ମୂର୍ତି ଚୋରିର ପେଣ୍ଠସ୍ଥଳ ପାଲଟିଛି ଓଡ଼ିଶା
୯୫ ପ୍ରତିଶତ ମୂର୍ତିର ପଞ୍ଜୀକରଣ ହୋଇନାହିଁ
ଭୁବନେଶ୍ବର : ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ମୁକସାକ୍ଷୀ ହେଉଛି ଓଡ଼ିଶାରେ ଥିବା ଶହ ଶହ ପୁରାତନ ମୂର୍ତି। ମାତ୍ର ସଂପ୍ରତି ମୂର୍ତି ଚୋରିର ପେଣ୍ଠସ୍ଥଳ ପାଲଟିଛି ଓଡ଼ିଶା। ନିକଟରେ ପ୍ରାଚୀ ଉପତ୍ୟକାରେ ସର୍ବେକ୍ଷଣ କରିଥିବା ଗବେଷକ ଅନୀଲ ଧୀର୍ଙ୍କ କହିବା ମୁତାବକ, କେବଳ ପ୍ରାଚୀ ଉପତ୍ୟକାର ବିଭିନ୍ନ ସ୍ଥାନରୁ ୩ଶହରୁ ଅଧିକ ମୂଲ୍ୟବାନ ପ୍ରାଚୀନ ସମୟର ମୂର୍ତି ନିଖୋଜ ହୋଇଯାଇଛି। ଶେଷ ୩ ଦଶନ୍ଧି ମଧ୍ୟରେ ଯେଉଁ ମୂର୍ତିଗୁଡ଼ିକ ସେଠାରେ ବିଶେଷଜ୍ଞମାନଙ୍କ ଦ୍ବାରା ଚିହ୍ନଟ ହେଇଥିଲା ଏବଂ ଏହାର ଫଟୋ ନିଆଯାଇଥିଲା ତାହା ଏବେ ଉଭାନ। ଗତ ଦଶନ୍ଧି ମଧ୍ୟରେ ପ୍ରାଚୀ ଉପତ୍ୟକାର ବିଭିନ୍ନ ମନ୍ଦିରରୁ ପାଖାପାଖି ୪୮ଟି ମୂର୍ତି ଚୋରି ହୋଇଥିବା ବିଭିନ୍ନ ଥାନାରେ ଏତଲା ଦିଆଯାଇଛି। ତେବେ ସେଥିମଧ୍ୟରୁ ମାତ୍ର ଗୋଟିଏ ହିଁ ଉଦ୍ଧାର କରାଯାଇପାରିଛି। ଗତ ଦଶନ୍ଧି ମଧ୍ୟରେ ଏଇ ଉପତ୍ୟକାରୁ ମୂଲ୍ୟବାନ ଜୈନ ଓ ବୁଦ୍ଧ ମୂର୍ତିଗୁଡ଼ିକ ଉଭାନ ହୋଇଯାଇଛି। ଖାଲି ସେତିକି ନୁହେଁ, ସେଠାରେ କେତେକ ବିରଳ ସ୍ଥାପତ୍ୟ ଖଣ୍ଡଗୁଡ଼ିକ ମଧ୍ୟ ଖୋଲାରେ ପରିତ୍ୟକ୍ତ ହୋଇ ପଡ଼ି ରହିଛି। ରତ୍ନଗିରି ଓ ଲଳିତଗିରି ଭଳି ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ରରୁ ଅନେକ ସମର୍ପିତ ସ୍ତୂପ ମଧ୍ୟ ଚୋରି ହୋଇଯାଇଛି, ନଚେତ ସେଗୁଡ଼ିକୁ ମୂଳ ସ୍ଥାନରୁ ହଟାଇ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
‘ଦି ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚରାଲ ହେରିଟେଜ’ (ଇନଟାକ୍)ର ବାର୍ଷିକ ରାଜ୍ୟ ଆବାହକ ସମ୍ମିଳନୀରେ ଏପରି ମତ ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ଜିଲ୍ଲାର ଇନ୍ଟାକ ଚାପ୍ଟରର ଆବାହକମାନେ ମନ୍ଦିରରୁ ମୂର୍ତି ଚୋରି ସମ୍ପର୍କିତ ମାମଲା ସମ୍ପର୍କରେ ଆଲୋଚନା କରିଥିଲେ। ଇନ୍ଟାକ ଭଦ୍ରକ ଚାପ୍ଟରର ଦିଗମ୍ବର ମହାନ୍ତି ଭଦ୍ରକରେ ମୂର୍ତି ଚୋରି ସମ୍ପର୍କରେ ତଥ୍ୟ ଦେଇ କହିଲେ, ଶେଷ ଦଶନ୍ଧି ମଧ୍ୟରେ ଭଦ୍ରକ ଜିଲ୍ଲାରେ ବହୁ ମୂର୍ତି ଚୋରି ହେଲାଣି। ଏନେଇ ୨୦ଟି ମାମଲା ମଧ୍ୟ ବିଭିନ୍ନ ଥାନାରେ ହୋଇଛି। ମାତ୍ର ଏ ପର୍ଯ୍ୟନ୍ତ ଗୋଟିଏ ବି ମୂର୍ତି ଉଦ୍ଧାର କରାଯାଇ ପାରିନାହିଁ।
ଇନଟାକ୍ର ରାଜ୍ୟ ଆବାହକ ତଥା ପୂର୍ବତନ ପୁଲିସ ମହାନିର୍ଦେଶକ ଅମିୟ ଭୂଷଣ ତ୍ରିପାଠୀ କ୍ଷୋଭ ପ୍ରକାଶ କରି କହିଲେ, ମୂର୍ତିଗୁଡ଼ିକ ଆମ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଉପସ୍ଥାପନ କରୁଛି। ମାତ୍ର ଏ ନେଇ ସଚେତନତା ପ୍ରକାଶ ପାଉନାହିଁ। ପ୍ରଚଳିତ ଆଇନ ମୁତାବକ ମୂର୍ତି ଚୋରିରେ ରୋକ୍ ଲଗାଇବା ପ୍ରଭାବଶୂନ୍ୟ ରହିଛି। ତେଣୁ ଏକ ସମର୍ପିତ ଜାତୀୟ ଐତିହ୍ୟ ସୁରକ୍ଷା ନୀତି ଓ ବ୍ୟବସ୍ଥା କରାଯିବା ଉଚିତ ବୋଲି ସେ କହିଛନ୍ତି। ପ୍ରାଚୀନ ମୂର୍ତି ସମ୍ପର୍କିତ କୌଣସି ନିର୍ଦିଷ୍ଟ ତଥ୍ୟ ନଥିଲେ ହେଁ ଓଡ଼ିଶାର ପ୍ରାୟ ୨୨ ହଜାର ପ୍ରାଚୀନ ପୂଜାସ୍ଥଳୀରେ ଉଭୟ ପଥର ଓ ଧାତୁ ନିର୍ମିତ ମୂର୍ତି ପୂଜା ପାଉଛନ୍ତି। ତେବେ ମନ୍ଦିରରେ ଥିବା ୯୫ ପ୍ରତିଶତରୁ ଅଧିକ ପ୍ରାଚୀନ ମୂର୍ତିର ଆଇନଭିତ୍ତିକ ପଞ୍ଜୀକରଣ ଏ ପର୍ଯ୍ୟନ୍ତ ହୋଇନାହିଁ। ତେଣୁ ପ୍ରାଚୀନ ମୂର୍ତି ଓ ସ୍ମାରକ ଜାତୀୟ ମିସନ ଏବେ ବି ଅସମ୍ପୂର୍ଣ୍ଣ ରହିଛି। ଶ୍ରୀ ତ୍ରିପାଠୀଙ୍କ କହିବା ମୁତାବକ, କଳା ଓ ପ୍ରାଚୀନ କୀର୍ତିରାଜି ସଂରକ୍ଷଣ ଆଇନ, ଦି ଆନ୍ସିଏଣ୍ଟ ମନୁମେଣ୍ଟ୍ସ ଆଣ୍ଡ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ ଏବଂ ପ୍ରାଚୀନ ସ୍ମାରକ ସଂରକ୍ଷଣ ଆଇନ-୧୯୦୪’ ଏଇ ସବୁ ଅପରାଧ ଉପରେ ଅଙ୍କୁଶ ଲଗାଇ ପାରିନାହିଁ। ତେଣୁ ଏଥିପାଇଁ ଆଇନରେ ସଂଶୋଧନ ସହ ନୂଆ ବିଧି ବ୍ୟବସ୍ଥା ଆପଣାଇବା ନିତାନ୍ତ ଆବଶ୍ୟକ। ଏଥିସହ ଏହିଭଳି ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସସ୍ତରରେ ଭିନ୍ନ ବ୍ୟବସ୍ଥା ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ଏ ନେଇ ଶ୍ରୀ ଧୀର୍ କହିଛନ୍ତି ମୂର୍ତିଗୁଡ଼ିକ ଚୋରିରୁ ରକ୍ଷା କରିବା ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ମୂର୍ତିଗୁଡ଼କର ତଥ୍ୟ ସଂଗ୍ରହ କରିବା ସହ ଏ ସବୁର ଡକ୍ୟୁମେଣ୍ଟେସନ କରିବା ଆବଶ୍ୟକ। କାରଣ ଏବେ ବି ଅନେକ ଚୋରି ହୋଇଥିବା ମୂର୍ତି ଉଦ୍ଧାର ହେବା ପରେ ସେଗୁଡ଼ିକୁ ମୂଳ ମନ୍ଦିର ବା ସ୍ଥାନକୁ ଫେରି ଆସିପାରୁନାହିଁ। ସେଗୁଡ଼ିକ ବିଭିନ୍ନ ପୁଲିସ ମାଲଖାନା ଓ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଭଣ୍ଡାରରେ ପଡ଼ି ରହୁଛି। ଗତବର୍ଷ ଭୁବନେଶ୍ବର ଉପଖଣ୍ଡରୁ ଉଦ୍ଧାର ହୋଇଥିବା ୧୧ଶହ ଶତାବ୍ଦୀର ଦୁଇ ଅଷ୍ଟଧାତୁ ମୂର୍ତିକୁ କ୍ରାଇମବ୍ରାଞ୍ଚ ଉଦ୍ଧାର କରିଥିବା ବେଳେ ସେଗୁଡ଼ିକ ମଧ୍ୟ ମୂଳ ସ୍ଥାନକୁ ଫେରି ପାରିନାହିଁ। ଇନଟାକ୍ ଭୁବନେଶ୍ବରର ଆବାହକ ବୈକୁଣ୍ଠ ପାଣିଗ୍ରାହୀ କହିଲେ, ଇନଟାକ୍ ତା’ର ସମସ୍ତ ଚାପ୍ଟରରେ ସ୍ମାରକୀଗୁଡ଼ିକର ତାଲିକା ଓ ଡକ୍ୟୁମେଣ୍ଟେସନ କରୁଥିବା ବେଳେ ଏ ବାବଦରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ଯାଜପୁର ଚାପ୍ଟର ପକ୍ଷରୁ ୫୫୦ ଐତିହ୍ୟ ସ୍ଥଳ, ଭଦ୍ରକ ପକ୍ଷରୁ ୨୦୦, ବାଲେଶ୍ବର ପକ୍ଷରୁ ୩୦୦ ସ୍ମାରକୀ ଚିହ୍ନଟ ହୋଇସାରିଥିବା ବଳେ ବଲାଙ୍ଗୀର, ଗଞ୍ଜାମ, ସୋନପୁରରେ ଏବେ ଏହି ତାଲିକା ଓ ଡକ୍ୟୁମେଣ୍ଟେସନ କାମ ଚାଲୁ ରହିଛି। ଏଥିସହ ମହାନଦୀ ପ୍ରକଳ୍ପ ନାମରେ ନିଆଯାଇଥିବା ଏକ ପ୍ରକଳ୍ପରେ ଏ ପର୍ଯ୍ୟନ୍ତ ନଦୀ ପାର୍ଶ୍ବରେ ପ୍ରାୟ ୧ହଜାର ସ୍ମାରକ ଚିହ୍ନଟ କରାଯାଇସାରିଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।