣି ୭ ଅଷ୍ଟଧାତୁ ମୂର୍ତ୍ତି ଚୋରି

ବାଲିଅନ୍ତା: ବାଲିଅନ୍ତା ଥାନା ଅଞ୍ଚଳରେ ଥମୁନି ମୂର୍ତ୍ତି ଚୋର ରୢାକେଟ୍‌ର କାରନାମା। ବାଛିବାଛି ପ୍ରାଚୀନ ମନ୍ଦିରକୁ ଟାର୍ଗେଟ୍‌ କରି ଅଷ୍ଟଧାତୁ ମୂର୍ତ୍ତି ଲୁଟୁଛନ୍ତି। ୫ ମାସରେ ୫ଟି ପ୍ରାଚୀନ ମନ୍ଦିରେ କଳାକନା ବୁଲାଇ ଏହି ରୢାକେଟ୍‌ କମିସନରେଟ୍‌ ପୁଲିସର ନିଦ ହଜାଇ ଦେଲାଣି। ଗତ ସପ୍ତାହରେ ପ୍ରତାପରୁଦ୍ରପୁରସ୍ଥିତ ଆଖଣ୍ଡଳେଶ୍ବର ମନ୍ଦିର ଓ କେନ୍ଦୁବିଲ୍ବସ୍ଥିତ ନୃସିଂହନାଥ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରି ହଇଚଇ ସୃଷ୍ଟି କରିଥିବା ଏହି ରୢାକେଟ୍‌ ଗତକାଲି ରାତିରେ ମା’ ଟଙ୍କପାଣି ମନ୍ଦିରରୁ ୭ଟି ବହୁମୂଲ୍ୟର ଅଷ୍ଟଧାତୁ ମୂର୍ତ୍ତି ନେଇ ପାର୍ ହୋଇଯାଇଛନ୍ତି। ଚୋରି ହୋଇଥିବା ମୂର୍ତ୍ତି ମଧ୍ୟରେ ରହିଛି ୧ଫୁଟ୍‌ ଉଚ୍ଚତା ବିଶିଷ୍ଟ ମା’ ଲକ୍ଷ୍ମୀ ମୂର୍ତ୍ତି, ଦେଢ଼ଫୁଟ୍‌ ଉଚ୍ଚତାର ନାରାୟଣ ମୂର୍ତ୍ତି, ଦେଢ଼ଫୁଟ୍‌ ଉଚ୍ଚତା ବିଶିଷ୍ଟ ଚନ୍ଦ୍ରଶେଖର ମୂର୍ତ୍ତି, ୧ ଫୁଟ‌୍ ଉଚ୍ଚତାର ମା’ ପାର୍ବତୀ ମୂର୍ତ୍ତି, ୧ଫୁଟ୍‌ ଉଚ୍ଚତା ବିଶିଷ୍ଟ ମା’ ଚତୁର୍ଭୁଜା ଦୁର୍ଗା ମୂର୍ତ୍ତି, ୮ ଇଞ୍ଚ ଉଚ୍ଚତାର ଆଣ୍ଠୁଆ ଗୋପାଳଙ୍କ ମୂର୍ତ୍ତି ଓ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି। ଚୋରି ହୋଇଥିବା ସବୁ ମୂର୍ତ୍ତିଗୁଡ଼ିକର ଓଜନ ୧ କ୍ବିଣ୍ଟାଲରୁ ଅଧିକ ବୋଲି ସୂଚନା ମିଳିଛି। ଏହି ସବୁ ମୂର୍ତ୍ତିଗୁଡ଼ିକର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ବିଦେଶକୁ ଏସବୁ ମୂର୍ତ୍ତି ପଠାଯାଉଥିବା ସନ୍ଦେହ କରାଯାଉଛି। ରାଧାଙ୍କ ପିତ୍ତଳ ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଛାଡ଼ି ପଳାଇଥିବାରୁ ଏଭଳି ଅନୁମାନ କରାଯା‌ଉଛି।

ସୂଚନାନୁସାରେ ମା’ ଟଙ୍କପାଣିଙ୍କ ମନ୍ଦିର ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ରହିଛି। କାହିଁ କେଉଁ ଆବାହମାନ କାଳରୁ ଏହି ମନ୍ଦିରରେ ବହୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ପୂଜା ପାଇଆସୁଥିଲେ। ଗତକାଲି ପୂଜା ଦାୟିତ୍ବରେ ଥିବା ପୂଜକ ପ୍ରମୋଦ ପଣ୍ଡାଙ୍କ ସୂଚନାନୁସାରେ ସନ୍ଧ୍ୟା ଆଳତି ପରେ ସେ ମନ୍ଦିର ପହଡ଼ ପକାଇ ଘରକୁ ଚାଲିଯାଇଥିଲେ। ସକାଳେ ସେ ମନ୍ଦିରକୁ ଆସିବା ବେଳେ ଲୁଟ୍‌ ହୋଇଥିବା ଜାଣିବାକୁ ପାଇଥିଲେ। ମନ୍ଦିର ପଛ ଗ୍ରିଲ୍‌ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଭିତରକୁ ପଶି ସବୁ ମୂର୍ତ୍ତି ଉଠାଇନେଇଥିଲେ। ମନ୍ଦିର କବାଟ ଖୋଲାଥିଲା ଓ ଆସ୍ଥାନ ସବୁ ଖାଲି ହୋଇଯାଇଥିଲା।

ତୁରନ୍ତ ସେ ଓ ମାଳି ସେବାୟତ କୁନା ମହାପାତ୍ର ଗ୍ରାମବାସୀଙ୍କୁ ଜଣାଇଥିଲେ। ମନ୍ଦିରରୁ ସବୁ ମୂର୍ତ୍ତି ଚୋରି ହୋଇଥିବା ଖବର ପ୍ରଚାର ହେବା ମାତ୍ରେ ଗାଁ ଲୋକଙ୍କ ସୁଅ ଛୁଟିଥିଲା। ମନ୍ଦିର କମିଟି ପକ୍ଷରୁ ମହେନ୍ଦ୍ର କୁମାର ପଣ୍ଡା ଓ ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ବାଲିଅନ୍ତା ଥାନା ପୁଲିସକୁ ଜଣାଇଥିଲେ। ଏସିପି ପରେଶ କୁମାର ରାଉତ, ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ଟିମ୍‌ ନିକଟସ୍ଥ ରଙ୍ଗବଜାର ଓ ଆଖପାଖ ସ୍ଥାନରେ ଲାଗିଥିବା ସିସି କ୍ୟାମେରାରୁ ଫୁଟେଜ୍‌ ସଂଗ୍ରହ କରି ଯାଞ୍ଚ କରିଥିଲେ ମଧ୍ୟ ଲୁଟେରାଙ୍କ ସମ୍ପର୍କରେ କୌଣସି ସୁରାକ୍‌ ପାଇନଥିଲେ।

ବିଧିରେ ପାଳିତ ହେଲା ଚନ୍ଦନଯାତ୍ରା

ସ୍ଥାନୀୟ ଅଞ୍ଚଳର ଆରାଧ୍ୟ ଦେବୀ ମା’ ଟଙ୍କପାଣିଙ୍କ ମନ୍ଦିର ପରିସରରେ ରହିଛି ଲକ୍ଷ୍ମୀ ନାରାୟଣ ମନ୍ଦିର, ରାମ ମନ୍ଦିର, ମହାବୀର ମନ୍ଦିର ଓ ଭାବକୁଣ୍ଡଳେଶ୍ବର ମନ୍ଦିର। ଲକ୍ଷ୍ମୀ ନାରାୟଣ ମନ୍ଦିରରେ ସବୁ ଦେବଦେବୀଙ୍କ ଅଷ୍ଟଧାତୁ ମୂର୍ତ୍ତି ରହିଥିଲା। ମୂର୍ତ୍ତି ଚୋରିଯିବା ପରେ ଚନ୍ଦନଯାତ୍ରାକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା। ଅକ୍ଷୟ ତୃତୀୟାଠାରୁ ଚାଲିଥିବା ଚନ୍ଦନଯାତ୍ରା କିଭଳି ହେବ, ସେନେଇ ଚିନ୍ତା ପଡ଼ିଥିଲା। ତେଣୁ ପୁରୀ ମୁକ୍ତିମଣ୍ଡପ ପଣ୍ଡିତଙ୍କ ସହ ଯୋଗାଯୋଗ କରାଯାଇଥିଲା। ମୁକ୍ତିମଣ୍ଡପ ପରାମର୍ଶକ୍ରମେ ରାମ ମନ୍ଦିରରୁ ଆଜ୍ଞାମାଳ ନିଆଯାଇ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ସେହିଭଳି ଆଜ୍ଞାମାଳ ଓ ପ୍ରଭାକୁ ନେଇ ଚନ୍ଦନଯାତ୍ରା ବିଧି ଅନୁଷ୍ଠିତ ହୋଇଥିଲା।

୬ ମାସରେ ୫ ମନ୍ଦିରରୁ ୩୯ ଅଷ୍ଟଧାତୁ ମୂର୍ତ୍ତି ଲୁଟ୍‌

ବାଲିଅନ୍ତା ଥାନା ଅଞ୍ଚଳରେ ଗତ ୬ ମାସ ଭିତରେ ୫ଟି ପ୍ରାଚୀନ ମନ୍ଦିରରୁ ୩୯ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ଗଲାଣି। ଡିସେମ୍ବର ୧ରେ ଭିଙ୍ଗାରପୁରସ୍ଥିତ ପ୍ରାଚୀନ ଗୋପୀନାଥ ମନ୍ଦିରରୁ ୧୨ଟି ଅଷ୍ଟଧାତୁ ମୂର୍ତ୍ତି ସମେତ ୧୫ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଚୋରି ହୋଇଥିଲା। ସେତେବେଳେ ଏହି ମନ୍ଦିର ଚୋରି ସ୍ଥାନୀୟ ଅଞ୍ଚଳ‌ରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା। ମୂର୍ତ୍ତି ଚୋର ରୢାକେଟ୍‌କୁ ଠାବ କରିବା ପାଇଁ ପୁଲିସ ଉପରେ ଚାପ ପକାଯାଇଥିଲା। ମାତ୍ର ଫଳ ଶୂନ୍। ବରଂ ମାତ୍ର ମାସକ ପରେ ଦୁର୍ବୃତ୍ତମାନେ ପୁଲିସକୁ ଚ୍ୟାଲେଞ୍ଜ ଦେଇ ଆଉ ଏକ କାଣ୍ଡ ଘଟାଇଲେ। ଫେବ୍ରୁଆରି ୨ରେ ବାଳକାଟିସ୍ଥିତ ବାଲୁଙ୍କେଶ୍ବର ମନ୍ଦିରରୁ ‌ଚନ୍ଦ୍ରଶେଖର ଓ ମା’ ପାର୍ବତୀଙ୍କ ମୂର୍ତ୍ତି ଚୋରି କରିନେଲେ। ସେହି ମାମଲାରେ ବି ପୁଲିସ ହାତ ଖାଲି ରହିଲା। ପୁଲିସ ତଦନ୍ତ କରୁଛି ବୋଲି କହିଲା, ମାତ୍ର ମୂର୍ତ୍ତି ଚୋର ଗ୍ୟାଙ୍ଗ୍‌ର ଟେର୍‌ ପାଇଲା ନାହିଁ। ପୁଲିସର ପାରିବାପଣିଆକୁ ପରଖି ନେଇ ପୁଣି ଉକ୍ତ ଗ୍ୟାଙ୍ଗ୍‌ ମାତିଲା। ଏପ୍ରିଲ୍‌ ୨୮ ତାରିଖ ରାତିରେ ଦୁଇ ଦୁଇଟି ମନ୍ଦିରରେ କଳାକନା ବୁଲାଇଲେ। ପ୍ରତାପରୁଦ୍ରପୁରସ୍ଥିତ ଆଖଣ୍ଡଳେଶ୍ବର ମନ୍ଦିରରୁ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ସମେତ ୩ଟି ପାର୍ବତୀଙ୍କ ମୂର୍ତ୍ତି ଏବଂ ଗୋଟିଏ ଆଣ୍ଠୁଆ ଗୋପାଳ ମୂର୍ତ୍ତି ଚୋରି କରି ପାର୍ ହୋଇଗଲେ। ସେହିଦିନ ରାତିରେ କେନ୍ଦୁବିଲ୍ବସ୍ଥିତ ନୃସିଂହନାଥ ମନ୍ଦିରରୁ ୧୦ଟି ଅଷ୍ଟଧାତୁ ମୂର୍ତ୍ତି ନେଇଗଲେ। ଗତ ସପ୍ତାହରେ ଘଟିଥିବା ଏହି ଚୋରି ଲୋକଙ୍କ ମନରୁ ନ ଲିଭୁଣୁ, ଗତରାତିରେ ମା’ ଟଙ୍କପାଣି ମନ୍ଦିରରୁ ୭ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି। ଗୋଟିଏ ଅଞ୍ଚଳରେ ମାତିଥିବା ଏହି ରୢାକେଟ୍‌କୁ ଠାବ କରିବାରେ ପୁଲିସ ବିଫଳ ହେଉଥିବାରୁ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି।

ଗୁରୁତ୍ବର ସହ ନେଇଛନ୍ତି ଡିସିପି

ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଏହି ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି। ପୁଲିସକୁ ଚ୍ୟାଲେଞ୍ଜ ‌ଦେଉଥିବା ଏହି ଗ୍ୟାଙ୍ଗ୍‌କୁ ଠାବ କରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠିତ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି। ଖୁବ୍‌ ଶୀଘ୍ର ରୢାକେଟ୍‌ର ପର୍ଦ୍ଦାଫାସ କରାଯିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି।

୫ ବର୍ଷ ତଳେ ଚୋରି ଯାଇଥିଲା ଗଣେଷ ମୂର୍ତ୍ତି

୫ ବର୍ଷ ତଳେ ଏହି ମନ୍ଦିର ପରିସରରେ ଥିବା ୨ଫୁଟ୍‌ ଉଚ୍ଚତାର କଳାମୁଗୁନି ପ୍ରସ୍ତର ନିର୍ମିତ ଗଣେଷଙ୍କ ମୂର୍ତ୍ତି ଚୋରି ଯାଇଥିଲା। ମାତ୍ର ଏହି ମୂର୍ତ୍ତି ଚୋରି ଆଜି ବି ରହସ୍ୟ ହୋଇ ରହିଛି। ଦୀର୍ଘ ବର୍ଷ ପରେ ବି ଚୋରି ହୋଇଥିବା ଏହି ଗଣେଶଙ୍କ ମୂର୍ତ୍ତି ଉଦ୍ଧାର ହୋଇପାରିନାହିଁ। ଅବଶ୍ୟ ଏହା ଭିତରେ ମନ୍ଦିର କମିଟି ନୂଆ ମୂର୍ତ୍ତି ପ୍ରତିଷ୍ଠା କରିସାରିଛି।

ସମ୍ବନ୍ଧିତ ଖବର