ଭୁବନେଶ୍ୱର: ଗତ ନଭେମ୍ବରରେ ପ୍ରତିଶ୍ରୁତି ଦେଇ ଏବେ ସରକାର ଆଇସିଟି ବିଦ୍ୟାଳୟ ସଂଯୋଜକଙ୍କୁ ପ୍ରତାରିତ କରିଛନ୍ତି। ଏଣୁ ପୁଣି ଥରେ ୫ଦଫା ଦାବି ନେଇ ଏହି ସଂଯୋଜକ ସଂଘ ତିନିଦିନ ହେବ ଲୋୟର ପିଏମ୍‌ଜିଠାରେ ଧାରଣା ଆରମ୍ଭ କରିଛି। ତିନିଦିନ ବିତିଥିଲେ ମଧ୍ୟ ସରକାର ଆଲୋଚନା ପାଇଁ ଡାକି ନଥିବାରୁ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୧୧ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ, ୧୨ ତାରିଖ ଦିନ ବିଭିନ୍ନ ହାଇସ୍କୁଲରେ ନିଯୁକ୍ତ ୪ ହଜାରରୁ ଊର୍ଦ୍ଧ୍ୱ ଆଇସିଟି ବିଦ୍ୟାଳୟ ସଂଯୋଜକ ସମୂହ ଇସ୍ତଫା ଦେବେ ବୋଲି ସଂଘ ଚେତାବନୀ ଦେଇଛି। ସଂଘ ସଭାପତି ପ୍ରଶାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିକ୍ଷୋଭ ସମାବେଶରେ ଏହି ନିଷ୍ପତ୍ତି ହୋଇଛି। ଏହି ସମାବେଶରେ ଉପସ୍ଥିତ ସମ୍ପାଦକ ଦିଲ୍ଲୀପ ନାୟକ, ମାନସ ଦେବଦର୍ଶନ, ପରୀକ୍ଷିତ ନାୟକ, ସୁନୀଲ ଦଳବେହେରା, ଅନୀଲ ବେହେରା, ବିଜନ ମିଶ୍ର, ଅନିରୁଦ୍ଧ ଗିରି ପ୍ରମୁଖ ସମୂହ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Advertisment

ସୂଚନାଯୋଗ୍ୟ ଯେ, ୨୦୧୪ରୁ ରାଜ୍ୟର ୪ ହଜାର ବିଦ୍ୟାଳୟରେ ଏଭଳି ବିଦ୍ୟାଳୟ ସଂଯୋଜକ ନିଯୁକ୍ତି ପାଇଛନ୍ତି। ଶିକ୍ଷକ ଓ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର୍‌ ଶିକ୍ଷା ପ୍ରଦାନ ନିମନ୍ତେ ଏମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଆର୍ଥିକ ବୋଝ ବହନ କରୁଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ବହନ କରୁଛନ୍ତି। ଆଉଟସୋର୍ସିଂ ଜରିଆରେ ସରକାର ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଛନ୍ତି। ‘ସ୍କୁଲ କୋଅର୍ଡିନେଟର’ ନାମ ପରିବର୍ତ୍ତନ କରାଯାଇ ‘କମ୍ପ୍ୟୁଟର ଶିକ୍ଷକ’ ମାନ୍ୟତା ପ୍ରଦାନ କରାଯିବା, ଶିକ୍ଷକମାନଙ୍କୁ ଓଆର୍‌ଭି ଆକ୍ଟ ଅନ୍ତର୍ଭୁକ୍ତ କରିବା, କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିବା, ଏହି ସଂଯୋଜକମାନଙ୍କୁ ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ମାନ୍ୟତା ଦେବା, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ଇ-ବିଦ୍ୟାଳୟ ପ୍ରକଳ୍ପକୁ ରାଜ୍ୟ ସରକାର ଘରୋଇକରଣ ନ କରି ସରକାର ପରିଚାଳନା କରନ୍ତୁ ପ୍ରଭୃତି ଦାବି ନେଇ ଏହି ସଂଯୋଜକମାନେ ଲୋୟର ପିଏମ୍‌ଜିଠାରେ ଧାରଣା ଜାରି ରଖିଛନ୍ତି।