୨୦୨୧ ‘ଆଇଇ ୧୦୦’ ତାଲିକାର ସବୁଠୁ ଅଧିକ କ୍ଷମତାଶାଳୀ ଭାରତୀୟଙ୍କ ମଧ୍ୟରେ ୪ଜଣ ଓଡ଼ିଆ

ନୂଆଦିଲ୍ଲୀ: ‘୨୦୨୧ ‘ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ କ୍ଷମତା ତାଲିକାରେ ଥିବା ୧୦୦ଜଣ ଭାରତୀୟଙ୍କ ମଧ୍ୟରେ ୪ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି।

ଏହି ତାଲିକାର ୨୦ତମ ସ୍ଥାନରେ ଅଛନ୍ତି ୭୨ ବର୍ଷିୟ ପିକେ ମିଶ୍ର। ସମ୍ପ୍ରତି ସେ ପ୍ରଧାନମନ୍ତ୍ରୀଙ୍କର ପ୍ରମୁଖ ସଚିବ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କର ନିକଟତମ ବ୍ୟକ୍ତି ଭାବେ ସେ ସବୁଠୁ ଅଧିକ କ୍ଷମତାଶୀଳ ଅମଲାରେ ପରିଗଣିତ ହେଉଛନ୍ତି। ମୋଦୀ ଗୁଜୁରାଟରେ ଥିବା ସମୟରୁ ସେ ତାଙ୍କ ସହ ଅଛନ୍ତି। ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱିତୀୟ ପାଳିରେ ସେ ପ୍ରମୁଖ ସଚିବ ଭାବେ ପଦୋନ୍ନତି ପାଇଛନ୍ତି।

ଏହି ତାଲିକାର ୨୯ତମ ସ୍ଥାନରେ ଅଛନ୍ତି ୬୪ ବର୍ଷିୟ ଶକ୍ତିକାନ୍ତ ଦାସ। ସମ୍ପ୍ରତି ସେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣନର୍‌ ଅଛନ୍ତି। ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣନର୍‌ ଭାବେ ଶକ୍ତିକାନ୍ତ ଦାସ ଦେଶର ମନିଟାରି ପଲିସି ପ୍ରସ୍ତୁତି ଓ ପ୍ରଣୟନରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି। ବ୍ୟାଙ୍କିଙ୍ଗ୍‌ ସେକ୍ଟର୍‌ ଓ ସରକାରଙ୍କ ଅର୍ଥ ପରିଚାଳକଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ସତର୍କତାର ସହ କାର୍ଯ୍ୟ କରିଛନ୍ତି।

ତାଲିକାର ୪୫ତମ ସ୍ଥାନରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ମୁଖ୍ୟ ୭୪ ବର୍ଷିୟ ନବୀନ ପଟ୍ଟନାୟକ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ମାର୍ଚ ୨୦୦୦ରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେବେଠାରୁ, ସମାଲୋଚକମାନଙ୍କୁ ଚୁପ୍‌ କରାଇ ରାଜ୍ୟର ସବୁଠୁ ଅଧିକ କାଳ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ତାଙ୍କର ଯୋଜନା, ସମନ୍ଵିତ ତଥା ଫଳପ୍ରଦ ଶାସନ ତାଙ୍କ ପ୍ରତି ଥିବା ଜନସମର୍ଥନକୁ ସୁଦୃଢ଼ କରିଛି।

‘ଆଇ୧୦୦’ ତାଲିକାର ୯୫ତମ ସ୍ଥାନରେ ଅଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ୫୧ ବର୍ଷିୟ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ବିଜେପି ପରିଚୟ ଭାବେ ପରିଗଣିତ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କର ଆତ୍ମନିର୍ଭର ଭାରତ ଉଦ୍ୟମର ଗୁରୁତ୍ୱପୂର୍ଣ୍ଣ ଅଂଶ ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ଭଳି କ୍ଷମତାଶୀଳ ବିଭାଗର ଦାୟିତ୍ୱ ତୁଲାଉଛନ୍ତି।

ସୂଚନାଯୋଗ୍ୟ କି, ଏହି ତାଲିକାର ଶୀର୍ଷରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସମ୍ବନ୍ଧିତ ଖବର