ପୁରୀ: ପୁରୀରେ ନିଦ ହଜାଇଲେଣି ମୂର୍ତ୍ତି ଚୋର। ଚଳିତ ମାସରେ କେବଳ ସହର ମଧ୍ୟରେ ତିନିଟି ମନ୍ଦିରରୁ ଚୋରି କରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ। ଆଜି ପୁଣି ଗୁଣ୍ଡିଚା ମନ୍ଦିର ପଛପାର୍ଶ୍ବ ଗୁଣ୍ଡିଚା ବିହାରସ୍ଥିତ ଶ୍ରୀଚନ୍ଦ୍ରଶେଖର ମନ୍ଦିରରୁ ମୂର୍ତ୍ତି ଚୋରି ଉଦ୍ୟମ ହୋଇଛି। ତେବେ ମୂର୍ତ୍ତି ନେବାରେ ବିଫଳ ହେବାପରେ ଠାକୁରଙ୍କ ବାସନ, ଆସବାବ ଓ କିଛି ଟଙ୍କା ଚୋରାଇ ନେଇଛନ୍ତି ଚୋର। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସିସିଟିଭି ଲାଗିନଥିବାରୁ ଚୋରଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ଆହ୍ବାନ ପାଲଟିଛି।

Advertisment

ଗତ ୧୩ ତାରିଖରେ ସର୍ବୋଦୟନଗରସ୍ଥିତ ମୁକ୍ତେଶ୍ବର ମନ୍ଦିରରୁ ୧୮ କେଜି ଓଜନର ୧୭ ଇଞ୍ଚ ବିଶିଷ୍ଟ ପିତଳ ଶିବପାର୍ବତୀ ମୂର୍ତ୍ତି ଚୋରି ହୋଇଥିଲା। ଏହାବ୍ୟତୀତ ୪ଟି ସୁନା ଲକେଟ୍‌, ରୁପା ମୁକୁଟ ଓ ଅନ୍ୟ ଅଳଙ୍କାର ଚୋରି ହୋଇଥିଲା। ତେବେ ଏସବୁ ମୂଲ୍ୟବାନ ମୂର୍ତ୍ତି ଓ ଅଳଙ୍କାରକୁ ଚୋର ମାତ୍ର ୪୭୦୦ ଟଙ୍କାରେ ବିକ୍ରି କରି ଦେଇଥିଲା। ଏ ଘଟଣାରେ ପୁଲିସ ଗିରଫ କରିଥିବା ଚୋର ପୁରୀ ସଦର ଅଞ୍ଚଳର। ସେହିପରି ଗତ ୨୩ ତାରିଖରେ ଶ୍ରୀମନ୍ଦିର ଦକ୍ଷିଣ-ପଶ୍ଚିମ କୋଣସ୍ଥିତ କପାଳମୋଚନ ମନ୍ଦିର ପରିସରରୁ ଲକ୍ଷ୍ମୀନୃସିଂହଙ୍କ ପ୍ରାୟ ୧ ଫୁଟର ଯୁଗଳ ମୂର୍ତ୍ତି ଚୋରି କରିନେଇଛି। ମନ୍ଦିର ପୂଜକ ରଘୁନାଥ ପଣ୍ଡା ଏନେଇ ଥାନାରେ ଟାଉନ୍‌ ଥାନାରେ ଅଭିଯୋଗ କରିବା ପରେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗରେ ତଦନ୍ତ ହୋଇଛି। କିନ୍ତୁ ଏ ମାମଲାରେ ଏ ଯାଏଁ ମୂର୍ତ୍ତି ଚୋର ଧରାପଡ଼ିନାହିଁ କି ମୂର୍ତ୍ତି ଉଦ୍ଧାର ହୋଇନାହିଁ।

ପ୍ରାଚୀନ ମୂର୍ତ୍ତି ଉପରେ ନଜର
ଶ୍ରୀଚନ୍ଦ୍ରଶେଖର ମନ୍ଦିରରୁ ଚୋରି ଉଦ୍ୟମ
ମନ୍ଦିରରେ ଲାଗୁନି ସିସିଟିଭି

ଆଜି ଶ୍ରୀଚନ୍ଦ୍ରଶେଖର ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି। ଗୁଣ୍ଡିଚା ବିହାର ଉନ୍ନୟନ ପରିଷଦର ସମ୍ପାଦକ ଅଶୋକ କୁମାର ମହାପାତ୍ର ତାଳବଣିଆ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ସହ ଅଧିବକ୍ତା ଚିତ୍ତ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ପୁଲିସ ଅଧିକାରୀଙ୍କୁ ଭେଟିଛନ୍ତି। ମୂର୍ତ୍ତି ଚୋର ସକ୍ରିୟ ହୋଇଥିବାରୁ ଏହି ଅଞ୍ଚଳରେ ରାତ୍ରୀକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ, ମନ୍ଦିରରେ ସିସିଟିଭି ଲଗାଇବା ନେଇ ନିର୍ଦ୍ଦେଶ ଥିଲେ ହେଁ ଏହାକୁ ପାଳନ କରାଯାଉନଥିବାରୁ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାରେ ପୁଲିସ ବିଫଳ ହୋଇଛି। ଶ୍ରୀକ୍ଷେତ୍ର ଐତିହ୍ୟ ସହର ହୋଇଥିବା ବେଳେ ବହୁ ଐତିହାସିକ ମନ୍ଦିରରେ ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ପୂଜା ପାଉଛନ୍ତି। ଏହି ମୂର୍ତ୍ତି ଉପରେ ଚୋରମାନଙ୍କର ଲୋଲୁପ ଦୃଷ୍ଟି ରହିଛି। ବିଶେଷକରି ଅନ୍ତର୍ଜାତୀୟ ବଜାର ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ ଆଦି ଦେଶରେ ଅଷ୍ଟଧାତୁ ମୂର୍ତ୍ତି ବହୁମୂଲ୍ୟରେ ବିକ୍ରି ହେଉଥିବା ନେଇ ପୁଲିସ ପୂର୍ବରୁ ଖୋଳତାଡ଼ କରିଛି। ଏପରିକି କ୍ରାଇମବ୍ରାଞ୍ଚର ମୂର୍ତ୍ତି ଚୋରି ନେଇ ସ୍ବତନ୍ତ୍ର ସେଲ୍‌ ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେତିକି ମୂର୍ତ୍ତି ଚୋରି ହେଉଛି, ତା ମଧ୍ୟରୁ ଉଦ୍ଧାର ମୂର୍ତ୍ତି ସଂଖ୍ୟା ବହୁତ କମ୍‌। ଏନେଇ ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନର ରାଜ୍ୟ ସଭାପତି ବଦ୍ରି ମିଶ୍ର କହିଛନ୍ତି, ପୁରୀର ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି କରି ଅନ୍ୟ ରାଜ୍ୟର ଚୋର ମାଧ୍ୟମରେ ବିଦେଶକୁ ଚଢ଼ା ଦରରେ ବିକ୍ରି କରାଯାଉଛି। ରାତିରେ ପାଟ୍ରୋଲିଂ କଡ଼ାକଡ଼ି କରିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।